କଟକ (ଉତ୍କଳ ନ୍ୟୁଜ ) ୨-୦୫-୨୦୨୫ : କଟକ ଜିଲ୍ଲା ପ୍ରଶାସନ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର ଦ୍ଵାରା ବିଭାଗୀୟ ପଦାଧିକାରୀମାନଙ୍କ ସଚେତନତା ସମ୍ବନ୍ଧୀୟ ଏବଂ କାର୍ଯ୍ୟପନ୍ଥାନିର୍ଦ୍ଧାରଣ ପୂର୍ବକ ଗ୍ରୀଷ୍ମପ୍ରବାହ ସୁପରିଚାଳନା ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶୈଳବାଳା ସ୍ଵୟଂଶାସିତ ମହିଳା ବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ କାରଣରୁ ତାପମାତ୍ରାସ୍ତର ବହୁ ମାତ୍ରାରେ ବୃଦ୍ଧି ପାଉଛି ବିଲି ମତବ୍ୟକ୍ତ କରିଥିଲେ । ଏଥି ସହ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖାଦେଉଛି ବୋଲି ଦର୍ଶାଇ ଓଡ଼ିଶାରେ ବିଶେଷକରି ଝାରସୁଗୁଡ଼ା ଓ ବାରିପଦା ଭଳି ସହରମାନଙ୍କରେ ଅଧିକ ତାପମାତ୍ରା କିପରି ବୃଦ୍ଧି ପାଉଛି ଏବଂ କଟକରେ ଜଳାଶୟ ଉପରେ ଗ୍ରିଷ୍ମପ୍ରବାହ କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା ସୃଷ୍ଟି ହେଉଛି ବୋଲି ଦର୍ଶାଇଥିଲେ। ଗ୍ରୀଷ୍ମ ପ୍ରବାହ କାରଣରୁ ବହୁ କ୍ଷେତ୍ରରେ କ୍ଷତି ଦେଖାଦେଉଛି । ବିଶେଷକରି ଏହି ସମୟରେ ଅଂଶୁଘାତ ତଥା ଶରୀରରେ ଜଳୀୟ ଅଂଶ କମିଯିବା ଜନିତ ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଜନଜୀବନ ସହ ପଶୁ ପକ୍ଷୀଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଏଥି ପାଇଁ ପ୍ରଶାସନିକ କ୍ଷେତ୍ରରେ ଯଥେଷ୍ଟ ସଚେତନତା ଅବଲମ୍ବନ ଉପରେ ଜିଲ୍ଲାପାଳ ଆଜିର ଏହି ଆୟୋଜିତ କର୍ମଶାଳାରେ ଅଧିକ ଗୁରୁତ୍ଵ ଦେଇ ଅଧିକାରୀ ଓ କର୍ମଚାରୀମାନେ ବିଶେଷକରି ଯେଉଁମାନେ କ୍ଷେତ୍ର ଅଞ୍ଚଳ ମାନଙ୍କରେ କାର୍ଯ୍ୟରତ, ସେମାନେ ନିଜେ ସଚେତନ ରହି ସତର୍କତାର ସହ କାର୍ଯ୍ୟ କରିବା ସହିତ ସ୍ଥାନୀୟ ଅଞ୍ଚଳମାନଙ୍କରେ ଜନସାଧାରଣ ଯେଉଁମାନେ ନିଜର ଆବଶ୍ୟକତା ପାଇଁ ବହୁ ସମୟରେ ଗ୍ରୀଷ୍ମଲହରୀକୁ ଭୃକ୍ଷେପ ନକରି କାର୍ଯ୍ୟ କରିଥାନ୍ତି,ପ୍ରତିକାର ପୂର୍ବକ ପଦକ୍ଷେପ ଗ୍ରହଣ କରିବା ନେଇ ସେମାନଙ୍କୁ ସଚେତନ କରାଇବା ଉପରେ କର୍ମଶାଳାରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟଲୋଚନ ମହାନ୍ତ ଆୟୋଜିତ କର୍ମଶାଳାର ଆଭିମୁଖ୍ୟ ଓ ଗ୍ରୀଷ୍ମପ୍ରବାହ ର କାରଣ, ଏଥି ସମ୍ବନ୍ଧୀୟ ସମସ୍ତ ସୂଚନା ତଥା ପ୍ରଶାସନିକ ସ୍ତରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଶୈଳବାଳା ମହିଳା ସ୍ଵଂୟଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଜୀବନ ବଲ୍ଲଭ ଜେନା ଏହି କର୍ମଶାଳାର ଶୁଭାରମ୍ଭ ଅବସରରେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ ଅଧିକାରୀ,ନିଷ୍ଠା ମହାପାତ୍ର ସ୍ଵାଗତ ସୂଚନା ପୂର୍ବକ କର୍ମଶାଳାକୁ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ସଂସାଧାନ ବ୍ୟକ୍ତିଭାବେ ଯୋଗଦେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲୋକନାଥ ପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ,ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ ସଞ୍ଜୀବ ମଲ୍ଲିକ, ସହକାରୀ ବନ ସଂରକ୍ଷକ ଶ୍ରୀ ରବି ନାରାୟଣ ମହାନ୍ତି ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ କାରଣ ଜନିତ ସମସ୍ୟା ସମ୍ଵନ୍ଧରେ ଆଲୋଚନା କରିବା ସହ ଏହାର ପ୍ରତିକାର ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରିଥିଲେ । ଏହି ସଂସାଧାନ ବ୍ୟକ୍ତିମାନେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ବିଶେଷ କରି ସଂବେଦନଶୀଳ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଏହାର ପ୍ରାକ ତଥା ପରବର୍ତ୍ତୀ ପ୍ରସ୍ତୁତି ଓ ସଚେତନତା, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୃହିତ ବ୍ୟବସ୍ଥାର ବ୍ୟାପକ ପ୍ରସାର, ଗ୍ରୀଷ୍ମ ପ୍ରବାହ ଜନିତ ଅଗ୍ନିକାଣ୍ଡରୁ ସୁରକ୍ଷା ନିମନ୍ତେ ପ୍ରାକପ୍ରସ୍ତୁତି ଏବଂ ପରବର୍ତ୍ତୀ ପ୍ରତିକାର ତଥା ଜଙ୍ଗଲ ନିଆଁରୁ ମଣିଷ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ ଉପରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵ ଦେଇ ତୃଣମୁଳ ସ୍ତରର ଅଧିକାରୀ ଓ କର୍ମଚାରୀମାନେ ଏହା ଉପରେ ଅଧିକ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ପରିଶେଷରେ ଜିଲ୍ଲା ଜରୁରୀ କାର୍ଯ୍ୟାଳୟର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବାପି ବିଶ୍ୱଜିତ ସାହୁ ଭିଡିଓ ଦୃଶ୍ୟ ମଧ୍ୟମରେ ଏଥି ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦର୍ଶନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସମେତ ମଣ୍ଡଳ ପରିଦର୍ଶିକା,(ଆଇ.ସି.ଡି.ଏସ ସୁପରଭାଇଜର), ବି.ଆର.ସି.ସି, ବ୍ଲକ ଶିକ୍ଷା ଅଧିକାରୀ ମାନେ କର୍ମଶାଳାରେ ଯୋଗଦେଇଥିଲେ।