ବୃଦ୍ଧ ଶ୍ୱଶୁର ବାଡିରେ ଗୋଡେଇ ଗୋଡେଇ ଆକ୍ରମଣ କଲା ପୁଅ ବୋହୁଙ୍କୁ, ଦେଖଣାହାରୀ ସାଜିଲେ ଗ୍ରାମବାସୀ |

23

କଟକ (ଉତ୍କଳ ନ୍ୟୁଜ ) ୨୭-୦୪-୨୦୨୪ : ପୂର୍ବ ଶତୃତାକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ବାଡିରେ ଗୋଡେଇ ଗୋଡେଇ ଆକ୍ରମଣ । ଦେଖଣାହାରୀ ସାଜିଲେ ଗ୍ରାମବାସୀ । ଭିଡିଓ ଭାଇରାଲ ହେବାପରେ ପୋଲିସ ଏକ ମାମଲା ରୁଜୁକରି ୩ ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକୁ ଗିରଫ୍ କରିଥିବା ସୂଚନା ମିଳିଛି । ସେପଟେ ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା, ତାଙ୍କ ସ୍ୱାମୀ ଓ ଦିଅର ମେଡିକାଲରେ ଭର୍ତ୍ତୀ ହୋଇଥିଲେ । ୨୫ ତାରିଖରେ ସେମାନେ ଘରକୁ ଫେରିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ସାମନା ଆସୁଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ନଳଗୋହିରା ଗ୍ରାମରୁ । ଏହି ଗାଁର ବୃଦ୍ଧ ତ୍ରିଲୋଚନ ସାହୁ ଓ ତାଙ୍କ ବଡ ପୁଅ ସଦାନନ୍ଦ ସାହୁ ମିଳିତଭାବେ ଗାଁ ଦାଣ୍ଡରେ ଏବଂ ସର୍ବସମ୍ମୁଖରେ ନିଜ ପୁଅ ରାଧାଶ୍ୟାମ ସାହୁ, ମଧୁସୂଦନ ସାହୁ ଓ ବୋହୁ ନିଳିମା ସାହୁଙ୍କୁ ବାଡିରେ ଗୋଡେଇ ଗୋଡେଇ ନିର୍ଧୁମ ପିଟି ଚାଲିଥିଲେ । ଦାଣ୍ଡରେ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଖାଲି ବାଡି ପ୍ରହାର ଦେଖିବାକୁ ମିଳିଥିଲା । ତଳେ ପକେଇ ପିଟି ଚାଲିଥିଲେ । ଆଖଡା ସ୍ଥଳର ବାଡିଖେଳ ଠାରୁ ଆହୁରି ପ୍ରଖର ବେଗରେ ବୃଦ୍ଧ ଜଣକ ବାଡିରେ ପୁଅ ବୋହୁଙ୍କୁ ପିଟି ଚାଲିଥିଲା । ଏବଂ ସଦାନନ୍ଦ ସାହୁଙ୍କ ସ୍ତ୍ରୀ କାଞ୍ଚନ ସାହୁ ବାଡି ଯୋଗାଇବାରେ ସହଯୋଗ କରିଥିଲା । ଯାହାର ଭିଡିଓ ସମ୍ପୂର୍ଣ୍ଣ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଗତ ୨୧ ତାରିଖରେ ଏଭଳି ଘଟଣା ଘଟିଥିବା ବେଳେ ସେହିଦିନ ରାଧାଶ୍ୟାମ ସାହୁଙ୍କ ସ୍ତ୍ରୀ ରଞ୍ଜିତା ସାହୁ ଥାନାରେ ଅଭିଯୋଗ କରିଥିଲେ । ବୃଦ୍ଧଙ୍କ ଭୟଙ୍କର ରୂପ ଏବଂ ଆକ୍ରୋଶ ମୂଳକ ଆକ୍ରମଣ ଯିଏ ବି ଦେଖିଲେ ତାଟକା ହୋଇଯିବ । ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ସଦାନନ୍ଦ ସାହୁଙ୍କୁ ଗିରଫ୍ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧ ତ୍ରିଲୋଚନ ଫେରାର୍ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଘଟଣା ଯାହା ହେଉନା କାହିଁକି ସାମାନ୍ୟ ଜମିବାଡିକୁ କେନ୍ଦ୍ରକରି ବୃଦ୍ଧ ବାପ ଏପରି ପୁଅ ବୋହୁଙ୍କୁ ଆକ୍ରମଣ କରିବା ଘଟଣା ସାଧାରଣରେ ନିନ୍ଦନୀୟ । ସୂଚନା ମୁତାବକ, ବୃଦ୍ଧ ତ୍ରିଲୋଚନ ସାହୁଙ୍କର ୩ ପୁଅ । ମାତ୍ର ସେ ବଡ ପୁଅ ସଦାନନ୍ଦଙ୍କୁ ନିଜର କରି ଅନ୍ୟ ଦୁଇ ସାନ ପୁଅଙ୍କୁ ଅଣଦେଖା କରୁଛନ୍ତି । କେବଳ ସେତିକି ନୁହେଁ ତାଙ୍କ ନାମରେ ଥିବା ଏକ ପ୍ଲଟକୁ ବଡ ବୋହୁଙ୍କ ନାମରେ ଦଲିଲ କରିଛନ୍ତି । ଏହାକୁ ବିରୋଧ କରି ଦୁଇପୁଅ ଅଦାଲତରେ ଆଶ୍ରୟ ନେଇଛନ୍ତି । ଯାହାକୁ ନେଇ ବୃଦ୍ଧ ବାପ ବଡ ପୁଅକୁ ସାଙ୍ଗରେ ନେଇ ଏପରି ଆକ୍ରୋଶ ମୂଳକ ଭାବେ ବାଡିରେ ଗୋଡେଇ ଗୋଡେଇ ଗାଁ ଦାଣ୍ଡରେ ପିଟିଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |