ମଙ୍ଗଳପୁର ପଞ୍ଚାୟତରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା କେନ୍ଦ୍ର |

508

କଟକ ( ଉତ୍କଳ ନ୍ୟୁଜ ) ୧୯-୧୧-୨୬ : ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ସହ ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ରଖିବା ଦିଗରେ ତିହିଡ଼ି ବ୍ଲକର ମଙ୍ଗଳପୁର ପଞ୍ଚାୟତରେ ଏକ ଅଭିନବ ପଦକ୍ଷେପ ନିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ୫ ଟନ୍ ପ୍ରତିଦିନ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ୟୁନିଟ୍ ତଥା ବ୍ଲକ୍ ସ୍ତରୀୟ ବର୍ଜ୍ୟ ପୃଥକୀକରଣ କେନ୍ଦ୍ର ସ୍ଥାପନ କରାଯିବ । ଏଥିପାଇଁ ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଜମିର ସୀମା ନିର୍ଦ୍ଧାରଣ କାର୍ଯ୍ୟ ତିହିଡ଼ିର ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା କରାଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ଯୁବନେତା ସରୋଜ ମହାନ୍ତି, କମଳାକାନ୍ତ ଲେଙ୍କାଙ୍କ ସମେତ ବହୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରକଳ୍ପ ଅନୁଯାୟୀ, ପଞ୍ଚାୟତରୁ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିବା ପାଇଁ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ ଏଥିପାଇଁ ରିକ୍ସା ମଧ୍ୟ ଯୋଗାଇ ଦିଆଯିବ । ସଂଗୃହୀତ ପ୍ଲାଷ୍ଟିକ୍ ବର୍ଜ୍ୟକୁ କେନ୍ଦ୍ରରେ ପୃଥକୀକରଣ ଓ ପ୍ରକ୍ରିୟାକରଣ କରାଯାଇ ପରବର୍ତ୍ତୀ ପ୍ରକ୍ରିୟା ପାଇଁ କାରଖାନାକୁ ପଠାଯିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପଞ୍ଚାୟତ ଅଞ୍ଚଳରେ ଏଣେତେଣେ ପଡ଼ି ରହୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟର ସୁପରିଚାଳନା ହୋଇପାରିବ । ଏଥିସହ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳର ପରିବେଶ ସୁରକ୍ଷାରେ ଏହା ବିଶେଷ ସହାୟକ ହେବ । ତିହିଡ଼ି ବ୍ଲକରେ ଏହା ପ୍ରଥମ ଧରଣର ପ୍ରକଳ୍ପ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଶା ସୃଷ୍ଟି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |