ନିଖିଳ ଉତ୍କଳ ଜିପିଏଲ୍‌ଏଫ ଇସି ସଂଘ ପକ୍ଷରୁ ଭଦ୍ରକରେ ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ |

72

କଟକ (ଉତ୍କଳ ନ୍ୟୁଜ ) ୦୬-୦୩-୨୦୨୪ ; ଭତ୍ତା ବୃଦ୍ଧି, କର୍ମଚାରୀର ମାନ୍ୟତା ଓ ସାମାଜକ ସୁରକ୍ଷା ଦାବିରେ ନିଖିଳ ଉତ୍କଳ ଜିପିଏଲ୍‌ଏଫ ଇସି ସଂଘ ପକ୍ଷରୁ ଭଦ୍ରକରେ ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନିଖିଳ ଓଡ଼ିଶା ଜିପିଏଲଏଫଇସି ସଂଘ ଆହ୍ୱାନରେ ଭଦ୍ରକ ଜିଲ୍ଲାର ୬ଟି ବ୍ଲକ୍ ଅଞ୍ଚଳରୁ ଶହଶହ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନର ଇସି ସଦସ୍ୟା ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ମଧ୍ୟରେ ସମସ୍ତ କାର୍ଯ୍ୟକାରିଣୀ ସଭ୍ୟା ମାନଙ୍କ ଚାକିରୀରେ ସ୍ଥାୟିତ୍ୱ, ମାସିକ ଦରମା ୧୦ ହଜାର ଟଙ୍କା ପ୍ରଦାନ କରିବା, ଚାକିରୀ ଶେଷରେ ପେନସନ, କାର୍ଯ୍ୟକାରିଣୀ ସଭ୍ୟା ମାନଙ୍କ ସାମାଜିକ ନିରାପତ୍ତା, ଇସି ସଭ୍ୟାମାନଙ୍କୁ ରାଜ୍ୟ ଶାସକ ଦଳର ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ନକରିବା, କାର୍ଯ୍ୟକାରିଣୀ ସଭ୍ୟା ମାନଙ୍କ ସ୍ୱାଭିମାନର ସୁରକ୍ଷା ଦାବି କରି ଏକ ବିଶାଳ ଲାଲ ଶୋଭାଯାତ୍ରା ଭଦ୍ରକ ବନ୍ତ ଛକରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଇସି ସଭ୍ୟା ମାନଙ୍କ ସଂଘର ସଭାନେତ୍ରୀ ଜାନକୀ ନାୟକ ଙ୍କ ସଭାପତିତ୍ୱରେ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ତଥା ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାର ମିଶନ ଶକ୍ତି ଆଢ଼ୁଆଳରେ ମହିଳାମାନଙ୍କୁ ଶୋଷଣ କରିବା, ଉଭୟଙ୍କ ଅଘୋଷିତ ବୁଝାମଣା ଓଡିଶାବାସୀଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହେବା ଆଦି ଘଟଣାରେ ଦୃଢ ନିନ୍ଦା କରିବା ସହିତ ମହିଳାମାନଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଦୃଢ ସମର୍ଥନ କରିଥିଲେ । ସେହିପରି ଜୟନ୍ତ ଦାସ ଅନୁପମା ନାୟକ, ମିନତି ମିଶ୍ର, ଅରୁଣା ମହାନ୍ତି, ପ୍ରଭାତୀ ପଟ୍ଟନାୟକ, ଅନୁଷୟା ରାଉତ, ଯୁବ ନେତା ବିକାଶ ନାଥ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଦାବିକୁ ମାନି ନେବାକୁ ନିବେଦନ କରିଥିଲେ । ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଅଧିନରେ କାର୍ଯ୍ୟରତ କାର୍ଯ୍ୟକାରିଣୀ ସଭ୍ୟା ମାନଙ୍କୁ ତଥ୍ୟ ସଂଗ୍ରହ କାର୍ଯ୍ୟ ଦେବା, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଓଡିଶା ଜୀବିକା ମିଶନ ମାଧ୍ୟମରେ ମହିଳା ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ର କାର୍ଯ୍ୟ ଦେବା ସହ ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା, ମୋ ବଗିଚା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରିବା, ସାଧାରଣ ଗଣବଣ୍ଟନ ବ୍ୟବସ୍ଥାରେ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ଦେବା, ଚାଷୀ ମାନଙ୍କ ଠାରୁ ଧାନ କିଣିବା, ଶାସକ ବିଜେଡି ଦଳର ସମସ୍ତ ସଭା ସମିତିରେ ଲୋକଙ୍କୁ ନେଇ ଯିବା ପରି ଅତ୍ୟଧିକ ଦାୟିତ୍ୱ ଦେବା ସତ୍ୱେ ରାଜ୍ୟ ସରକାର ମାତ୍ର ଏକ ହଜାର ଟଙ୍କା ଭତ୍ତା ଦେଉଛନ୍ତି । ଚାକିରୀର ସ୍ଥାୟିତ୍ୱ ନକରି ଦରମା ନବଢାଇ ଏକ ବ୍ଲେଜର ଦେବେ ବୋଲି ଘୋଷଣା କରିବା ମହିଳା କାର୍ଯ୍ୟକାରିଣୀ ସଭ୍ୟା ମାନଙ୍କ ପ୍ରତି ଉପହାସ ଅଟେ ବୋଲି କୁହାଯାଇଛି । ଇସି ସଭ୍ୟା ମାନଙ୍କ ମୌଳିକ ଅଧିକାରକୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଚପାଇ ଶାସକ ଦଳର କର୍ମୀ ଭାବେ ସେମାନଙ୍କୁ ବ୍ୟବହାର କରୁଥିବାରୁ ଇସି ସଭ୍ୟାମାନେ କ୍ଷୋଭ ପ୍ରକାଶ କରିଥିଲେ । ଶାସକ ବିଜେଡି ଦଳର କର୍ମୀ ଭାବେ ଆଗାମୀ ଦିନରେ କାର୍ଯ୍ୟ କରିବେ ନାହିଁ ବୋଲି ଇସି ସଭ୍ୟା ମାନେ ରୋକଠୋକ ଜଣାଇଥିଲେ । ଆନ୍ଦୋଳନର ଶେଷ ପର୍ଯ୍ୟାୟରେ ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଇସି ସଭ୍ୟା ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସିଆଇଟିୟୁ ନେତୃତ୍ୱରେ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଇସି ସଭ୍ୟା ସଂଘ ର ନେତୃତ୍ୱ ପ୍ରକାଶ କରିଛନ୍ତି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |