ମହିଳାଙ୍କୁ ଦୁର୍ବ୍ୟବହାର ଓ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ୍ |

49

କଟକ ( ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ଥାନା ବାରିକବିନ୍ଧା ଗ୍ରାମର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ସହିତ ତାଙ୍କ ବୃଦ୍ଧ ଶ୍ୱଶୁରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଜଣେ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ସେହି ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ ପୁଅ ସରୋଜ ରାଉତ ବୋଲି ଜଣାଯାଇଛି । ତାଙ୍କ ବିରୋଧରେ ତିହିଡି ଥାନା କେଶ ନମ୍ବର ୨୦୨/୨୬, ଦଫା ୧୨୬(୨), ୧୧୫(୨), ୨୯୬, ୩୫୧(୩) ୭୪, ୭୬ ଓ ୩(୫) ରୁଜୁ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାଯାଇଛି । ସୁନିଲ ରାଉତଙ୍କ ସ୍ତ୍ରୀ କ୍ରିଷ୍ଣାରାଣୀ ନାୟକଙ୍କ ଅଭିଯୋଗ ମୁତାବକ, ଗତ ୧୯ ତାରିଖ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଅପରପକ୍ଷ ସରୋଜ ରାଉତ ଘର ସାମନାରେ ଛିଡା ହୋଇ ତାଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳଗୁଲଜ୍ କରିଥିଲେ । ଏପରିକି କବାଟକୁ ଧକ୍କା ଓ ଗୋଇଠା ମାରି “ଘରୁ ବାହାରିଆ ନଚେତ୍ ନିଆଁ ଲଗେଇ ଦେବି” ବୋଲି ଧମକ ଦେଇଥିଲା । ପରେ ଘରର ବିଦ୍ୟୁତ୍ ତାର କାଟି ଦେବାକରୁ କ୍ରିଷ୍ଣାରାଣୀ ଦାଣ୍ଡକୁ ପଳେଇ ଆସିବାରୁ ତାଙ୍କ ଚୁଟିକୁ ଧରି ଧକ୍କା ଓ ଗୋଇଠା ମାରିବା ସହ ଶାଢୀ ଓ ବ୍ଲାଉଜକୁ ଚିରି ଦେଇଥିଲା । ଶେଷରେ ତାଙ୍କ ଗଳାକୁ ଚିପି ଜୀବନରୁ ମାରିଦେବାର ଧମକ ଦେଇଥିଲା । ଘଟଣାକୁ ନେଇ କ୍ରିଷ୍ଣାରାଣୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ପକ୍ଷରୁ ଉଭୟ ପକ୍ଷଙ୍କୁ ଥାନାକୁ ଡକା ଯାଇଥିଲା ମାତ୍ର ଅପରପକ୍ଷ ନଯିବାରୁ ସେ ନିରାଶ ହୋଇ ଫେରିଥିଲେ । ପରେ ଗତ ୨୦ ତାରିଖ ରାତିରେ କ୍ରିଷ୍ଣାରାଣୀଙ୍କ ଶ୍ୱଶୁର ନିମାଇଁ ଚରଣ ରାଉତ(୬୯) ତିହିଡିରୁ ଘରକୁ ଫେରୁଥିବା ବେଳେ କଲେଜ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ସରୋଜ ରାଉତଙ୍କ ସମେତ ଗୌରାଙ୍ଗ ରାଉତ ଓ ରଞ୍ଜନ ରାଉତ ସଂଘବଦ୍ଧ ଭାବରେ ତାଙ୍କୁ ଅଟକାଇ ପ୍ରଥମେ ଗାଳିଗୁଲଜ କରିଥିଲେ । ଧକ୍କା ଓ ଗୋଇଠା ମାରିବା ସହିତ “ତୋ ପୁଅକୁ ଯେପରିଭାବେ ମିଥ୍ୟା କେଶରେ ଫସେଇ ଜେଲ ପଠେଇଛୁ ଠିକ୍ ସେହିପରି ତୋର ଅବସ୍ଥା କରାଯିବ” ବୋଲି କହିବା ସହ ତାଙ୍କୁ ଲୁହା ରଡ୍ ଓ ମାରଣାସ୍ତ୍ରରେ ପିଟିଥିଲେ । ପରେ ତାଙ୍କ ଗଳାକୁ ଚିପି ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ସହ ଆଖିପତାକୁ ପିଟି ରକ୍ତାକ୍ତ କରି ଦେଇଥିଲେ । ପୂନଶ୍ଚ କ୍ରିଷ୍ଣାରାଣୀ ୨୧ ତାରିଖରେ ଥାନାରେ ଦ୍ୱାରସ୍ଥ ହେବାପରେ ପୋଲିସ ପକ୍ଷରୁ ୨୩ ତାରିଖରେ ମାମଲା ରୁଜୁ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |