ଟାଙ୍ଗୀ ପୋଲିସ କୁ ସଫଳତା ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ଗିରଫ | କଟକ ( ଉତ୍କଳ ନ୍ୟୁଜ ). ୨୬-୦୬-୨୦୨୬ : ଟାଙ୍ଗୀ ଥାନା କେସ୍ ନଂ- ୧୧୨/୨୦୨୬, ତା. ୦୧.୦୩.୨୦୨୬, ଅଭିଯୋଗକାରୀ ଶ୍ରୀ ଚିତ୍ତରଞ୍ଜନ ସେନାପତି (୫୫), ଗ୍ରାମ- ସାହାସପୁର, ଜିଲ୍ଲା- ଯାଜପୁରଙ୍କ ଲିଖିତ ଏତଲା ଆଧାରରେ ରୁଜୁ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲାର ସଫଳ ତଦନ୍ତ କରି ଟାଙ୍ଗୀ ପୋଲିସ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି। ତା. ୨୫.୦୨.୨୦୨୬ ରାତି ପ୍ରାୟ ୨.୪୦ ମିନିଟ୍ ସମୟରେ ଟାଙ୍ଗୀ ବସ୍ଷ୍ଟାଣ୍ଡ ଛକ ନିକଟରେ ଜାତୀୟ ରାଜପଥ-୧୬ ଅତିକ୍ରମ କରୁଥିବା ବେଳେ ଡ୍ରିମ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର **ସୌମ୍ୟ ରଞ୍ଜନ ସେନାପତି (୧୮)**ଙ୍କୁ ଏକ ଧଳା ରଙ୍ଗର କାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଟାଙ୍ଗୀ ପୋଲିସ ସିସିଟିଭି ଫୁଟେଜ୍ ଏବଂ ଟୋଲ୍ ପ୍ଲାଜାର ରେକର୍ଡ ଯାଞ୍ଚ କରି ଦୁର୍ଘଟଣାଗ୍ରସ୍ତ କାର DL-3CCA-3383କୁ ଚିହ୍ନଟ କରିଥିଲା। ପରବର୍ତ୍ତୀ ତଦନ୍ତରେ ଗାଡ଼ିର ଚାଳକ ଓ ମାଲିକ ସଞ୍ଜୟ କୁମାର ସାହୁ (୪୯), ସମେଇଗାଡ଼ିଆ, ରସୁଲଗଡ଼, ଜିଲ୍ଲା- ଖୋର୍ଦ୍ଧାଙ୍କୁ ଚିହ୍ନଟ କରି ତାଙ୍କ ବାସଭବନରୁ ଦୁର୍ଘଟଣାଗ୍ରସ୍ତ କାର, ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକ କାଗଜପତ୍ର ଜବତ କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଦୁର୍ଘଟଣା ଘଟାଇଥିବା ସ୍ୱୀକାର କରିଥିଲେ। ତଦନ୍ତରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଉକ୍ତ ଗାଡ଼ିର କୌଣସି ବୈଧ ବୀମା (Insurance) ନଥିଲା। ସିସିଟିଭି ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୨୮୧/୧୦୬(୧) ଭାରତୀୟ ନ୍ୟାୟ ସଂହିତା (BNS) ସହ ମୋଟର ଯାନ ଆଇନ, ୧୯୮୮ର ଧାରା ୧୯୬ ଅନୁଯାୟୀ ମାମଲା ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କୁ ଗିରଫ କରାଯାଇ ମାନ୍ୟବର JMFC, ଟାଙ୍ଗୀ-ଚୌଦ୍ୱାର ଅଦାଲତରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି। ଟାଙ୍ଗୀ ପୋଲିସ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଏବଂ ହିଟ୍ ଆଣ୍ଡ ରନ୍ ଘଟଣା ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।