କଟକ ( ଉତ୍କଳ ନ୍ୟୁଜ ). ୨୦-୦୭-୨୦୨୬ : ବିଦ୍ୟୁତ ବିଭାଗରେ କାମ କରୁଛନ୍ତି ସତ ହେଲେ ସମସ୍ତଙ୍କୁ ଚକମା ଦେଖାଇ ତାର ଚୋରି ଭଳି ଅପରାଧିକ କାର୍ଯ୍ୟ କରିବାକୁ ପଛାଇ ନାହାନ୍ତି । ଭଦ୍ରେକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବିଦ୍ୟୁତ ସେକ୍ସନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୧୧ କେଭିଏ ବିଦ୍ୟୁତ ସହିତ ବିଭିନ୍ନ ସ୍ଥାନରୁ ତାର ଚୋରି କରି କବାଡ଼ିଆକୁ ବିକ୍ରି କରିଥିବା ଅଭିଯୋଗରେ ପୀରହାଟ ପୋଲିସ ସମ୍ପୃକ୍ତ କବାଡିଆ ସମେତ ଏହି ବିଭାଗରେ କାମ କରୁଥିବା ୨ ଜଣ ହେଲପରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୀରହାଟ ପୁରୁଣା ବଜାର ଅଞ୍ଚଳର କବାଡ଼ିଆ ୱାସିକ ରାଜା ସାହାଜୀ, ତିହିଡି ବାରିକବିନ୍ଧା ଗାଁର ଆକାଶ କର ଓ ସୟା ଅଞ୍ଚଳର ଦିଲୀପ ମଳିକ । ପୀରହାଟ ବିଦ୍ୟୁତ ବିଭାଗର ମରାମତି ଦାୟିତ୍ୱରେ ଥିବା ଆକାଶ, ଦିଲୀପ ଓ ଅନ୍ୟମାନେ ସ୍ଥାନୀୟ ଅଞ୍ଚଳରେ ୧୧ କେଭିଏ ବିଦ୍ୟୁତ୍ ତାର ଓ ବିଭିନ୍ନ ଅଞ୍ଚଳର ତାର ଚୋରି କରି ସମ୍ପୃକ୍ତ କବାଡ଼ିଆକୁ ବିକ୍ରି କରିଥିଲେ । ଏ ସମ୍ପର୍କରେ ପୀରହାଟ ସେକ୍ସନର ଯନ୍ତ୍ରୀ ଶ୍ରୀକୃଷ୍ଣ ବେହେରା ଥାନାରେ ଅଭିଯୋଗ କରିବା ପରେ ପିରହାଟ ପୋଲିସ ଏକ ମାମଲା ୧୬୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚୋରି ତାର କିଣିଥିବା ସମ୍ପୃକ୍ତ କବାଡ଼ିଆଙ୍କୁ ଧରିବା ପରେ ସେ ସବୁ ସତ ପୋଲିସକୁ କହିଥିଲା । ପରେ ପୋଲିସ ଉଭୟ ହେଲ୍ପର ଆକାଶ ଓ ଦିଲିପକୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନେ ସବୁକଥା ମାନି ଯାଇଥିଲେ । ଉକ୍ତ ଚୋରିରେ ସମ୍ପୃକ୍ତ ପୀରହାଟ ଖେଦରପୁର ଗ୍ରାମର ସୁନିଲ ମହାନ୍ତି ଓ ସୁରତ କୁମାର ମହାଳିକଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।