ସାମନା ଆସିଲା ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ତୃଟି, ରୋଗୀଙ୍କ ହାତ ଗୋଡ ବିନ୍ଧା ପାଇଁ କୁକୁର କାମୁଡା ଇଞ୍ଜେକସନ୍‌ |

68

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ସାମନା ଆସିଲା ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ତୃଟି । ଜଣେ ରୋଗୀଙ୍କ ହାତଗୋଡ ବିନ୍ଧା ପାଇଁ କୁକୁର କାମୁଡା ଇଞ୍ଜେକସନ୍‌ ଦେଇଥିବା ଅଭିଯୋଗ । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ହାତ ଗୋଡ ବିନ୍ଧା ଇଞ୍ଜେକସନ ବଦଳରେ ଦେଲେ କୁକୁର କାମୁଡା ଇଞ୍ଜେକସନ । ଭଣ୍ଡାରିପୋଖରୀ ଥାନା ଅଧିନ ଦକ୍ଷିଣବାଡ ଗାଁର ୫୬ ବର୍ଷିୟ ବିଜୟ ବିଶ୍ୱାଳଙ୍କ ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧାବିନ୍ଧି କରୁଥିଲା । ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ମଧ୍ୟ ଚିଠା ପ୍ରସ୍ତୁତ କରିଲେ । ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ଲେଖିଥିଲେ । ବିଜୟ ଇଞ୍ଜେକସନ ନେବାପାଇଁ ଲାଇନ୍‌ରେ ଛିଡା ହୋଇଥିଲେ । ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ବଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ । ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲେ । ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକ୍ୟୁସନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ । ବିଜୟଙ୍କୁ ପରିବାର ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ମଧ୍ୟ କରିଛି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ କହିଛନ୍ତି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |