ନଳକୂପରୁ ପାଣି ନେଉଥିବା ବେଳେ ଆକ୍ରମଣ ଘଟଣା, ଜଣେ ଗିରଫ୍‌ |

169

କଟକ (ଉତ୍କଳ ନ୍ୟୁଜ ) ୨୫-୦୭- ୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ତଳକାଁପଡା ଗାଁରେ ନଳକୂପରୁ ନେଉଥିବା ବେଳେ ଆକ୍ରମଣ ଘଟଣାରେ ଜଣେ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ଉମାକାନ୍ତ ଦାସଙ୍କ ପୁଅ ବୁଦ୍ଧିରାମ ଦାସ(୨୨) ବୋଲି ଜଣାଯାଇଛି । ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ଠାରୁ ସୂଚନା ମିଳିଛି । ସୂଚନା ମୁତାବକ, ତଳକାଁପଡା ଗାଁର ମଧ୍ୟମ ସ୍ଥଳରେ ଏକ ସରକାରୀ ନଳକୂପ ସ୍ଥାପିତ ହୋଇଛି । ଗାଁର ନିଷ୍ପତି କ୍ରମେ ଏହି ନଳକୂପରୁ ଲୋକେ କେବଳ ବ୍ୟବହାର ପାଇଁ ପାଣି ନେବେ ଏବଂ ସେଠାରେ ଲୁଗାପଟା ଓ ବାସନ କୁସନ ଧୋଇବା ଅଥବା ଗାଧୋଇବା ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତ ତା ୨୨.୦୭.୨୪ ତାରିଖ ସକାଳ ପ୍ରାୟ ୯ ଘଟିକା ସମୟରେ ସୁବ୍ରତ ଦାସଙ୍କ ସ୍ତ୍ରୀ ରେବତୀ ଦାସ ପାଣି ଆଣିବାକୁ ସେଠାକୁ ଯାଇଥିଲେ । ଏହି ସମୟରେ ବୁଦ୍ଧିରାମ ଦାସଙ୍କ ସ୍ତ୍ରୀ ଲୀଳାବତୀ ଦାସ ନଳକୂପ ଚାନ୍ଦିନୀରେ ଗାଧୋଉଥିଲେ । ରେବତୀ ବାଲତିଏ ନେବାକୁ ଚାହୁଁଥିଲେ ଏବଂ ଲୀଳବତୀଙ୍କୁ ପାଦେ ଆଗକୁ ଯିବାକୁ କହିଥିଲେ । ମାତ୍ର ଲୀଳାବତୀ ତାଙ୍କ ହାତରୁ ବାଲତି ଛଡେଇ ନେଇଥିଲେ । ରେବତୀ ଏହାକୁ ବିରୋଧ କରିବାରୁ ଲୀଳାବତୀ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଡାକ ପକାଇବା ସହିତ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପାଟିତୁଣ୍ଡ ଶୁଣି ରେବତୀଙ୍କ ସ୍ୱାମୀ ସୁବ୍ରତ ଦାସ ସେଠାକୁ ଆସିଥିଲେ । ଏହି ସମୟରେ ଲୀଳାବତୀଙ୍କ ସ୍ୱାମୀ ବୁଦ୍ଧିରାମ ଦାସଙ୍କ ସମେତ ମାନସ ଦାସ, ନକୁଳ ଦାସ ଓ ପ୍ରଭାତ ଦାସ ଘଟଣା ସ୍ଥଳରେ ପହଂଚି ସୁବ୍ରତଙ୍କୁ ଗାଳିଗୁଲଜ କରିବା ବାଡିରେ ପ୍ରହାର ପରେ ପ୍ରହାର କରି ଚାଲିଥିଲେ ଏବଂ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କତାରେ ଆକ୍ରମଣ ମଧ୍ୟ କରିଥିଲେ । ଆକ୍ରମଣର ଶିକାର ହୋଇ ସୁବ୍ରତ ମୂମୁର୍ଷ ହୋଇ ତଳେ ପଡିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ରକ୍ତାକ୍ତ ହୋଇଥିଲେ । କେତେକ ଗ୍ରାମବାସୀ ଦୌଡି ଆସି ସେମାନଙ୍କୁ ଉଦ୍ଧାର କରିବା ସହିତ ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ । ରେବତୀଙ୍କ ଏତଲାକ୍ରମେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ୩୪୧/୨୪ ରୁଜୁ କରି ତଦନ୍ତ ଚଳାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |