ଗିରାଙ୍ଗରେ ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ନାଲକୋ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ |

106

କଟକ (ଉତ୍କଳ ନ୍ୟୁଜ ) ୨୮-୧୧-୨୦୨୪ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଗିରାଙ୍ଗ ଗ୍ରାମର ଜନୈକା ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାଲକୋ କର୍ମଚାରୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ, ପୀଡିତା ନିଜ ଗାଁର ନୂଆବନ୍ଧକୁ ଗାଧୋଇବାକୁ ଯାଉଥିବା ବେଳେ ବାଟରେ ନାଲକୋ କୁଲାଡ ଟାଉନ୍‌ସିପରେ ରହୁଥିବା ଅଭିଯୁକ୍ତ ପ୍ରକାଶ ବେହେରା ତାଙ୍କୁ ଅତି କଦର୍ଯ୍ୟ ଭାବରେ ଅଶ୍ଳିଳ ଇଙ୍ଗିତ କରିବା ସହିତ ତାଙ୍କ ସହ ରାତି କଟେଇବା କହି କୁଣ୍ଢେଇ ପକେଇଥିଲେ । ପୀଡିତା ଜଣକ ଡାକହୁଡି ପକାଇବାରୁ ତାଙ୍କ ସ୍ୱାମୀ ଘଟଣା ସ୍ଥଳକୁ ଦୌଡି ଯାଇ ଏହାର ବିରୋଧ କରିଥିଲେ । ମାତ୍ର ଅଭିଯୁକ୍ତ ଜଣକ ତାଙ୍କ ତଣ୍ଟିକୁ ଚିପି ବିଧା ଓ ଗୋଇଠା ମାରିଥିଲେ । ଘଟଣା ସମ୍ପର୍କରେ କାହାରିକୁ କହିବା ଅଥବା ଥାନାରେ ଦ୍ୱାରସ୍ଥ ହେଲେ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇ ଯାଇଥିଲେ । ମହିଳାଙ୍କ ସ୍ୱାମୀ ଶାରିରୀକ ଅସମର୍ଥ ହୋଇଥିବାରୁ ଭୟଭିତ ହୋଇଥିଲେ ଏବଂ ଜୋରରେ ପାଟି କରିଥିଲେ । ଏହା ଶୁଣି କେତେକ ପଡୋଶୀ ଦୌଡି ଆସିବାରୁ ଅଭିଯୁକ୍ତ ନିଜର ସ୍କୁଟି ଓଡି-୩୫-ଇ-୪୪୪୦ ଯୋଗେ ପଳେଇ ଯାଇଥିଲେ । ସେମାନେ ଅଭିଯୁକ୍ତର ପିଛା କରି ସ୍ଥାନୀୟ ନାଲକୋ ଜଗନ୍ନାଥ ମନ୍ଦିରରେ ପାଇ ଘଟଣା ସମ୍ପର୍କରେ ପଚାରିବାରୁ ସେ ସ୍କୁଟିକୁ ଛାଡି କ୍ୱାଟରକୁ ପଳାଇ ଯାଇଥିଲେ । ଶେଷରେ ବାଧ୍ୟହୋଇ ଗ୍ରାମବାସୀ ଉକ୍ତ ସ୍କୁଟିକୁ ସ୍ଥାନୀୟ କେଏସଏସ ସିକ୍ୟୁରିଟ୍ ଅଫିସରେ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ପୀଡିତାଙ୍କ ସ୍ୱାମୀଙ୍କ ଏତଲା ମୂଳେ ଥାନାରେ ଅଭିଯୁକ୍ତ ପ୍ରକାଶ ବେହେରାଙ୍କ ବିରୋଧରେ ଏକ ମାମଲା ୨୩୪/୨୪, ଦଫା ୧୧୫(୨), ୩୫୧(୩), ୭୫(୧) ଓ ୭୯ ରୁଜୁ ହୋଇଛି । ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାଲାଗି ପୀଡିତା ଓ ତାଙ୍କ ସ୍ୱାମୀ ଦାବୀ କରିଛନ୍ତି ।