କଟକ (ଉତ୍କଳ ନ୍ୟୁଜ ) ୨୨-୧୦-୨୦୨୪ : ଅଜଣା ଲୋକକୁ ଘର ଭଡା ଦେଇ ଫସିଗଲେ ବୃଦ୍ଧ ଦମ୍ପତି । ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ୪୮ ହାଜର ଟଙ୍କା । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ପରମାନନ୍ଦପୁର ଛକ ନିକଟରେ । ସୂଚନା ମୁତାବକ ମାଳବାଡ଼ ଗ୍ରାମର ଜୟଦେବ ରାଉତ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାର ପାରମାନନ୍ଦପୁର ଛକ ନିକଟରେ ଏକ ତିନି ମହଲା ବିଶିଷ୍ଟ ଘର କରି ନିଜେ ରହିବା ସହ ଅନ୍ୟ ଘର ଗୁଡିକୁ ଭଡାରେ ଲଗାଇଥାନ୍ତି । ଦୁଇ ଦିନେ ପୂର୍ବେ ତିନି ଜଣ ଯୁବକ ଘର ଭଡା ନେବା ପାଇଁ ପହଞ୍ଚିଥିଲେ । ଘର ମାଲିକ ତାଙ୍କୁ ପ୍ରଥମେ ଆଧାର କାର୍ଡ ମାଗିଥିଲେ । ଆଧାର କାର୍ଡ ଭୁଲିଯାଇଛୁ ଆସନ୍ତା କାଲି ଦେବୁ କହି ବିଶ୍ୱାସ ଜନ୍ମାଇ ଘରେ ରହିଥିଲେ । ଧାମରା ରେଳପଥରୁ କୋଇଲା ଚୋରି ରୋକିବା ପାଇଁ ସେମାନେ ସିକ୍ୟୁରିଟ ଗାର୍ଡ ଭାବେ କାମ କରୁଛନ୍ତି ବୋଲି ନିଜର ପରିଚୟ ଦେଇଥିଲେ ଓ ସେମାନେ କେବଳ ରାତିରେ ଡ୍ୟୁଟି କରନ୍ତି ବୋଲି କହିଥିଲେ। ୧୭ ତାରିଖ ଦିନ ଘରଭଡା ନେଇ ରାତିରେ ସେମାନେ ରହି ନଥିଲେ ୧୮ ତାରିଖ ଦିନ ସନ୍ଧ୍ୟାରୁ କୁଆଡ଼େ ଚାଲି ଯାଇଥିଲେ । ରାତ୍ରି ପ୍ରାୟ ୧୨ ଘଟିକାରେ ସମୟରେ ଘର ମାଲିକ ରହୁଥିବା ତୃତୀୟ ମହଲାରେ ପହଞ୍ଚି କବାଟ ବଡେଇଥିଲେ । ଘର ମାଲିକ କବାଟ ଖୋଲିବା ପରେ ବୃଦ୍ଧା ଦମ୍ପତିଙ୍କ ବେକରେ ଭୁଜାଲି ଲଗାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ନଗତ ୨୦ ହାଜର ଟଙ୍କା ଓ ଫୋନ-ପେରୁ ୨୮ ଟଙ୍କା ଦୁଇଟି ମୋବାଇଲ ଲୁଟିନେବା ସହ ବହାରପଟୁ କବାଟ ବନ୍ଦ କରି ପଳାଇ ଯାଇଥିଲେ । ସକାଳେ ବିଳମ୍ବ ହେବାରୁ ଅନ୍ୟ ଭଡାଟିଆ ମାନଙ୍କ ସହାୟତାରେ ବୃଦ୍ଧ ଦମ୍ପତି ଘରୁ ବାହାରକୁ ଆସିଥିଲେ। ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ସନ୍ଧାନୀ କୁକୁର ପହଞ୍ଚି ସହାୟତାରେ ତଦନ୍ତ ଚଳାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |