More News

ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ | ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ |

କଟକ, ( ଉତ୍କଳ ନ୍ୟୁଜ ) ୧୩-୧୦-୨୬ : କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ଉ କରାଯାଇ ବେଆଇନ ଭାବେ ଗଚ୍ଛିତ ବିପୁଳ ପରିମାଣର ଔଷଧ ଜବତ କରାଯାଇଛି। କଟକ ଡ୍ରଗ୍ସ କଣ୍ଟ୍ରୋଲ ଟିମ୍ ଓ ନିଆଳି ଥାନା ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତଙ୍କ ଘରେ ଏହି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ତୁଷାର ରଞ୍ଜନ ପାଣିଗ୍ରାହୀ, ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ବିନାୟକ ଦଳବେହେରା ଓ ଶ୍ରୀ ଅମିତ ମାଇତିଙ୍କ ସମେତ ନିଆଳି ଥାନାର ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ଜବତ ହୋଇଥିବା ଔଷଧଗୁଡ଼ିକର ଉତ୍ସ, ସଂରକ୍ଷଣ ଓ ଆଇନଗତ ବୈଧତା ସମ୍ପର୍କରେ ଆବଶ୍ୟକ ଯାଞ୍ଚ ଓ ତଦନ୍ତ କରାଯିବ। ଏହି ଘଟଣାରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନର ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ ସହ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।
Read More ...

ସନ୍ଥପୁରାରେ ହିନ୍ଦୁ ମହିଳାଙ୍କୁ ଲଭ୍ ଜିହାଦ୍‌ରେ ଫସାଇ ଧର୍ମାନ୍ତି କରଣ ଅଭିଯୋଗ, ମାମଲା ରୁଜୁ ପରେ ପୋଲିସର ଖୋଳତାଡ |

କଟକ ( ଉତ୍କଳ ନ୍ୟୁଜ ). ୬-୧୦-୨୬ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବିନ୍ଧା ଛକରେ ହିନ୍ଦୁ ମହିଳାଙ୍କୁ ଲଭ୍ ଜିହାଦ୍ ! ଜଣେ ବିବାହିତା ହିନ୍ଦୁ ମହିଳାଙ୍କୁ ଧର୍ମାନ୍ତିକରଣ କରାଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ପୁରୁଷ ଜଣକ ଲଘୁ ସଂପ୍ରଦାୟର ବୋଲି ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି । ସଂପୃକ୍ତ ପୁରୁଷ ଜଣକ ହେଉଛନ୍ତି ଏସ. କେ ସନାଉଲା(ହାସାନ) ଜଣେ ବିବାହିତ ଏବଂ ତାଙ୍କ ଘର ସନ୍ଥପୁରା ଗାଁରେ ବୋଲି ଜଣା ଯାଇଛି । ସଂପୃକ୍ତ ମହିଳାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ତାକୁ ଭଦ୍ରକରେ ଏକ ମଦ୍ରାସା ସ୍କୁଲରେ ପାଠ ପଢାଉଥିବା ବେଳେ ମହିଳାଙ୍କର ଏକ ଝିଅ ସେ ମଧ୍ୟ ବିବାହିତା ଏବଂ ବିଧବା ମଧ୍ୟ ଉଭୟଙ୍କୁ ସନାଉଲ ପାଖରେ ରଖିଥିବା ଏତଲାକାରୀ ପକ୍ଷ ଜାଣିବାକୁ ପାଇଛନ୍ତି । ତେବେ ସନାଉଲା କୌଣସି ପ୍ରକାରରେ ଧମକ ଚମକ କରି ଏବଂ ଡରେଇ ହୁଲେଇ ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଇବା ସହ ଦୁଇ ବର୍ଷ ହେଲା ମତୋ ବଜାରରେ ଏକ ଭଡା ଘରେ ସେମାନଙ୍କୁ ରଖୁଥିଲେ ଏବଂ କିଛିଦିନ ହେଲା ସନ୍ଥପୁରା ପେଟ୍ରୋଲ ପମ୍ପ ସମ୍ମୁଖସ୍ଥ ତାଙ୍କ ନିଜ ଘରକୁ ଆଣି ସାଥିହୋଇ ରହୁଥିଲେ । ଏକଥା ଏତଲାକାରୀପକ୍ଷ ଜାଣିବା ପରେ ସୋମବାର ଅପରାହ୍ନରେ ସନାଉଲାଙ୍କୁ ପଚାରିବାରୁ ସେ ବିଭିନ୍ନ ପ୍ରକାରର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଏବଂ ଘରୁ ଏକ ତରୱାଲ କାଢି ଆଣିଥିଲା । ପରେ ତାଙ୍କର ବନ୍ଧୁ ଏସ. କେ ଫୈଇସଲ ମଧ୍ୟ ହାତରେ ଏକ ତରୱାଲ ଧରି ଏତଲାକାରୀ ପକ୍ଷଙ୍କୁ ଜୀବନରୁ ମାରି ଦେବାକୁ ଦୌଡି ଆସିବାରୁ ସେମାମନେ ପ୍ରାଣରକ୍ଷା କରିବା ଲାଗି ଉକ୍ତ ସ୍ଥାନ ଛାଡି ପୋଲିସ ନିକଟରେ ଏତଲା ଦାଏର କରିଥିଲେ । ଘଟଣାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାସ୍ତା ପାଶ୍ୱର୍ ହେତୟ ଶହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଂଚି ଫରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଗଣ୍ଡଗୋଳ କରିଥିବା ଦୁଇ ଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁଜ ଥାନାକୁ ନେଇ ଯାଇଥିଲେ । ଘଟଣାକୁ ନେଇ ପୋଲିସ ସଂଗୀନ ଦଫାରେ ଏକ ମାମଲା ୨୩୬/୨୬ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଗଣ୍ଡଗୋଳ କରିଥିବା ଦୁଇ ଲଘୁ ସଂପ୍ରଦାୟର ବ୍ୟକ୍ତିଙ୍କୁ ଛାଡି ଦିଆଯାଇଛି ଏବଂ ସଂପୃକ୍ତା ମହିଳାଙ୍କ ସୁରକ୍ଷା ପାଇଁ ଭଦ୍ରକସ୍ଥିତ ଆସିଆନାକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଯାହାକୁ ନେଇ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଖୋଦ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାର ସାନି ତଦନ୍ତ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଭିଯୋଗକାରୀ ପକ୍ଷ ବୁଦ୍ଧିରାମ ସେଠୀ, ଜୀବନଜ୍ୟୋତି ବଳ, ତପନ ସ୍ୱାଇଁ, ସୁଶାନ୍ତ କୁମାର ସାହୁ, ବିକ୍ରମ ସେନାପତି, ଭାଗିରଥି ଦାସ, ବାବାଜୀ ପରିଡା, ନାରାୟଣ ଦାସ, ରତିକାନ୍ତ ମହାକୁଡ, ଅଭୟ ନାୟକ, ଅଜୟ ମହାଳିକ,ଲକ୍ଷ୍ମୀଧର ଦାସ, ସରୋଜ ରାଉତ,ସଞ୍ଜୟ ବାରିକ, ଦେବବ୍ରତ ଜେନା, ହରେନ୍ଦ୍ର କୁମାର ପରିହାରୀ ଓ ଅମ ମାଇତି ଲାଗି ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଭାଜପା ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣାରେ ୮ ମାସ ପରେ ଜଣେ ଗିରଫ୍‌ |

କଟକ ( ଉତ୍କଳ ନ୍ୟୁଜ ) ୨୬-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଜେପି ସାହାଡା ସୁନ୍ଦରୀ ମଣ୍ଡଳ ସଭାପତି କେଶବ ବେହେରାଙ୍କ ଆକ୍ରମଣ ଘଟଣାରେ ୮ମାସ ପରେ ପୋଲିସ ଶନିବାର ବଉଳପାଳ ଗ୍ରାମର ଲିଟୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାରେ ସମ୍ପୃକ୍ତ ମାନସ ରଞ୍ଜନ ତ୍ରିପାଠୀ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ଗତ ଫେବୃଆରୀ ୯ତାରିଖ ରାତିରେ ମଦ ପିଇବାକୁ ଟଙ୍କା ନଦେବାରୁ ସାହାଡ଼ାଶୁଣି ମଣ୍ଡଳ ସଭାପତି କେଶବ ବେହେରା ଓ ତାଙ୍କ ବନ୍ଧୁ ଗଣେଶ ଚନ୍ଦ୍ର କରଙ୍କୁ ଦୁଇ ଜଣ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ କେଶବ ଓ ଗଣେଷ ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିଲେ । ଏଠାରେ ସୂଚନା ଥାଉକି, ଗତ ଫେବୃଆରୀ ୯ତାରିଖ ରାତି ପ୍ରାୟ ୧୦. ୩୦ରେ ତିହିଡି଼ ଗ୍ରାମର କେଶବ ଓ ଗଣେଶ ସ୍ଥାନୀୟ କାଳୀପଡ଼ିଆରେ ଚାଲିଥିବା ମହୋତ୍ସବ ଦେଖି ଘରକୁ ଫେରୁଥିବା ବେଳେ ପାଟଣାସାହି ଗ୍ରାମର ମାନସ ରଞ୍ଜନ ତ୍ରିପାଠୀ ଓ ବଉଳପାଳ ଗ୍ରାମର ଲିଟୁ ଜେନା ନାମକ ୨ଜଣ ଯୁବକ ତାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ ଏବଂ ଟଙ୍କା ନଦେବାରୁ ସେହି ୨ଜଣ ଯୁବକ ତାଙ୍କୁ ଏକ ଲୁହା ରଡ଼ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉଭୟଙ୍କ ଚିତ୍କାର ଶୁଣି କିଛି ଲୋକ ସେଠାରେ ପହଂଚିବାରୁ ଆକ୍ରମଣକାରୀମାନେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ । ପରେ ଉଦ୍ଧାର କରିଥିବା ଲୋକମାନେ ଆହତ ଦୁଇ ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ । ସେହି ରାତିରେ ମଣ୍ଡଳ ସଭାପତି କେଶବ ଥାନାରେ ଦେଇଥିବା ଏତଲା କ୍ରମେ ପୋଲିସ ୪୦/୨୬ରେଏକ ମକଦ୍ଦମା ରୁଜୁ କରିଥିଲେ ମଧ୍ୟ ଏଯାବତ ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଇନଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

କମ୍ପାନୀ ସାମଗ୍ରୀ ଚୋରି ଅଭିଯୋଗ, ୨ କର୍ମଚାରୀଙ୍କ ସମେତ ୪ ଗିରଫ।

କଟକ ( ଉତ୍କଳ ନ୍ୟୁଜ ). ୦୪-୦୮-୨୦୨୬ : ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ମଙ୍ଗଳପୁର ଗ୍ରାମ ନିକଟରେ ରହି କେଇସି ନାମକ ଏକ କମ୍ପାନୀ ଧାମରା ବନ୍ଦର କାର୍ଯ୍ୟ କରୁଥିଲା।ସେହି କମ୍ପାନୀରେ ତିହିଡି ଥାନା ଅଧିନ ଅମର ନାଥ ସହାଣୀଙ୍କ ପୁଅ ମୁକ୍ତିକାନ୍ତ ସହାଣୀ (୩୬) ଓ ମହରମପୁର ଗ୍ରାମର ରବିନ୍ଦ୍ର ରାଉତଙ୍କ ପୁଅ ଉମାକାନ୍ତ ରାଉତ ( ୨୫) କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କମ୍ପାନୀ ବନ୍ଦ ହୋଇଯାଇଥିବାରୁ ମୁକ୍ତିକାନ୍ତ ଓ ଉମାକାନ୍ତ କମ୍ପାନୀରୁ ଏସି, ଟିଭି, ତାର ଓ ରେଳପଥ ଲୁହା ସମେତ ବିଭିନ୍ନ ସାମଗ୍ରୀ ଚୋରି କରି ନେଉଥିଲେ। ମାତ୍ର ଶନିବାର ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ରୋଜେନ ମୁର୍ମୁ ଦିନ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଏକ ଅଟୋରିକ୍ସାରେ କିଛି ସମଗ୍ରୀ ନନ୍ଦପୁର ବଜାର ନିକଟରେ ଯାଉଥିବା ନଜରକୁ ଆସିଥିଲା।ପୋଲିସ ଅଟୋରିକ୍ସାକୁ ଧରି ଥାନାକୁ ଆଣିଥିଲେ। ପରେ କମ୍ପାନୀର ସୁରକ୍ଷାକର୍ମୀ ଭାବେ କାର୍ଯ୍ୟକରୁଥିବା ମୁକ୍ତିକାନ୍ତକୁ ଥାନାକୁ ଆଣି ପଚରା ଉଚରା କରିବା ବେଳେ ସାମଗ୍ରୀ ସବୁ କମ୍ପାନୀରୁ ଚୋରିକରି ଅଣାଯାଇଥିବା ଜଣା ପଡିଥିଲା। କମ୍ପାନୀ ପିରାହାଟ ଥାନା ଅଧିନରେ ଥିବାରୁ ତଦନ୍ତପରେ ତିହିଡି ପୋଲିସ ଚୋରି ଘଟଣାକୁ ପିରାହାଟ ଥାନାକୁ ଦେଇଥିଲେ। ତେବେ ଏସମ୍ପର୍କରେ ପିରାହାଟ ଆଇଆଇସି ରୋଜାଲିନ ବେହେରା ୧୭୯/୨୬ରେ ଏକ ମକଦ୍ଧମା ରୁଜୁକରି କର୍ମଚାରୀ ମୁକ୍ତିକାନ୍ତ ଓ ଉମାକାନ୍ତଙ୍କ ସମେତ ଚୋରା ସାମଗ୍ରୀ କିଣିଥିବା ନନ୍ଦପୁରର ଗୁଲାମ ପରଭେଜ (୨୦) ଓ ରାଜ ସାହା (୨୧)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ଚୋରି ସାମଗ୍ରୀ ଓ ଅଟୋରିକ୍ସାକୁ ଜବତ କରିଥିଲେ। ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ବିଦ୍ୟୁତ୍ ତାର ଚୋରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ |

କଟକ ( ଉତ୍କଳ ନ୍ୟୁଜ ). ୨୦-୦୭-୨୦୨୬ : ବିଦ୍ୟୁତ ବିଭାଗରେ କାମ କରୁଛନ୍ତି ସତ ହେଲେ ସମସ୍ତଙ୍କୁ ଚକମା ଦେଖାଇ ତାର ଚୋରି ଭଳି ଅପରାଧିକ କାର୍ଯ୍ୟ କରିବାକୁ ପଛାଇ ନାହାନ୍ତି । ଭଦ୍ରେକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବିଦ୍ୟୁତ ସେକ୍ସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୧୧ କେଭିଏ ବିଦ୍ୟୁତ ସହିତ ବିଭିନ୍ନ ସ୍ଥାନରୁ ତାର ଚୋରି କରି କବାଡ଼ିଆକୁ ବିକ୍ରି କରିଥିବା ଅଭିଯୋଗରେ ପୀରହାଟ ପୋଲିସ ସମ୍ପୃକ୍ତ କବାଡିଆ ସମେତ ଏହି ବିଭାଗରେ କାମ କରୁଥିବା ୨ ଜଣ ହେଲପରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୀରହାଟ ପୁରୁଣା ବଜାର ଅଞ୍ଚଳର କବାଡ଼ିଆ ୱାସିକ ରାଜା ସାହାଜୀ, ତିହିଡି ବାରିକବିନ୍ଧା ଗାଁର ଆକାଶ କର ଓ ସୟା ଅଞ୍ଚଳର ଦିଲୀପ ମଳିକ । ପୀରହାଟ ବିଦ୍ୟୁତ ବିଭାଗର ମରାମତି ଦାୟିତ୍ୱରେ ଥିବା ଆକାଶ, ଦିଲୀପ ଓ ଅନ୍ୟମାନେ ସ୍ଥାନୀୟ ଅଞ୍ଚଳରେ ୧୧ କେଭିଏ ବିଦ୍ୟୁତ୍ ତାର ଓ ବିଭିନ୍ନ ଅଞ୍ଚଳର ତାର ଚୋରି କରି ସମ୍ପୃକ୍ତ କବାଡ଼ିଆକୁ ବିକ୍ରି କରିଥିଲେ । ଏ ସମ୍ପର୍କରେ ପୀରହାଟ ସେକ୍ସନର ଯନ୍ତ୍ରୀ ଶ୍ରୀକୃଷ୍ଣ ବେହେରା ଥାନାରେ ଅଭିଯୋଗ କରିବା ପରେ ପିରହାଟ ପୋଲିସ ଏକ ମାମଲା ୧୬୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚୋରି ତାର କିଣିଥିବା ସମ୍ପୃକ୍ତ କବାଡ଼ିଆଙ୍କୁ ଧରିବା ପରେ ସେ ସବୁ ସତ ପୋଲିସକୁ କହିଥିଲା । ପରେ ପୋଲିସ ଉଭୟ ହେଲ୍ପର ଆକାଶ ଓ ଦିଲିପକୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନେ ସବୁକଥା ମାନି ଯାଇଥିଲେ । ଉକ୍ତ ଚୋରିରେ ସମ୍ପୃକ୍ତ ପୀରହାଟ ଖେଦରପୁର ଗ୍ରାମର ସୁନିଲ ମହାନ୍ତି ଓ ସୁରତ କୁମାର ମହାଳିକଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...

ଡାକ୍ତରଙ୍କୁ ଗାଳିଗୁଲଜ ଓ ମାଡ ମାରିବା ଅଭିଯୋଗରେ ଯୁବକ ଗିରଫ୍‌ |

କଟକ ( ଉତ୍କଳ ନ୍ୟୁଜ ). ୧୮-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମରଜେନ୍ସି ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ ଓ ମାଡ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ତିହିଡି ହରିପୁର ଗ୍ରାମର କାହ୍ନୁଚରଣ ଜେନାଙ୍କ ପୁଅ ଅଭିମନ୍ୟୁ ଜେନା(୨୬) ବୋଲି ଜଣାଯାଇଛି । ଗିରଫ୍ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରା ଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତିହିଡି ମେଡିକାଲରେ କାର୍ଯ୍ୟରତ ଡାକ୍ତର ସିଦ୍ଧାନ୍ତ କୁମାର ରାଉତଙ୍କ ଅଭିଯୋଗ ଅନୁଯାଇ, ମେଡିକାଲ ଏମାରଜେନ୍ସି ଡ୍ୟୁଟିରେ ଥିବାବେଳେ ଅଭିଯୁକ୍ତ ଅଭିମନ୍ୟୁ ଶୁକ୍ରବାର ରାତି ପ୍ରାୟ ୯ .୪୦ ଘଟିକାରେ ଜଣେ ରୋଗୀଙ୍କୁ ନେଇ ଆସିଥିଲେ । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଅଭିଯୁକ୍ତ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିଲେ । ଅଭିଯୁକ୍ତଙ୍କ ମାଡରେ ଡାକ୍ତରଙ୍କ ପେଟ, ପିଠି ଓ ହାତଗୋଡରେ ଗଭୀର ଆଘାତ ହୋଇଛି ଏବଂ ତାଙ୍କର ଚଷମା ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ମେଡିକାଲର କେତେକ ସାମଗ୍ରୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଥାନାରେ ଅଭିଯୋଗ କରିବା ସହିତ ଅଭିଯୁକ୍ତଙ୍କ ଗିରଫ୍ ଦାବି କରିଥିଲେ । ଜଣେ କାର୍ଯ୍ୟରତ ଡାକ୍ତରଙ୍କ ପ୍ରତି ଏତାଦୃଶ ବ୍ୟବହାର ଜିଲ୍ଲା ତଥା ରାଜ୍ୟର ଡାକ୍ତର ସଂଘ ପକ୍ଷରୁ ତିବ୍ର ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ଗିରଫ୍ ଦାବୀ କରାଯାଇଥିଲା । ଏଭଳି ଅଘଟଣାରେ ପୋଲିସ ତତ୍ପରତା ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତଙ୍କୁ ରାତିରେ ଗିରଫ୍ କରିଥିବା ଜଣାଯାଇଛି । ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଅଭିମନ୍ୟୁ ଜେନାଙ୍କ ବିରୋଧରେ ଏକ ମାମଲା ୨୯୪/୨୬, ବିଏନଏସ ୧୨୬(୨), ୨୯୬, ୧୧୫(୨), ୧୩୨, ୩୫୧(୩) ସହିତ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଭଙ୍ଗାରୁଜା କରିବା ଓ ଅନ୍ୟାନ୍ୟ ସଂଗୀନ ଦଫା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାଟି ସଂପ୍ରତି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.
Read More ...

ଟାଙ୍ଗୀ ପୋଲିସ କୁ ସଫଳତା ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ଗିରଫ |

ଟାଙ୍ଗୀ ପୋଲିସ କୁ ସଫଳତା ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ଗିରଫ | କଟକ ( ଉତ୍କଳ ନ୍ୟୁଜ ). ୨୬-୦୬-୨୦୨୬ : ଟାଙ୍ଗୀ ଥାନା କେସ୍ ନଂ- ୧୧୨/୨୦୨୬, ତା. ୦୧.୦୩.୨୦୨୬, ଅଭିଯୋଗକାରୀ ଶ୍ରୀ ଚିତ୍ତରଞ୍ଜନ ସେନାପତି (୫୫), ଗ୍ରାମ- ସାହାସପୁର, ଜିଲ୍ଲା- ଯାଜପୁରଙ୍କ ଲିଖିତ ଏତଲା ଆଧାରରେ ରୁଜୁ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲାର ସଫଳ ତଦନ୍ତ କରି ଟାଙ୍ଗୀ ପୋଲିସ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି। ତା. ୨୫.୦୨.୨୦୨୬ ରାତି ପ୍ରାୟ ୨.୪୦ ମିନିଟ୍ ସମୟରେ ଟାଙ୍ଗୀ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଜାତୀୟ ରାଜପଥ-୧୬ ଅତିକ୍ରମ କରୁଥିବା ବେଳେ ଡ୍ରିମ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର **ସୌମ୍ୟ ରଞ୍ଜନ ସେନାପତି (୧୮)**ଙ୍କୁ ଏକ ଧଳା ରଙ୍ଗର କାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଟାଙ୍ଗୀ ପୋଲିସ ସିସିଟିଭି ଫୁଟେଜ୍ ଏବଂ ଟୋଲ୍ ପ୍ଲାଜାର ରେକର୍ଡ ଯାଞ୍ଚ କରି ଦୁର୍ଘଟଣାଗ୍ରସ୍ତ କାର DL-3CCA-3383କୁ ଚିହ୍ନଟ କରିଥିଲା। ପରବର୍ତ୍ତୀ ତଦନ୍ତରେ ଗାଡ଼ିର ଚାଳକ ଓ ମାଲିକ ସଞ୍ଜୟ କୁମାର ସାହୁ (୪୯), ସମେଇଗାଡ଼ିଆ, ରସୁଲଗଡ଼, ଜିଲ୍ଲା- ଖୋର୍ଦ୍ଧାଙ୍କୁ ଚିହ୍ନଟ କରି ତାଙ୍କ ବାସଭବନରୁ ଦୁର୍ଘଟଣାଗ୍ରସ୍ତ କାର, ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକ କାଗଜପତ୍ର ଜବତ କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଦୁର୍ଘଟଣା ଘଟାଇଥିବା ସ୍ୱୀକାର କରିଥିଲେ। ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଉକ୍ତ ଗାଡ଼ିର କୌଣସି ବୈଧ ବୀମା (Insurance) ନଥିଲା। ସିସିଟିଭି ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୨୮୧/୧୦୬(୧) ଭାରତୀୟ ନ୍ୟାୟ ସଂହିତା (BNS) ସହ ମୋଟର ଯାନ ଆଇନ, ୧୯୮୮ର ଧାରା ୧୯୬ ଅନୁଯାୟୀ ମାମଲା ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇ ମାନ୍ୟବର JMFC, ଟାଙ୍ଗୀ-ଚୌଦ୍ୱାର ଅଦାଲତରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି। ଟାଙ୍ଗୀ ପୋଲିସ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଏବଂ ହିଟ୍ ଆଣ୍ଡ ରନ୍ ଘଟଣା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।
Read More ...

ବନ୍ତ ପୋଲିସ ହାତରେ ଦୁଇ ଆନ୍ତଃଜିଲ୍ଲା ଲୁଟେରା: ବାଇକ୍, ମୋବାଇଲ ସହ ଛେଳି ଜବତ୍।

କଟକ ( ଉତ୍କଳ ନ୍ୟୁଜ ) ୨୫-୦୬-୨୦୨୬ ଭଦ୍ରକ ଜିଲ୍ଲା ବନ୍ତ ପୋଲିସ୍ ଦ୍ବାରା ଦୁଇ ଆନ୍ତଃଜିଲ୍ଲା ଲୁଟେରା ଗିରଫ ହୋଇଥିବା ବେଳେ ଗୋଟିଏ ବାଇକ୍, ମୋବାଇଲ ଓ ଛେଳି ଜବତ । ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ, ମୋବାଇଲ୍ ଏବଂ ଛେଳି ଛିନତାଇ କରୁଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ବନ୍ତ ଥାନା ନିକଟସ୍ଥ ହାଟରେ ଜଣେ ବ୍ୟକ୍ତି ପରିବା କିଣୁଥିବା ସମୟରେ ଏହି ଲୁଟେରାମାନେ ତାଙ୍କ ପକେଟ୍‌ରୁ ମୋବାଇଲ୍ ଛିନତାଇ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ବନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଲୁଟେରାଙ୍କୁ କାବୁକରି ଥାନାକୁ ଆଣିଥିଲା। ଥାନାରେ ଜେରା ବେଳେ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ମୋଟର ସାଇକେଲ ଏବଂ ଛେଳିକୁ କେନ୍ଦୁଝର ଜିଲ୍ଲା ସୋସୋ ଥାନା ବଣିଆପଙ୍କ ଅଞ୍ଚଳରୁ ଚୋରି କରିଥିବା ସ୍ୱିକାର କରିଛନ୍ତି। ଏହି ଘଟଣାରେ ବନ୍ତ ଥାନାରେ ସଂଗୀନ ଦଫାରେ ଏକ ମାମଲା ରୁଜୁ କରା ଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ବୈତରଣୀ ଅଞ୍ଚଳର ୧୯ ବର୍ଷୀୟ କ୍ରିଷ୍ଣା ଦାସ ଏବଂ କାହ୍ନା ଦାସ। ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି। ଭଦ୍ରକରୁ ସଂଜୟଦାସଙ୍କରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ମହିଳାଙ୍କୁ ଦୁର୍ବ୍ୟବହାର ଓ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ୍ |

କଟକ ( ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ଥାନା ବାରିକବିନ୍ଧା ଗ୍ରାମର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ସହିତ ତାଙ୍କ ବୃଦ୍ଧ ଶ୍ୱଶୁରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଜଣେ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ସେହି ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ ପୁଅ ସରୋଜ ରାଉତ ବୋଲି ଜଣାଯାଇଛି । ତାଙ୍କ ବିରୋଧରେ ତିହିଡି ଥାନା କେଶ ନମ୍ବର ୨୦୨/୨୬, ଦଫା ୧୨୬(୨), ୧୧୫(୨), ୨୯୬, ୩୫୧(୩) ୭୪, ୭୬ ଓ ୩(୫) ରୁଜୁ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି । ସୁନିଲ ରାଉତଙ୍କ ସ୍ତ୍ରୀ କ୍ରିଷ୍ଣାରାଣୀ ନାୟକଙ୍କ ଅଭିଯୋଗ ମୁତାବକ, ଗତ ୧୯ ତାରିଖ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଅପରପକ୍ଷ ସରୋଜ ରାଉତ ଘର ସାମନାରେ ଛିଡା ହୋଇ ତାଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳଗୁଲଜ୍ କରିଥିଲେ । ଏପରିକି କବାଟକୁ ଧକ୍କା ଓ ଗୋଇଠା ମାରି “ଘରୁ ବାହାରିଆ ନଚେତ୍ ନିଆଁ ଲଗେଇ ଦେବି” ବୋଲି ଧମକ ଦେଇଥିଲା । ପରେ ଘରର ବିଦ୍ୟୁତ୍ ତାର କାଟି ଦେବାକରୁ କ୍ରିଷ୍ଣାରାଣୀ ଦାଣ୍ଡକୁ ପଳେଇ ଆସିବାରୁ ତାଙ୍କ ଚୁଟିକୁ ଧରି ଧକ୍କା ଓ ଗୋଇଠା ମାରିବା ସହ ଶାଢୀ ଓ ବ୍ଲାଉଜକୁ ଚିରି ଦେଇଥିଲା । ଶେଷରେ ତାଙ୍କ ଗଳାକୁ ଚିପି ଜୀବନରୁ ମାରିଦେବାର ଧମକ ଦେଇଥିଲା । ଘଟଣାକୁ ନେଇ କ୍ରିଷ୍ଣାରାଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ପକ୍ଷରୁ ଉଭୟ ପକ୍ଷଙ୍କୁ ଥାନାକୁ ଡକା ଯାଇଥିଲା ମାତ୍ର ଅପରପକ୍ଷ ନଯିବାରୁ ସେ ନିରାଶ ହୋଇ ଫେରିଥିଲେ । ପରେ ଗତ ୨୦ ତାରିଖ ରାତିରେ କ୍ରିଷ୍ଣାରାଣୀଙ୍କ ଶ୍ୱଶୁର ନିମାଇଁ ଚରଣ ରାଉତ(୬୯) ତିହିଡିରୁ ଘରକୁ ଫେରୁଥିବା ବେଳେ କଲେଜ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ସରୋଜ ରାଉତଙ୍କ ସମେତ ଗୌରାଙ୍ଗ ରାଉତ ଓ ରଞ୍ଜନ ରାଉତ ସଂଘବଦ୍ଧ ଭାବରେ ତାଙ୍କୁ ଅଟକାଇ ପ୍ରଥମେ ଗାଳିଗୁଲଜ କରିଥିଲେ । ଧକ୍କା ଓ ଗୋଇଠା ମାରିବା ସହିତ “ତୋ ପୁଅକୁ ଯେପରିଭାବେ ମିଥ୍ୟା କେଶରେ ଫସେଇ ଜେଲ ପଠେଇଛୁ ଠିକ୍ ସେହିପରି ତୋର ଅବସ୍ଥା କରାଯିବ” ବୋଲି କହିବା ସହ ତାଙ୍କୁ ଲୁହା ରଡ୍ ଓ ମାରଣାସ୍ତ୍ରରେ ପିଟିଥିଲେ । ପରେ ତାଙ୍କ ଗଳାକୁ ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ସହ ଆଖିପତାକୁ ପିଟି ରକ୍ତାକ୍ତ କରି ଦେଇଥିଲେ । ପୂନଶ୍ଚ କ୍ରିଷ୍ଣାରାଣୀ ୨୧ ତାରିଖରେ ଥାନାରେ ଦ୍ୱାରସ୍ଥ ହେବାପରେ ପୋଲିସ ପକ୍ଷରୁ ୨୩ ତାରିଖରେ ମାମଲା ରୁଜୁ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ବ୍ରାଉନ୍‌ସୁଗାର ସହ ବାଇକ ଓ ମୋବାଇଲ ଜବତ, ୩ ଗିରଫ |

କଟକ (ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ନୂଆନନ୍ଦ-ହାଟୁଆରୀ ଗ୍ରାମ ରାସ୍ତାରେ ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେମାନେ ବ୍ୟବହାର କରୁଥିବା ଏକ ବାଇକ ଓ ୩ଟି ମୋବାଇଲ ପୋଲିସ ଜବତ କରିଛି । ଏହି ଘଟଣାରେ ଏକ ମାମଲା ୨୦୧/୨୬) ରୁଜୁ ହୋଇଥିବା ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ଥାନା ପରିସରରେ ଅୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାସୁଦେବପୁର ଥାନା ଅଧୀନ ଉରୁଣିଆ ଗ୍ରାମର ମନୋଜ କୁମାର ଦାସ, ଲୁଙ୍ଗାଉରୁଣିଆ ଗ୍ରାମର ଶିବ ସୂତାର ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚାରିଘରିଆ ଗ୍ରାମର ଗୀତାରାଣୀ ବେହେରା । ଅତିରିକ୍ତ ଏସପି ବେହେରାଙ୍କ ସୂଚନା ଅନୁଯାଇ ସେଦିନ ୩ଜଣ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପେଟ୍ରୋଲିଙ୍ଗରେ ଥିବା ଏସଆଇ ପ୍ରକାଶ ନାୟକ ଓ କେତେକ କନେଷ୍ଟବଳ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ । ପରେ ଆଇଆଇସି ନାୟକ ଘଟଣାସ୍ଥଳରେ ପହଞ୍ôଚସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଗୀତାରାଣୀ ଦୀର୍ଘ ୧୫ବର୍ଷ ହେଲା ଏହି କାରବାରରେ ସମ୍ପୃକ୍ତ ଥିବାବେଳେ ତାଙ୍କ ନାଁରେ ୨ଟି ଅବକାରୀ ମକଦ୍ଦମା ରହିଛି ଏବଂ ତାଙ୍କ ବେଆଇନ ନିଶା କାରବାର ଚେର ବିଭିନ୍ନ ଜିଲାକୁ ବ୍ୟାପିଥିବା ସୂଚନା ଦିଆଯାଇଛି । ତେବେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ବେହେରା କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ମହିଳାଙ୍କ ଖୁଲନ୍ତା ମୃତଦେହ ଜବତ ଘଟଣାରେ ଅଭିଯୁକ୍ତ ଗିରଫ |

କଟକ ( ଉତ୍କଳ ନ୍ୟୁଜ ) ୯-୦୫-୨୦୨୬ : ମହିଳାଙ୍କ ଖୁଲନ୍ତା ମୃତଦେହ ଜବତ ଘଟଣାରେ ଅଭିଯୁକ୍ତ ଗିରଫ । ଭଦ୍ରକ ଜିଲ୍ଲା ତିହିଡି଼ ଥାନା ବୋଡ଼କ ପଞ୍ଚାୟତ ଅଧୀନ ନାନ୍ଦୋର ଗ୍ରାମର ସୋନାଲିକା ଜେନା (୪୩) ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଗତ ମାସ ୨୬ତାରିଖରେ ତିହିଡି଼ ପୋଲିସ ଜବତ କରିଥିଲା । ତେବେ ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଶ୍ୱଶୁର ସୁରେନ୍ଦ୍ର ଜେନା ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା (ନଂ ୧୪୬/୨୬)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣା ପଡିଥିଲା । ଇତି ମଧ୍ୟରେ ଏଏସପି ପାର୍ଥ ଜଗଦୀଶ କାଶ୍ୟପ ଓ ତିହିଡି ଆଇଆଇସି ଲୋପାମୁଦ୍ରା ନାୟକ ଘଟଣା ସ୍ଥଳକୁଯାଇ ତଦନ୍ତ କରିଥିଲେ । ତଦନ୍ତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ତେବେ ଏହି ହତ୍ୟା ଘଟଣାରେ ସେହି ଗ୍ରାମର ପ୍ରକାଶ କୁମାର ଯେନା (୩୨)ନାମକ ଜଣେ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ, ତାଙ୍କ ପରିବାର ସହିତ ପଡ଼ୋଶୀଙ୍କର ଗଣ୍ଡଗୋଳ ହେବା ନେଇ ଶତ୍ରୁତା ଉପୁଜିଥିଲା । ପରେ ଏହାର ସମାଧାନ ହୋଇଥିଲେ ମଧ୍ୟ ଆଭ୍ୟନ୍ତରିଣ ବିବାଦ ଲାଗି ରହିଥିଲା । ଅଭିଯୁକ୍ତ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଯାଇ ଗଛରେ ଝୁଲାଇ ଦିଆ ଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଯାହାକୁ ଆଧାର କରି ପୋଲିସ ତଦନ୍ତ କରିବା ସହିତ ଏପରି ସଫଳତା ହାସଲ କରିଥିବା ଜଣାଯାଇଛି । ତିିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ସାମାଜିକ ସଚେତନତା ଓ ଏକତାର ସନ୍ଦେଶ ନେଇ ଆମ୍ବେଦକର ଜୟନ୍ତୀ ଭବ୍ୟ ଉଦ୍ୟାପନ |

କଟକ (ଉତ୍କଳ ନ୍ୟୁଜ ) ୨୩ -୦୪-୨୦୨୬ : ଜୁନାଗଡ଼ ସହରରେ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ଭାରତର ମହାନ ସମ୍ବିଧାନ ନିର୍ମାତା, ସମାଜ ସୁଧାରକ ଓ ଦଳିତ ମହାନାୟକ ବାବା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ବୁଧବାର ଦିନ ଅତ୍ୟନ୍ତ ଧୁମଧାମ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି। ସଂଗ୍ରାମ ସମିତିର ସଭାପତି ରଞ୍ଜନ କୁମାର ଜାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମଗ୍ର ଜୁନାଗଡ଼ ସହରକୁ ଉତ୍ସବମୁଖର କରିଥିଲା।ଏହି ଅବସରରେ ସନ୍ଧ୍ୟା ୪ ଟାରୁ ସହରର ବିଭିନ୍ନ ସ୍ଥାନରେ ଭୀମ ପ୍ରେମୀମାନେ ଏକତ୍ରିତ ହୋଇଥିଲେ। ପରେ ସ୍ଥାନୀୟ ହିଞ୍ଜିଳିବାହିଲି ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା (ରେଲି) ଆୟୋଜନ କରାଯାଇଥିଲା। ଏହି ରେଲିରେ ଶହ ଶହ ଯୁବକ, ଛାତ୍ରଛାତ୍ରୀ, ମହିଳା ଓ ବୃଦ୍ଧମାନେ ଭାଗ ନେଇଥିଲେ। ସେମାନେ “ଜୟ ଭୀମ”, “ବାବା ସାହେବ ଅମର ରହୁନ୍ତୁ” ଇତ୍ୟାଦି ନାରା ଦେଇ ସମଗ୍ର ପରିବେଶକୁ ଦୋହଲାଇ ଦେଇଥିଲେ। ବାଜା, ଢୋଲ, ଡିଜେ ଓ ସାଂସ୍କୃତିକ ସଙ୍ଗୀତର ଧ୍ୱନିରେ ରେଲିଟି ଆକର୍ଷଣୀୟ ହୋଇଥିଲା,ଶୋଭାଯାତ୍ରାଟି ସହରର ପ୍ରମୁଖ ସଡ଼କ ଦେଇ ପରିକ୍ରମା କରି ନୁଆ ବସଷ୍ଟାଣ୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମା ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସମସ୍ତ ଭୀମ ପ୍ରେମୀମାନେ ପ୍ରତିମାରେ ପୁଷ୍ପମାଳା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଏକ ସାର୍ବଜନୀନ ସଭା ଆୟୋଜିତ ହୋଇଥିଲା।ସଭାରେ ନରେନ୍ଦ୍ର କ୍ଷିତି ଓ ପ୍ରେମଲାଲ ବାଗ, ଦକ୍ଷତା ସହିତ ପରିଚାଳନା କରିଥିବା ବେଳେ,ସମ୍ମାନୀୟ ଅତିଥି ଭାବେ ଉଦ୍ଧବ ଚରଣ ସାହୁ, ଭବସିନ୍ଧୁ ମଙ୍ଗରାଜ,ଦୁର୍ଗା ପ୍ରସାଦ ନାଏକ,ବିଶ୍ୱନାଥ କର, ହିମାଦ୍ରୀ ସିନ୍ଦୂର ଓ ଚମ୍ପକ ଅଗ୍ରୱାଲ ବଳଜୀ ଯାଦବ, ରାଜେଶ ଅଗ୍ରୱାଲ,ଅଶୋକ ଅଗ୍ରୱାଲ,ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ବାବା ସାହେବଙ୍କ ଜୀବନୀ, ତାଙ୍କର ସଂଘର୍ଷମୟ ଜୀବନ ଓ ସମାଜ ପାଇଁ ତାଙ୍କର ଅପୂର୍ବ ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ସମାନତା, ଶିକ୍ଷା, ଅଧିକାର ସଚେତନତା ଓ ସାମାଜିକ ନ୍ୟାୟ ପାଇଁ ବାବା ସାହେବଙ୍କ ଦୃଷ୍ଟିକୋଣକୁ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ।ଏହା ଦ୍ୱାରା ଉପସ୍ଥିତ ଲୋକମାନେ ପ୍ରେରିତ ହୋଇଥିଲେ।ସମିତିର କର୍ମକର୍ତ୍ତା ପୁର୍ନେନ୍ଦୁ ମାଝୀ, ମିନୁ କନ୍ଦ ପାନ, ସୁଶାନ୍ତ ନାଏକ, ରତନ ଧଂଗଡା ମାଝୀ,ଧରଣୀ ଭୋଇ,ଅଞ୍ଜନ କ୍ଷିତି, ଘାସିରାମ କ୍ଷିତି,ବିଜେନ୍ଦ୍ର କ୍ଷିତି,ଭଜନ କ୍ଷିତି, ଶିବ ମହାନନ୍ଦ, ଗୌରାଙ୍ଗ ମାଝୀ,ବୀରେନ୍ଦ୍ର ବାଗ, ଗୌରବ ନାଏକ ଏବଂ ମିଡ଼ିଆ ସେଲ ରୁ ରବିଶଙ୍କର ସୁନାନୀ, ସୁନ୍ଦରମୋହନ ଛତ୍ରିଆ, କୁମରମଣୀ ଦୁର୍ଗା, ଭୋକର୍ଧନ ଧଙ୍ଗଡ଼ାମାଝି, ଆଦିତ୍ୟ ମହାନ୍ତି ଏବଂ ବ୍ୟମୋକେଶ ପୁରୋହିତ ଙ୍କ ସମେତ , ସେବକ ଓ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସୁସଂଗଠିତ ଓ ସ୍ଥାନୀୟ ପୋଲିସ ସହଯୋଗରେ ସଫଳ ଭାବେ ସମାପ୍ତ ହୋଇଥିଲା। ଏହି ମହାନ ଅବସରରେ ଜୁନାଗଡ଼ ସହର ସହିତ ଆଖ ପାଖ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ଭୀମ ପ୍ରେମୀ ଉପସ୍ଥିତ ରହି ବାବା ସାହେବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ,ସମଗ୍ର କାର୍ଯ୍ୟକ୍ରମ ଜୁନାଗଡ଼ରେ ସାମାଜିକ ସଚେତନତା, ଏକତା ଓ ଭାଇଚାରାର ଏକ ଉଜ୍ଜ୍ୱଳ ଦୃଶ୍ୟ ପ୍ରଦର୍ଶନ କରିଥିଲା, ଯାହା ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ଯୋଗାଇବ । କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...

ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ ଉଦ୍‌ଘାଟନ |

କଟକ ( ଉତ୍କଳ ନ୍ୟୁଜ ) ଅନୁଗୋଳରେ ତ୍ରୟୋଦଶତମ ଅନୁଗୋଳ ମହୋତ୍ସବ-୨୦୨୬ର ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଅନୁଗୋଳ ମାଟି ସଂସ୍କୃତି, ପରମ୍ପରା ଓ ଆତିଥ୍ୟରେ ସଦା ଅନନ୍ୟ ରହିଛି ଏବଂ ଏହି ମହୋତ୍ସବ ଏହି ଅଞ୍ଚଳର ସାମୁଦାୟିକ ଏକତା ଓ ସାଂସ୍କୃତିକ ଗର୍ବକୁ ଆହୁରି ମଜବୁତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନୁଗୋଳ ଜିଲ୍ଲା ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ହୋଇ ସଂସ୍କୃତି, ପ୍ରାକୃତିକ ସମ୍ପଦ ଓ ଶିଳ୍ପ ଉନ୍ନତିର ଏକ ସୁଦୃଢ ମିଶ୍ରଣ ଭାବେ ଉଭା ହୋଇଛି। ସାତକୋଶିଆ ଅଞ୍ଚଳ, ମହାନଦୀ ଓ ବ୍ରାହ୍ମଣୀ ନଦୀ ଏବଂ ପର୍ବତମାଳା, ଅନୁଗୋଳ ଜିଲ୍ଲା ପର୍ଯ୍ୟଟନା ଶିଳ୍ପ ବିକାଶରେ ଗୁରୁତ୍ୱ ରଖୁଥିବାବେଳେ, ନାଲକୋ, ଏମସିଏଲ୍ ଓ ଏନ୍‌ଟିପିସି ଭଳି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ଏହି ଜିଲ୍ଲାକୁ ଦେଶର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ରରେ ପରିଣତ କରିଛି। ସେ କହିଥିଲେ ଯେ ଅନୁଗୋଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ଏହାର ପ୍ରକୃତ ଶକ୍ତି। ଶୈଳ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ପୀଠ, ମା ହିଙ୍ଗୁଳା ପୀଠ ସହିତ ବିଭିନ୍ନ ପୂଜାସ୍ଥଳୀ ଏହି ଅଞ୍ଚଳର ଧାର୍ମିକ ଐତିହ୍ୟକୁ ଶକ୍ତିଶାଳୀ କରିଛି। ସ୍ଥାନୀୟ ଯାତ୍ରା, ଲୋକନୃତ୍ୟ ଓ ଲୋକଗୀତ ଅନୁଗୋଳର ସାଂସ୍କୃତିକ ଚିହ୍ନଟକୁ ଆହୁରି ଉଜାଗର କରୁଛି। ମୁଖ୍ୟମନ୍ତ୍ରୀ ଅନୁଗୋଳର ଐତିହାସିକ ଅବଦାନକୁ ସ୍ମରଣ କରି ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ, ନୃସିଂହ ରାୟଗୁରୁ ଓ ରାଧାମୋହନ ଗଡନାୟକଙ୍କ ଭଳି ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ ଏହି ଜିଲ୍ଲାର ସଂଗ୍ରାମ ଓ ସେବା ଭାବନା ଓଡ଼ିଶା ଗଠନରେ ଗୁରୁତ୍ୱପୂର୍ଣ୍ଣ ରହିଛି। ଶିଳ୍ପ ଓ ଉର୍ଜା କ୍ଷେତ୍ରରେ ଅନୁଗୋଳର ଭୂମିକାକୁ ଉଲ୍ଲେଖ କରି ସେ କହିଥିଲେ ଯେ ବିସ୍ତୀର୍ଣ୍ଣ କୋଇଲା ଖଣି ଓ ତାପଜ ବିଦ୍ୟୁତ କେନ୍ଦ୍ର ଯୋଗୁଁ ଏହି ଜିଲ୍ଲା ରାଜ୍ୟର ଶକ୍ତି କେନ୍ଦ୍ର ଭାବେ ପରିଚିତ ହେଉଛି। ତାଳଚେରରେ ପ୍ରସ୍ତାବିତ Integrated Surface Coal Gasification Plant ଭବିଷ୍ୟତରେ ଉର୍ଜା ସୁରକ୍ଷା ଓ ନିଯୁକ୍ତି ସୃଷ୍ଟିରେ ନୂଆ ଦିଗ ଖୋଲିବ ବୋଲି ସେ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ ପାରାଦୀପରୁ ରାଉରକେଲା ପର୍ଯ୍ୟନ୍ତ ଏକ ବିଶାଳ ଶିଳ୍ପ କରିଡର ଗଠନ ଯୋଜନା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଗତି ଦେବ ଏବଂ ଏହାର କେନ୍ଦ୍ରସ୍ଥଳ ଭାବେ ଅନୁଗୋଳ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ ପୂର୍ବବର୍ଷ ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ପରେ, ଏହି ବର୍ଷ ମଧ୍ୟ ଅନୁଗୋଳ ପାଇଁ ୫୫୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖାଯାଇଛି। ଏଥିରେ ସଡ଼କ, ସେତୁ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଅଙ୍ଗନବାଡ଼ୀ, ଛାତ୍ରାବାସ ଓ କ୍ରୀଡ଼ା ଭିତ୍ତିଭୂମି ସମ୍ମିଳିତ ଅଛି, ଯାହା ଜିଲ୍ଲାର ସମଗ୍ର ବିକାଶକୁ ସୁନିଶ୍ଚିତ କରିବ। ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା , କନ୍ୟା ବିବାହ ଯୋଜନା ଓ କନ୍ୟା ସୁମଙ୍ଗଳ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ କୃଷକ, ମହିଳା, ଯୁବ ଓ ଗରିବ ବର୍ଗଙ୍କ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ଅବସରରେ ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନୁଗୋଳ ବାସୀଙ୍କ ପାଇ ବିକାଶର ନକ୍ସା ପ୍ରସ୍ତୁତ କରିଛନ୍ତି । ଶିଳ୍ପ ଖାଦାନ ରତ୍ନଗର୍ଭା ଅନୁଗୋଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ପଥରେ ଆଗେଜଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇ କହିଥିଲେ ଯେ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ଯାହାବି ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି ।
ତେଣୁ ରାଜ୍ୟସରକାରଙ୍କୁ ଅନୁଗୋଳ ଜିଲ୍ଲା ରାଜସ୍ୱ ଦେବାରେ ନିଶ୍ଚୟ ସହାୟକ ହେବ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ରତାର ସହ ଅଞ୍ଚଳବାସୀ ଭୋଗୁଥିବା ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରିବା ପାଇ ଅନୁରୋଧ କରିଥିଲେ । ସେ ପବିତ୍ର ମୋହନ ମେଡିକାଲ କଲେଜରେ ଆହୁରି ଅଧିକ ଡାକ୍ତର କିପରି ନିଯୁକ୍ତ ହେଇପାରିବେ ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଥିଲେ ଏହି ଅବସରରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଓ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସହ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ସଭା ଶେଷରେ ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Read More ...

ALL NEWS