ଚୋରା ମଦ ଧରା ଘଟଣାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ୍ |

542

କଟକ (ଉତ୍କଳ ନ୍ୟୁଜ ) ୨୭-୧୨-୨୦୨୪ : ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ ଜଣେ ମଦ ଚୋରା ବେପାରୀକୁ ଧରିବା ପରେ ଦୌଲତପୁର ଓ ଅର୍ଜୁନବିନ୍ଧା ଗାଁର ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମଦ ବେପାରୀ ଜଣକ ପୋଲିସକୁ ଆକ୍ଷେପ କରି ବିନ୍ଧାବଜାରରେ ଗାଳିଗୁଲଜ କରୁଥିବା ନେଇ ସ୍ଥାନୀୟ ଜଣେ ଯୁବକ ଏହାର ପ୍ରତିବାଦ କରିବାରୁ ପରଦିନ ମଦ ବେପାରୀ ସେହି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଆକ୍ରମଣର ଶିକାର ହୋଇଥିବା ଯୁବକ ଓ ତାଙ୍କର କେତେକ ସମର୍ଥକ ଚୋରା ମଦ ବେପାରୀଙ୍କ ଦୋକାନରେ ପଶି ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ବାମ ଆଖିର ଉପର ଅଂଶରେ ଛୁରୀ ମାଡ ହୋଇଥିବା ନେଇ ଅଭିଯୁକ୍ତଙ୍କ ଗିରଫ୍ ଦାବୀରେ ସମର୍ଥକମାନଙ୍କ ଦ୍ୱାରା ଥାନାରେ ହୋହାଲ୍ଲା କରାଯାଇଥିଲା । ପରେ ପୋଲିସ ସଂପୃକ୍ତ ଚୋରା ମଦ ବେପାରୀକୁ ଥାନାକୁ ଆଣି ତଦନ୍ତ କରିଥିଲା । ଅର୍ଜୁନବିନ୍ଧା ଗାଁର ଅରିକ୍ଷିତ ବଳଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ୨୮୦/୨୪ ରୁଜୁ କରି ଦୌଲତପୁର ଗାଁର ଚୋରା ମଦ ବିକ୍ରେତା ଅଭିମନ୍ୟୁ ବାରିକ ଓରଫ୍ ଖଜନକୁ ଗିରଫ୍ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଗିରଫ୍ ଅଭିଯୁକ୍ତଙ୍କ ସ୍ତ୍ରୀ ଗୌରୀ ବାରିକ ଥାନାରେ ଏକ ପାଲଟା ଏତଲା ଦାଏର କରିଛନ୍ତି । ଗୁରୁବାର ମଧ୍ୟାହ୍ନରେ ଅରିକ୍ଷିତ ବଳ ଓ ତାଙ୍କର କେତେକ ସମର୍ଥକ ବାସନ୍ତୀ ହାଟପଟିରେ ଥିବା ତାଙ୍କ ସ୍ୱାମୀଙ୍କ ଦୋକାନରେ ପଶି ଫ୍ରୀଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିବା ନେଇ ଅନ୍ୟ ଏକ ମାମଲା ୨୮୧/୨୪ ରୁଜୁ ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ଦୁଇଟି ମାମଲା ରୁଜୁ ହେବା ପରେ ପରିସ୍ଥିତି ଉତ୍ତେଜନା ଥିବା ବାରି ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |