କଟକ(ଉତ୍କଳ ନିଉଜ) ୧୪/୧୦/୨୦୨୪ : ଚୋରା କୋଇଲା ବୋଝେଇ ଧକ୍କାରେ ଭାଙ୍ଗିଲା ଦୋକାନ, ବ୍ୟାପକ ସାମଗ୍ରୀ ନଷ୍ଟ, ଗାଡି ଜବତ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ସମ୍ମୁଖସ୍ଥ ବିନ୍ଧା ବଜାରରେ । ପୋଲିସ ଆଖିରେ ଧୂଳିଦେଇ ଶନିବାର ରାତିରେ ମଙ୍ଗଳପୁରରୁ ଚୋରା କୋଇଲା ବୋଝେଇ କରି ଯାଉଥିବା ବେଳେ ତିହିଡି ପୋଲିସ ପିଛା କରିଥିଲା । ପୋଲିସକୁ ଦେଖି ଗାଡିଟି ଦୃତ ଗତିରେ ପୀରହାଟ ଆଡକୁ ଯାଉଥିଲା ବେଳେ ବିନ୍ଧାବଜାରରେ ଭାରସମ୍ୟ ହରାଇ ଏକ ପାନ ଓ ଷ୍ଟେସନାରୀ ଦୋକାନକୁ ଧକ୍କା ଦେଇଥିଲା । ଫଳରେ ଅର୍ଜୁନବିନ୍ଧା ଗାଁର ଭୀମସେନ ରାଉତଙ୍କ ଦୋକାନଟି ସମ୍ପୂଣ୍ଣ ନଷ୍ଟ ହୋଇ ଯାଇଛି । ଦୋକାନରେ ମହଜୁଦ୍ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏହି ଦୋକାନ ଉପରେ ଭୀମସେନ ପରିବାର ପୋଷଣ କରିଥା’ନ୍ତି । ଦୁର୍ଘଟଣାରେ ସାମଗ୍ରୀ ନଷ୍ଟ ହେବା ଫଳରେ ଆଉ ଥରେ ମୁଣ୍ଡ ଗୁଞ୍ଜିବାକୁ ସାହାରା ମିଳୁନାହିଁ । କ୍ଷତିପୂରଣ ପ୍ରଦାନ କରାଗଲେ ସେ ଦୋକନକୁ ପୂନର୍ବାର ସଜାଡି ପରିବାର ଚଳାଇବାରେ ସକ୍ଷମ ହୋଇ ପାରନ୍ତେ ବୋଲି ଦାବି କରିଛନ୍ତି । ଗାଡିର ଚାଳକ ଓ ମାଲିକ ଉଭୟ ସ୍ଥାନୀୟ ଅଞ୍ଚଳର ବୋଲି ଦୋକନୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ପୀରହାଟ ପୋଲିସ ଘଟଣା ସ୍ଥଳରେ ପହଂଚି ଚୋରା କୋଇଲା ବୋଝେଇ ଗାଡି(ଓଆର-୨୨-ଭି-୨୭୮୫)କୁ ଜବତ୍ କରିଥିବା ବେଳେ ଗାଡିର ଚାଳକ ଖସି ପଳେଇ ଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ତେବେ ଗାଡିର ମାଲିକ ଭଦ୍ରକ ବରାଳପୋଖରୀ ଗାଁର ବୋଲି ସୂଚନା ମିଳିଛି ଏବଂ ଉକ୍ତ ଗାଡକୁ ଜଣେ ବ୍ୟକ୍ତି ଲିଜ୍ରେ ଆଣି ଚୋରା କୋଇଲା ଚାଲାଣରେ ଲଗାଇଥିବା ମଧ୍ୟ ଚର୍ଚ୍ଚାକୁ ଆସୁଛି । ପୋଲିସ ଗାଡିର ମାଲିକ ଓ ଚାଳକଙ୍କ ବିରୋଧରେ ଏକ ମାମଲା ୨୨୪/୨୪ ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ଉଭୟ ଚାଳକ ଓ କୋଇଲା ମାଫିଆଙ୍କ ବିରୋଧରେ ପୋଲିସ କେଉଁ ପ୍ରକାର ପଦକ୍ଷେପ ନେଉଛି ତାହାକୁ ଅନେଇ ବସିଛନ୍ତି ସାଧାରଣ ଜନତା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |