ଜମିବାଡିକୁ କେନ୍ଦ୍ରକରି ଛତ୍ରପଦାରେ ହତ୍ୟା ଘଟଣାର ଦୁଇ ଭାଇ ଗିରଫ୍ |

332

କଟକ (ଉତ୍କଳ ନ୍ୟୁଜ ) ୩-୦୩-୨୦୨୫ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦାରେ ଜମିବାଡିକୁ କେନ୍ଦ୍ରକରି ଏବଂ ଚୋରା କୋଇଲା ଚାଲାଣରେ ପ୍ରତିବାଦ କରୁଥିବା ନେଇ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ୍ କରିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଛତ୍ରପଦା ଗାଁର ଅବନୀ କୁମାର ନାୟକ(୪୬) ବୋଲି ଜଣାଯାଇଛି । ଗିରଫ୍ ଅଭିଯୁକ୍ତମାନେ ସେହି ଗାଁର ଅମୁଲ୍ୟ ନାୟକଙ୍କ ଦୁଇ ପୁଅ ଚିଣ୍ଟୁ ନାୟକ ଓରଫ୍ ଚିଣ୍ଟୁ ଓ ଶ୍ରୀକାନ୍ତ ନାୟକ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ସେଦିନ କୌଣସି ଏକ ଗଣ୍ଡଗୋଳରେ ଅଭିଯୁକ୍ତମାନେ ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିଲେ । ହତ୍ୟା ଘଟଣାରେ ତଦନ୍ତ କରାଯିବା ପରେ ପୋଲିସ ସେମାନଙ୍କୁ ନଜରବନ୍ଦି କରିଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାର ସୁଧାର ଆସିବା ପରେ ପୋଲିସ ଗିରଫ୍ କରି ସୋମବାର କୋର୍ଟ ଚାଲାଣ କରିଛି । ମୃତକଙ୍କ ସ୍ତ୍ରୀ ସରୋଜିନୀ ନାୟକଙ୍କ ଏତଲା ଅନୁଯାଇ, ମୃତକଙ୍କ କକା ସ୍ୱର୍ଗତ ଦାଶରଥି ନାୟକଙ୍କ ଦୁଇ ପୁଅ ଓ ଦୁଇ ନାତିଙ୍କ ସହିତ ଜମିବାଡିକୁ କେନ୍ଦ୍ରକରି ବିଭିନ୍ନ ସମୟରେ ମାରଧର କରିବା ସହ ଘରେ ରଖେଇ ଦେଉନଥିଲେ । ସ୍ତ୍ରୀ ଓ ୧୧ ବର୍ଷିୟ ଝିଅର ସୁରକ୍ଷା ଦୃଷ୍ଟିରୁ ଅବନୀ ଗତ ମାସ ସେମାନଙ୍କୁ ନିଜ ଶ୍ୱଶୁର ଘରେ ଛାଡି ଦେଇ ଆସିଥିଲେ । ଅବନୀ ଛତ୍ରପଦାରେ ରହୁଥିଲେ । ଅପରପକ୍ଷ ମିଳିତଭାବେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଆସୁଥିଲେ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ୱଶୁର ଘର ଲୋକଙ୍କ ଠାରୁ ଫୋନ୍ କଲ୍ ପାଇ ଘରକୁ ଆସିଥିଲେ । ଘରର ଦୁଆର ଆଗରେ ରକ୍ତ ଛିଟା ପଡିଥିବା ସହିତ ଘରଟି ବାହାର ପଟୁ ବନ୍ଦ ରହିଛି । ଘର ଭିତରେ ଖଟ ତଳେ ଅବନୀଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବାର ସେ ଦେଖିବାକୁ ପାଇଥିଲେ । ଅପରପକ୍ଷ ଅମୁଲ୍ୟ ନାୟକଙ୍କ ସମେତ ତାଙ୍କ ଦୁଇ ପୁଅ ଶ୍ରୀକାନ୍ତ ନାୟକ ଓ ଚିଣ୍ଟୁ ନାୟକ ଏବଂ ରମାକାନ୍ତ ନାୟକଙ୍କ ଜ୍ୱାଇଁ ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ସଂଘବଦ୍ଧଭାବେ ଅବନୀଙ୍କୁ ପିଟିପିଟି ମାରି ଦେଇଥିବା ସରୋଜିନୀ ଗ୍ରାମବାସୀଙ୍କୁ ପଚରା ଉଚୁରା କରିବାରୁ ଜାଣିବାକୁ ପାଇଥିଲେ । । ରାତିରେ ଚୋରା କୋଇଲା କାରବାରରେ ଅବନୀ ପ୍ରତିବାଦ କରିଥିବାରୁ ତାଙ୍କୁ ଏପରି ହତ୍ୟା କରା ଯାଇଥିବା ସେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ସଂଗୀନ ଦଫାରେ ଏକ ମାମଲା ୪୫/୨୫ ରୁଜୁ କରି ସାଇଣ୍ଟିକ୍‌ଫିକ୍ ଟିମ୍ ଓ ସ୍ୱତନ୍ତ୍ର ପଦାଧିକାରୀଙ୍କ ଜରିଆରେ ତଦନ୍ତ ଚଳାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ||