ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ କଟକ ପ୍ରଶାସନର ବଡ଼ ପଦକ୍ଷେପ | ୨୦ ନଭେମ୍ବରରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ |

736

କଟକ ( ଉତ୍କଳ ନ୍ୟୁଜ ) ୧୯-୧୧-୨୬ : ସମ୍ଭାବ୍ୟ ଭୀଷଣ ବାତ୍ୟା ଅକୱାନ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ପବନର ମୁକାବିଲା କରିବା ସହ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କଟକ ଜିଲ୍ଲା ପାଇଁ orange warning ଜାରି ହୋଇଥିବା ବେଳେ ୨୦ ଓ ୨୧ ନଭେମ୍ବରରେ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଣିପାଗର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଚୁକ ସମୟରେ ନଦୀଘାଟ ଓ ନଦୀକୂଳ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ଉପରେ ପ୍ରଶାସନ କଟକଣା ଲଗାଇଛି। ଜିଲ୍ଲାପାଳ ଜାରି କରିଥିବା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ, ୨୦ ନଭେମ୍ବରରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଟକ ଜିଲ୍ଲା ଅଧୀନରେ ପଞ୍ଚୁକ ବ୍ରତ ପାଳନ ହେଉଥିବା ସମସ୍ତ ନଦୀଘାଟ ଓ ମନ୍ଦିର ସାଧାରଣ ଭକ୍ତ ଏବଂ ଜନସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ମନ୍ଦିରଗୁଡ଼ିକର ଦୈନନ୍ଦିନ ନୀତିକାନ୍ତି ପରମ୍ପରା ଅନୁଯାୟୀ ଅଧିକୃତ ସେବାୟତ ଓ ପୂଜକଙ୍କ ଦ୍ୱାରା ବିନା ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେବ। ସେହିପରି ୨୦ ଓ ୨୧ ନଭେମ୍ବର ପର୍ଯ୍ୟନ୍ତ କିମ୍ବା ବାତ୍ୟା ସତର୍କ ସୂଚନା ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ନଦୀଘାଟକୁ ଯାତାୟତ, ନଦୀରେ ସ୍ନାନ ଓ ପବିତ୍ର ବୁଡ଼ ପକାଇବା ଏବଂ ଧାର୍ମିକ କାର୍ଯ୍ୟ ସମ୍ପର୍କିତ ଘରୋଇ ଓ ବାଣିଜ୍ୟିକ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ତେବେ ଆଇନଶୃଙ୍ଖଳା ରକ୍ଷାକାରୀ କର୍ମଚାରୀ, ବିପର୍ଯ୍ୟୟ ମୁକାବିଲା ଦଳ, ଜରୁରୀକାଳୀନ ଓ ଚିକିତ୍ସା ସେବା, ଅଗ୍ନିଶମ ବିଭାଗ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଏବଂ ମନ୍ଦିରର ଅଧିକୃତ ସେବାୟତମାନଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ କଲେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ୨୦ ନଭେମ୍ବରରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ, କଲେଜ, ଆଇଟିଆଇ, ପଲିଟେକ୍ନିକ୍, ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଅଙ୍ଗନବାଡ଼ି ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ବଦଳରେ ଟେକ୍-ହୋମ୍ ରାସନ୍ ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ, ବାତ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ନୋଡାଲ ଅଫିସର ନିୟୋଜିତ ହୋଇଛନ୍ତି। ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରୁଛନ୍ତି। ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ସାପୁଆ ନଦୀରେ ନଦୀବନ୍ଧ ଯାଞ୍ଚ ସହ ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜାରି ରହିଛି। ବାତ୍ୟା ସମୟରେ ଅଯଥାରେ ଘରୁ ବାହାରକୁ ନ ଯିବା, ନଦୀଘାଟ ଓ ଜଳାଶୟ ନିକଟକୁ ନ ଯିବା ଏବଂ ପ୍ରଶାସନର ସମସ୍ତ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।