କଟକ (ଉତ୍କଳ ନ୍ୟୁଜ) ୧୪/୧୧/୨୦୨୬ : ଚଳିତବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବ ଆହୁରି ସ୍ୱତନ୍ତ୍ର ଓ ସ୍ମରଣୀୟ। ଏଥର ମହୋତ୍ସବରେ ସାମିଲ ହେବେ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ କଟକରେ ପହଞ୍ଚିବା ପରେ ସେ ବାଲିଯାତ୍ରା ମହୋତ୍ସବକୁ ଉଦ୍ଘାଟନ କରିବେ। ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ ଗସ୍ତ ସମ୍ପର୍କିତ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଆୟୋଜିତ ହେବ ଏହି ଐତିହାସିକ ମହୋତ୍ସବ। ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏଥରର ମୁଖ୍ୟ ଆକର୍ଷଣ ପାଲଟିବ। ଏହା କେବଳ କଟକ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି। ମହୋତ୍ସବକୁ ଆହୁରି ଆକର୍ଷଣୀୟ ଓ ଭବ୍ୟ କରିବା ଲାଗି ରାଜ୍ୟ ସରକାରଙ୍କ ସମେତ କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଚଳିତବର୍ଷ ଉପର ପଡ଼ିଆ ସହିତ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବ। ଏହାଦ୍ୱାରା ଅଧିକ ସଂଖ୍ୟକ ଷ୍ଟଲ୍ ସ୍ଥାପନ ସହ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ। ସେହିପରି ମହୋତ୍ସବ ସମୟରେ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥାକୁ ନେଇ ପ୍ରଶାସନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ପାର୍କିଂ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯିବ। ସବୁ ମିଶାଇ ଚଳିତବର୍ଷର ବାଲିଯାତ୍ରା କେବଳ ବାଣିଜ୍ୟ ଓ ସଂସ୍କୃତିର ମହାମିଳନ ନୁହେଁ, ବରଂ ରାଷ୍ଟ୍ରପତିଙ୍କ ଯୋଗଦାନ ପାଇଁ ଏକ ଐତିହାସିକ ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିବାକୁ ଯାଉଛି।