କଟକ (ଉତ୍କଳ ନ୍ୟୁଜ ) ୦୯-୦୭-୨୦୨୪ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ନରେନ୍ଦ୍ରପୁର ପଞ୍ଚାୟତର ଜନୈକା ଯୁବତୀଙ୍କୁ(୨୦) ସେହି ଗାଁର ଜଣେ ଯୁବକ ରୋଜଗାରକ୍ଷମ କରିବା ଲାଗି କୋଲକାତା ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗରିବ ପରିବାର ଯୁବତୀଙ୍କୁ ଏପରି ଫୁସୁଲାଇ ଅଧିକ ରୋଜଗାର କରାଇଦେବା ଲକ୍ଷ୍ୟରେ ନେଇ ସେଠାରେ ବଳପୂର୍ବକ ଗତ ତା ୨୮.୦୬.୨୪ରିଖରୁ ତା ୦୨.୦୭.୨୪ରିଖ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥିଲା ଏବଂ ଯୁବତୀ ଜଣକ ନିଜ ଇଛାରେ ସେଠାକୁ ଯାଇଥିବା ଏବଂ ଭଲରେ ଥିବାନେଇ ଏକ ଲେଖା ଓ ଭିଡିଓ ବାର୍ତ୍ତା ପ୍ରସ୍ତୁତ କରାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁବତୀଙ୍କ ଏତଲାକ୍ରମେ ଥାନାରେ ଗତ ତା ୦୪.୦୭.୨୪ରିଖରେ ନରେନ୍ଦ୍ରପୁର ଗ୍ରାମର ନରେନ୍ଦ୍ର ମାଝୀ ଓ ଅନ୍ୟମାନଙ୍କ ବିରୋଧରେ ୧୬୯/୨୪, ଦଫା ୩୬୬, ୩୭୬(୨)(ଏନ), ୫୦୬ ଓ ୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଛି । ତେବେ ୫ଦିନ ପରେ ଅଭିଯୁକ୍ତ ନରେନ୍ଦ୍ର ମାଝୀ ଥାନାରେ ଆତ୍ମସମର୍ପଣ କରିବା ପରେ ଡାକ୍ତରୀ ମାଇନା କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ଯୁବତୀଙ୍କ ଅଭିଯୋଗ ମୁତାବକ, ପରିବାରର ଆର୍ଥିକ ଦୂରାବସ୍ତା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଏକ ଲୁଗା ଦୋକାନରେ କାମ କରୁଥିଲେ । ଅଭିଯୁକ୍ତ ନରେନ୍ଦ୍ର ମାଝୀ ତାଙ୍କୁ ଫୋନ୍ କରି କୋଲକାତାରେ ଭଲ କାମରେ ଲଗାଇ ଦେବ ବୋଲି କହିଥିଲା । ଅଧିକ ଟଙ୍କା ରୋଜଗାର କରି ପରିବାରକୁ ସହଯୋଗ କରିବା ଲକ୍ଷ୍ୟରେ ଯୁବତୀ ଜଣକ ତାଙ୍କ କଥାରେ ରାଜି ହୋଇଥିଲେ । ଗତ ମାସ ୨୭ ତାରିଖରେ ବସଯୋଗେ ସାଥିହୋଇ କୋଲକାତା ଯାଇଥିଲେ । ସେଠାରେ ଉଭୟ ଗୋଟିଏ ରୁମରେ ରହିଥିଲ । ପ୍ରଥମେ ଯୁବତୀଙ୍କ ସହ ଖରାପ ବ୍ୟବହାର କରିଥିଲା । ଯୁବତୀ ବିରୋଧ କରିବାରୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ନରେନ୍ଦ୍ର । ପ୍ରତିବାଦ କଲେ ଜୀବନରୁ ମାରି ଦେଇ ଗଙ୍ଗା ନଦୀରେ ଫିଙ୍ଗି ଦେବାକୁ ଧମକ ମଧ୍ୟ ଦେଇଥିଲା । ପରେ ତାଙ୍କ ଫୋନ୍ ଛଡେଇ ନେଇ ଅନ୍ୟ ଏକ ଫୋନରେ ଘରକୁ ଫୋନ୍ କରି ଏଠାରେ ଭଲରେ ଅଛି ବୋଲି ଯୁବତୀଙ୍କ ଧମକ ଦେଇଥିଲା ନରେନ୍ଦ୍ର । ପରେ କେତେକ ସହଯୋଗିଙ୍କ ପରାମର୍ଶ ଅନୁସାରେ ନରେନ୍ଦ୍ର ସଂପୃକ୍ତା ଯୁବତୀଙ୍କ ଭିଡିଓ ବାର୍ତ୍ତା ଓ ଏକ ଲେଖା ସଂଗ୍ରହ କରିଥିଲା । ଶେଷରେ ଯୁବତୀ ଜଣକ ଆତ୍ମହତ୍ୟା କରିଦେବ ବୋଲି କହିବାରୁ ଗତ ତା ୦୧.୦୭.୨୪ରିଖ ରାତି ଟ୍ରେନରେ କୋଲକାତାରୁ ଭଦ୍ରକ ଆଣିଥିଲା ଏବଂ ଷ୍ଟେସନରେ ପାଣି ବୋତଲ ଆଣିବାକୁ କହି ଯୁବତୀଙ୍କୁ ଛାଡି ଚାଲିଯାଇଥିଲା ନରେନ୍ଦ୍ର । ଘଟଣାକୁ ନେଇ ପୀଡିତା ପରିବାର ଲୋକଙ୍କୁ ଅବଗତ କରି ଶେଷରେ ଗତ ୪ ତାରିଖରେ ପୀରହାଟ ଥାନାରେ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |