କଟକ (ଉତ୍କଳ ନ୍ୟୁଜ) ୧୪/୧୧/୨୦୨୬ : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା। ଏହାର ଗତିପଥ, ପବନର ବେଗ ଓ ତୀବ୍ରତାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି। ଆକଳନ ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ସମୁଦ୍ର ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ୧୮ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମିଟର ରହିପାରେ। ଦଲକା ପବନର ବେଗ ୧୦୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ତେବେ ଏହି ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରହିଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୭ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷା ଆରମ୍ଭ ହୋଇପାରେ। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ସେହିପରି ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ଆଗାମୀ ଦିନରେ ପାଣିପାଗ ବିଭାଗର ସତର୍କ ସୂଚନା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଉତ୍କଳ ନ୍ୟୁଜ