ଏଟିଏମ୍ ଲୁଟେରାଙ୍କ ଅଜବ ପ୍ରେମ , ଲୁଟ୍ ଟଙ୍କାରେ ସ୍ତ୍ରୀଙ୍କୁ ଦେଉଥିଲେ ଦାମୀ ଉପହାର |

139

କଟକ (ଉତ୍କଳ ନ୍ୟୁଜ) ୧୦/୧୧/୨୦୨୬ : ପର ଟଙ୍କାରେ ପ୍ରେମର ସଉକ୍ ! ଲୋକଙ୍କ ଆକାଉଣ୍ଟ ଖାଲି କରି ସ୍ତ୍ରୀଙ୍କ ପାଇଁ କିଣୁଥିଲେ ନାମୀଦାମୀ ବ୍ରାଣ୍ଡର ଘଣ୍ଟା, ଜୋତା ଓ ପୋଷାକ। ଏଟିଏମ୍ କାର୍ଡ ବଦଳାଇ ଟଙ୍କା ଲୁଟୁଥିବା ଏକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ ପରେ ସାମ୍ନାକୁ ଆସିଛି ଏଭଳି ରୋଚକ ତଥ୍ୟ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମନୋଜ ପାଇକ ଓ ସମ୍ଭବ ଆଚାର୍ଯ୍ୟ। ମନୋଜଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ସମ୍ଭବଙ୍କ ଘର ଯାଜପୁରରେ। ପୁଲିସ ସୂଚନା ଅନୁସାରେ, ଉଭୟ ଝାରପଡ଼ା ଜେଲ୍‌ରେ ଥିବା ସମୟରେ ପରସ୍ପର ସହ ପରିଚିତ ହୋଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ଏକାଠି ହୋଇ ଏଟିଏମ୍ ଠକେଇର ଜାଲ ବିଛାଇଥିଲେ। ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବାର ବାହାନା କରୁଥିଲେ ଏହି ଠକ। ସୁଯୋଗ ଦେଖି ଗ୍ରାହକଙ୍କ କାର୍ଡ ଓ ପିନ୍ ନମ୍ବର ହାତେଇବା ପରେ ଅସଲି କାର୍ଡ ବଦଳରେ ଏକ ସମାନ ଦେଖାଯାଉଥିବା କାର୍ଡ ଫେରାଇ ଦେଉଥିଲେ। ଏହାପରେ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିଲେ। ଏଭଳି ଉପାୟରେ ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

ମଙ୍ଗଳାବାଗ ଥାନା ଅଞ୍ଚଳରେ ପୁଲିସ ବିଭାଗର କର୍ମଚାରୀ ରଶ୍ମିରଞ୍ଜନ ମହାନ୍ତି ମଧ୍ୟ ଏହି ଠକେଇର ଶିକାର ହୋଇଥିଲେ। ତାଙ୍କ ଏଟିଏମ୍ କାର୍ଡ ବଦଳାଇ ଦୁର୍ବୃତ୍ତମାନେ ଆକାଉଣ୍ଟରୁ ୪୫ ହଜାର ଟଙ୍କା ଉଠାଇ ନେଇଥିଲେ। କେବଳ ମଙ୍ଗଳାବାଗ ନୁହେଁ, ଲାଲବାଗ, ବିଡ଼ାନାସୀ ଓ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଠକେଇ ହୋଇଥିବା ଜଣାପଡ଼ିଛି। ୮ରୁ ଅଧିକ ଲୋକ ଏହି ଗ୍ୟାଙ୍ଗ୍‌ର ଶିକାର ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଛି। ତେବେ ଏହି ଠକେଇ ଟଙ୍କାରେ ସମ୍ଭବ ନିଜ ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କିଣୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ନାମୀଦାମୀ କମ୍ପାନୀର ଘଣ୍ଟା, ଜୋତା ଓ ପୋଷାକ କିଣି ସ୍ତ୍ରୀଙ୍କୁ ଉପହାର ଦେଉଥିଲେ। ଏହି ସାମଗ୍ରୀଗୁଡ଼ିକୁ ମଧ୍ୟ ପୁଲିସ ଜବତ କରିଛି। ଅଭିଯୁକ୍ତଙ୍କଠାରୁ ୧୮ରୁ ଅଧିକ ନକଲି ଏଟିଏମ୍ କାର୍ଡ, ଦୁଇଟି ମୋବାଇଲ୍ ଫୋନ୍ ସହ ବିଭିନ୍ନ ବ୍ରାଣ୍ଡର ଘଣ୍ଟା, ଜୋତା ଓ ପୋଷାକ ଜବତ ହୋଇଛି। ଏହି ଗ୍ୟାଙ୍ଗ୍‌ରେ ଆଉ କେହି ସାମିଲ ଅଛନ୍ତି କି ନାହିଁ ଏବଂ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ କଣ ରହିଛି , ସେନେଇ ତଦନ୍ତ ଜାରି ରଖିଛି ପୁଲିସ। ଅନ୍ୟପଟେ ଏଟିଏମ୍ କାଉଣ୍ଟରରେ ଅଜଣା ବ୍ୟକ୍ତିଙ୍କଠାରୁ ସହାୟତା ନେବା ସମୟରେ ସତର୍କ ରହିବାକୁ କଟକ ଡିସିପି ଋଷିକେଶ ଖିଲାରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ବ୍ୟାଙ୍କ କର୍ମଚାରୀ କିମ୍ବା ଏଟିଏମ୍ ସୁରକ୍ଷାକର୍ମୀଙ୍କ ସହାୟତା ନେବାକୁ ସେ କହିଛନ୍ତି। କଟକରୁ ମହେଶ ପାତ୍ରଙ୍କ ରିପୋର୍ଟ। ଉତ୍କଳ ନ୍ୟୁଜ