କଟକ (ଉତ୍କଳ ନ୍ୟୁଜ ) ୧୧-୧୨-୨୦୨୪ : କଟକ ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଲାଗି ସମନ୍ୱୟ କମିଟି ବୈଠକ ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସହେବ ଶିନ୍ଦେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃଆରୀ ମାସ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ବାତଜ୍ୱର ସାମୁହିକ ଔଷଧ ସେବନ କାର୍ଯକ୍ରମ ଚାଲୁରହିବ। ଏହି କାର୍ଯକ୍ରମ କେବଳ ଆଠଗଡ଼, ତିଗିରିଆ, ସୁବର୍ଣ୍ଣପୁର, ବଡମ୍ବା ଏବଂ ସାଲେପୁର ବ୍ଲକରେ କାର୍ଯକାରୀ ହେବ। ଏଥିରେ ସମୁଦାୟ ୭୩୯୮୭୧ ଜନସଂଖ୍ୟା ପାଇଁ, ୨୯୫୭ ଜଣ ଔଷଧ ସେବନକାରି କର୍ମି , ୨୯୬ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ରହିବେ। ଚଳିତ ବର୍ଷ ଯେପରି ଏହିସବୁ ବ୍ଲକ ରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଔଷଧ ଖାଇପାରିବେ ତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ପ୍ରଶାନ୍ତ କୁମାର ହୋତା ଯୋଗଦେଇ ଫାଇଲରିଆ ନିରାକରଣ କାର୍ଯକ୍ରମରେ ସମସ୍ତ ବିଭାଗ ମିଳିମିଶି କାମ କଲେ ଜିଲ୍ଲାକୁ ସମ୍ପୂର୍ଣ ବାତଜ୍ଵର ମୁକ୍ତ କରାଯାଇପାରିବ ବୋଲି କହିଥିଲେ । ଏହି ଔଷଧ ଆଶା, ଅଙ୍ଗନୱାଡ଼ି କର୍ମୀମାନଙ୍କ ଦ୍ଵାରା ଘରକୁ ଘର ବୁଲି ତଥା ସ୍କୁଲ କଲେଜ ଓ ଅନ୍ୟ ଅନୁଷ୍ଠାନ ମାନଙ୍କୁ ଯାଇ ଫାଇଲେରିଆ ବଟିକା ଖୁଆଇବେ। ତେବେ ଏହି ବଟିକା ସେବନ ପୂର୍ବରୁ ଖାଦ୍ୟ ଖାଇବା ସୁନିଶ୍ଚିତ କରିବା ଆବଶ୍ୟକ। ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ତୃପ୍ତି ରାଣୀ ନାୟକ ଜିଲ୍ଲାରେ ଫାଇଲେରିଆ ବିଷୟରେ ପାୱାର ପଏଣ୍ଟ ମାଧ୍ୟମ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟରୁ ଆସିଥିବା ଜଏଣ୍ଟ ଡାଇରେକ୍ଟର ଡା. ଶୁଭାଶିଷ ମହାନ୍ତି ଫାଇଲେରିଆ ପ୍ରବଣ ଗାଁ ମାନଙ୍କରେ ଓ ସହରାଞ୍ଚଳରେ କିପରି ସଚେତନତା କାର୍ଯକ୍ରମ କରି ସମସ୍ତ ଲୋକ ଔଷଧ ଖାଇପରିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ |