କଟକ (ଉତ୍କଳ ନ୍ୟୁଜ ) ୦୩-୦୭-୨୦୨୪ : ଚୋରୀ କେବୁଲ୍ ବିକ୍ରି ବେଳେ ବ୍ୟବହୃତ ବାଇକ୍ ଖୋଲିବ ରାକେଟ୍ର ଗୁମର । ଚୋରୀ କେବୁଲ୍କୁ ମେସିନ୍ ଜରିଆରେ ଚିରା/କଟାଯାଇ ସେଥିରୁ ମୂଲ୍ୟବାନ୍ କପର ପଦାର୍ଥ ବାହାର କରି ଅନ୍ୟତ୍ର ବିକ୍ରି କରାଯାଇଥିବା ବେଳେ ସେଥିରୁ ବାହାରିଥିବା ଜିଆଇ କଭରକୁ କବାଡିଆକୁ ବିକ୍ରି କରୁଥିବା ବେଲେ ଧରା ପଡିଥିଲେ ଦୁଇ ଜଣ ଚୋର । ସେମାନେ ବ୍ୟବହାର କରିଥିବା ବାଇକ୍ ମଧ୍ୟ ଜବତ୍ ହୋଇଛି । ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ସେଠାକୁ ଆସି ଦୁଇ ଚୋରଙ୍କ ସମେତ କିଛି କଥାବାର୍ତ୍ତା ହୋଇଥିଲା ଏବଂ ଲୋକଦେଖାଣିଆ ଭାବେ ବାଇକ୍ ଫେରାଇବା ବିଳମ୍ବ କରିଥିବା ବେଳେ ବିରକ୍ତି ମନୋଭାବ ପୋଷଣ କରି ଫେରି ଯାଇଥିଲା । ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ଦୁଇ ଚୋର ସମେତ ବାଇକ୍କୁ ମଧ୍ୟ ଥାନାକୁ ନେଇ ଯାଇଥିଲା । ତେବେ କେବୁଲ୍ ଚୋରୀକୁ ନେଇ ସାଧାରଣରେ ନାନାଦି ପ୍ରଶ୍ନ ଉଙ୍କିମାରୁଛି । ସେହିପରି ଏତଲାକାରୀ ଠିକାଦାର ଜଗନ୍ନାଥ ଖଟୁଆ ମଧ୍ୟ ମୁହଁ ଖୋଲିଛନ୍ତି । ଧରା ପଡିଥିବା ଦୁଇ ଚୋରଙ୍କ ଦ୍ୱାରା ଏପରି କାମ ସମ୍ଭବ ନୁୁହେଁ ବରଂ ଏଥିରେ ଏକ ବଡ ରାକେଟ୍ କାମ କରୁଛି । ରେଳପଥ କଡରେ ବିଛା ଯାଇଥିବା ମୋଟା ମୋଟା କେବୁଲ୍ ଚୋରୀ କରିବା, ମେସିନ୍ ଜରିଆରେ ତାର ପ୍ଲାଷ୍ଟିକ୍ ଓ ଜିଆଇ କଭର ବାହାର କରିବା ପରେ ମୂଲ୍ୟବାନ୍ କପର ବାହାର ଏହା ଅତିକମରେ ୧୦-୧୫ ଜଣଙ୍କ କାମ ବୋଲି କହିଛନ୍ତି । କେବୁଲ୍ରୁ ଏହି କପରକୁ ବାହାରକୁ ଯୋଗାଣ କରିବା ପରେ ଜିଆଇ କଭରକୁ କବାଡିଆଙ୍କୁ ବିକ୍ରି କରାଯାଇଛି । ଜବତ୍ ବାଇକ୍ରେ ମଧ୍ୟ ହାଇସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଲାଗିନଥିବା ମଧ୍ୟ ସନ୍ଦେହ ଘେରକୁ ଟାଣି ନେଉଛି । ଯେଉଁ ସ୍ଥାନୀୟ ଯୁବକ ଜଣକ ଦୁଇ ଚୋରଙ୍କୁ ବାଇକ୍ ଦେଇଥିଲେ ତାଙ୍କର ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଜବଦ୍ ବାଇକ୍ ଓ ସଂପୃକ୍ତ ଯୁବକଙ୍କ ସମ୍ପର୍କରେ ଖୋଳତାଡ କଲେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି । ସୂଚନା ମୁତାବକ, ରେଳପଥ କଡରେ କେବୁଲ୍ ବିଛାଇବା ଲାଗି ନିୟୋଜିତ ଠିକାଦାର ତାଙ୍କର କେବୁଲ ଚୋରୀ ହୋଇଥିବା ନେଇ କିଛିଦିନ ତଳେ ପୀରହାଟ ଥାନାରେ ଏତଲା ଦେଇଥିଲେ । ତେବେ ଗତ ଶନିବାର ସଂଧ୍ୟାରେ ଠିକାଦାର ଜଗନ୍ନାଥ ଖଟୁଆ ସନ୍ଥପୁରା ଦେଇ ଯାଉଥିବା ବେଳେ ଦୁଇ ଜଣ ଏକ ବାଇକ୍ ଯୋଗେ କେବୁଲ୍ କଭର ନେଇ ଯାଉଥିବାର ଦେଖିବାକୁ ପାଇଥିଲେ । ସେମାନଙ୍କ ପିଛା କରିବା ପରେ ସ୍ଥାନୀୟ କବାଡିଆ ସେକ୍ ତାଜୁଦ୍ଦିନ୍ ଖାଁଙ୍କୁ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଧରିବା ସହ ବ୍ୟବହୃତ ବାଇକ୍କୁ ମଧ୍ୟ ଧରିଥିଲେ । ପରେ ଶତାଧିକ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ । ପ୍ରାଥମିକ ତଦନ୍ତ ପରେ ଚୋରୀରେ ସଂପୃକ୍ତ ଦୁଇ ଜଣ ନାବାଳକ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏବଂ ସେମାନଙ୍କ ଘର ସ୍ଥାନୀୟ ଅଞ୍ଚଳର ଚନ୍ଦ୍ରକାଟବିନ୍ଧା ଓ ସନ୍ଥପୁରାରେ ବୋଲି ଜଣାଯାଇଛି । ଚୋରୀ କେବୁଲ୍ ବିକ୍ରି ଘଟଣାରେ କବାଡିଆ କୋର୍ଟ ଚାଲାଣ ହୋଇଥିବା ବେଳେ ଦୁଇ ନାବାଳକ ଚୋରଙ୍କୁ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯାଇଥିଲା ମାତ୍ର ବେଲ ଖାରଜ୍ ହେବାରୁ ସେମାନଙ୍କୁ ଅନୁଗୁଳସ୍ଥିତ ସୁଧାର ଗୃହକୁ ପଠା ଯାଇଛି । ତେବେ ଦୁଇ ନାବାଳକ ବ୍ୟବହାର କରିଥିବା ବାଇକ୍ ଖୋଲିବ ଚୋରୀ ରାକେଟ୍ର ଗୁମର କଥା । ଏହି କେବୁଲ ଚୋରୀ ସମେତ ସ୍ଥାନୀୟ ଅଞ୍ଚଳରେ ନିୟମିତଭାବେ ନାନାଦି ସାମଗ୍ରୀ ଚୋରୀ ହେଉଛି । ରାତି ହେଲେ ଚୋରମାନେ ଗାଁ ଗଣ୍ଡାରୁ ଚୋରୀ କରିଥାନ୍ତି ଏବଂ ନିଜକୁ ସୁହାଇବା ଲାଗି କବାଡିଆ ଦୋକାନରେ ବିକ୍ରି କରିଥାନ୍ତି ବୋଲି ଆକଳନ କରାଯାଇଛି । ତେବେ ପୋଲିସ କାହାରି ଚାପରେ ବଶଃବର୍ତ୍ତୀ ନହୋଇ ଚୋରୀ ରାକେଟର ପର୍ଦ୍ଦାଫାସ କରିବାକୁ ସାଧାରଣରେ ଦାବୀ ଜୋର ଧରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |