କଟକ (ଉତ୍କଳ ନ୍ୟୁଜ ) ୧୨-୧୧-୨୦୨୪ : ଦଳିତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମାମଲା ରୁଜୁକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଏହାର ସୁଯୋଗରେ ଅଭିଯୁକ୍ତମାନେ ପୂନଶ୍ଚ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଘଟଣା ପଦାକୁ ଆସିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା କରଞ୍ଜମାଳ ଫାଣ୍ଡିଧିନ ସରସ୍ୱତୀ ଗାଁରୁ । ଏହି ଗାଁ ଅଭୟ ମାଝୀଙ୍କ ସ୍ତ୍ରୀ ସଞ୍ଜିତା ମାଝୀଙ୍କୁ ଅପରପକ୍ଷ ପଞ୍ଚାନନ ବେହେରା ଓ ତାଙ୍କ ସ୍ତ୍ରୀ ସୁଶାନ୍ତିଲତା ବିଶ୍ୱାଳ ମିଳିତଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତ ୩୧.୧୦.୨୪ ରିଖ ସକାଳ ପ୍ରାୟ ୯ ଘଟିକା ସମୟରେ ଏପରି ଘଟଣା ଘଟିଛି । ଅଭୟଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜାଗାକୁ ଅପରପକ୍ଷ ବାଡ ବୁଜିଥିଲେ । ଏହା ଫଳରେ ପୀଡିତ ପରିବାର ବାହାରକୁ ଯିବା ଆସିବା କରିବା ସମ୍ଭବ ହେବ ନାହିଁ ବୋଲି ପ୍ରତିବାଦ କରିବାରୁ ଅଭିଯୁକ୍ତ ଦୁହେଁ ଶୁଣିନଥିଲେ । ବରଂ “ଆମେ ସରକାରୀ ଜାଗାରେ ବାଡ ପୋତିଲୁ ତମେ କିଏ କରିବ” ବୋଲି କହିଥିଲେ । ଅଭିଯୋଗକାରୀ ପକ୍ଷ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରିବାକୁ ଯାଉଥିବା ବେଳେ ଅପରପକ୍ଷ ସ୍ୱାମୀ ସ୍ତ୍ରୀ ମିଳିତଭାବେ ହାତରେ ଲୁହା ରଡ ଦୌଡି ଆସି ଜାତିଗୋତ୍ର ଉଠାଇ ଗାଳି ଗୁଲଜ କରିବା ସହିତ ସଞ୍ଜିତା ମାଝୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ତାଙ୍କ ଚୁଟିକୁ ଧରି ଗୋଇଠା ମାରିବା ସହିତ ମୁଣ୍ଡ, ପିଠି, ଅଣ୍ଟା ଓ ବେକକୁ ରଡରେ ପିଟିଥିଲେ । ପରିବାର ଲୋକଙ୍କ ସମେତ ଗ୍ରାମର କେତେକ ଲୋକ ଦୌଡି ଆସି ଛଡାଇବାରୁ ସଞ୍ଜିତାଙ୍କ ଜୀବନ ବଞ୍ôଚ ଯାଇଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଥିଲା ଏବଂ ସେମାନେ ପାଣ୍ଡିକୁ ଯାଇଥିଲେ ଏତାଲ ଦେବାକୁ । ସଞ୍ଜିତାଙ୍କ ରକ୍ତାକ୍ତ ଅବସ୍ଥା ଦେଖି ପୋଲିସ ତୁରନ୍ତ ସେମାନଙ୍କୁ ଗାଡିଯୋଗେ ବାସୁଦେବପୁର ମେଡିକାଲକୁ ପଠାଇ ଦେଇଥିଲା ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ତେବେ ନଭେମ୍ବର ମାସ ୧ ତାରିଖରେ ଅଭୟ ବାଂଶଡା ଥାନାରେ ଏତଲା ଦେଇଥିଲେ ଏବଂ ୪ ତାରିଖରେ ପୋଲିସକୁ ଭେଟିବାରୁ ପୁରୁଣା ଏତଲା ଚଳିବ ନାହିଁ ଏବଂ ନୂଆକରି ଏତଲା ଦେବାକୁ ବାଧ୍ୟ କରାଯାଇଥିଲା । ଯାହାକୁ ନେଇ ଅଭୟ ପୂନଶ୍ଚ ଏତଲା ଦେଇଥିଲେ । ହେଲେ ଅଭିଯୁକ୍ତମାନଙ୍କ ବିରୋଧରେ ପଦକ୍ଷେପ ନେବା ଦୂରର କଥା ଏତଲା ମୂଳେ ଯେଉଁ ଦଫା ଲାଗୁ ହେବା କଥା ତାହା ନକରି ପୋଲିସ ଅଭିଯୁକ୍ତମାନଙ୍କୁ ଖସେଇ ଦେବା ଲାଗି କୋହଳ ଦଫା ଲଗେଇଥିବା ସୋମବାର ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ଭେଟି ପୀଡିତ ପରିବାର ଗୁହାରୀ କରିଛନ୍ତି । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉଛି ଏବଂ ଆଇନ୍ ଅନୁଯାଇ ନିଶ୍ଚୟ ବିହିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |