ଯୁବ ଡାକ୍ତର ଭବାନୀ ଶଙ୍କରଙ୍କ ବିୟୋଗ |

283

କଟକ (ଉତ୍କଳ ନ୍ୟୁଜ ) ୨୦-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଯୁବ ଡାକ୍ତର ଭବାନୀ ଶଙ୍କର ନାୟକଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ସେ ଗତକିଛି ଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ ଓ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଗତକାଲି ଅପରାହ୍ନରେ ଆମ୍ବୁଲାନ୍ସରେ ତାଙ୍କୁ ଓଡ଼ିଶା ଅଣାଯାଉଥିବା ବେଳେ ରାସ୍ତାରେ ପରଲୋକ ହୋଇଯାଇଛି । ସମାଜସେବୀ ନିଶାକର ନାୟକଙ୍କର ସେ ଏକମାତ୍ର ପୁତ୍ର ଅଟନ୍ତି । ଭବାନୀ ସହିଦନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତରଭାବେ କାର୍ଯ୍ୟ କରୁଥିଲେ । ତିହିଡ଼ିରେ ମା ହୋମିଓ କ୍ଲିନିକ ଖୋଲି ଲୋକଙ୍କର ଚିକିତ୍ସା ମଧ୍ୟ କରୁଥିଲେ । ସେ ଅତ୍ୟନ୍ତ ସରଳ ଓ ଜଣେ ଉତ୍ତମ ଚିକିତ୍ସକଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତିହିଡ଼ିରେ ଶୋକର ଛାୟା ଖେଳିଯାଇଛି । ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି । ତିହିଡ଼ି ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ମଧ୍ୟ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ତାଙ୍କ ମରଶରୀର କଟକରେ ପହଂଚିବା ପରେ ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କର ପୈତୃକ ଘର ତିହିଡ଼ି ତାଳପଦାରେ ହୋଇଥିବା ବେଳେ ସ୍ଥାୟୀ ଭାବେ ତିହିଡ଼ି ହାଇସ୍କୁଲ ସମ୍ମୁଖରେ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇ ପୁଅ ଅଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |