ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଆଶଙ୍କା , ୧୬ ତାରିଖରେ ବାତ୍ୟା ନେଇ ବଢ଼ିଲା ଚିନ୍ତା !

41

କଟକ (ଉତ୍କଳ ନ୍ୟୁଜ)୧୩/୧୧/୨୦୨୬ : ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଧୀରେ ଧୀରେ ଶକ୍ତିଶାଳୀ ହେଉଛି ସମୁଦ୍ରରେ ସୃଷ୍ଟ ଲଘୁଚାପ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୧୬ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣିଝଡ଼ର ରୂପ ନେଇପାରେ। ସୂଚନା ଅନୁସାରେ, ଆଜି ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୪ ତାରିଖରେ ଅଧିକ ସଂଗଠିତ ହେବା ସହ ସ୍ପଷ୍ଟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ସେହିପରି ନଭେମ୍ବର ୧୫ ତାରିଖ ସକାଳ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ମଧ୍ୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ର ରୂପ ନେବା ନେଇ ଆକଳନ କରାଯାଉଛି। ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆଗାମୀ ଦିନରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ବାତ୍ୟାର ପ୍ରକୃତ ଗତିପଥ ଓ ପ୍ରଭାବ ନେଇ ଏବେଠାରୁ କୌଣସି ଚୂଡ଼ାନ୍ତ ଆକଳନ କରାଯାଇନାହିଁ। ଉତ୍କଳ ନ୍ୟୁଜ