ବର୍ବରତାର ସୀମାପାର, ବିଜେଡି ଛାଡି ବିଜେପିରେ ମିଶିଥିବାରୁ ଖୁଂଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ |

53

କଟକ (ଉତ୍କଳ ନ୍ୟୁଜ ) ୨୭-୦୪-୨୦୨୪ ; ଭଦ୍ରକ ଜିଲ୍ଲା ପିରହାଟ ଥାନା ବୟାଙ୍ଗ ଅଞ୍ଚଳ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାଲପୁରରେ ବର୍ବରତା ସୀମା ଟପିଛି । ସେହିଗାଁର ଜଣେ ଯୁବକ ବିଜେଡି ଦଳ ଛାଡି ବିଜେପିରେ ମିଶିଥିବା ନେଇ କିଛିଦିନ ହେଲା ନାନାଦି ହଇରାଣ ହରକତ କରି ଆସୁଥିବା ବେଳେ ଆଜି ଗାଁର ଏକ ଅଷ୍ଟମ ପ୍ରହରୀ ମଣ୍ଡପ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ତାଙ୍କ ସ୍ତ୍ରୀ ଯେତେବେଳେ ପ୍ରତିବାଦ କରନ୍ତି ତାଙ୍କୁ ମଧ୍ୟ ଗାଁର ମହିଳାମାନେ ମାଡ ମାରିବା ସହ ପିନ୍ଧିଥିବା ବସ୍ତ୍ରକୁ ଚିରି ଦେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ ସ୍ତ୍ରୀଙ୍କ ମାଡ ମରାଯିବା ଘଟଣାର ଏକାଧିକ ଗ୍ରାମବାସୀ ମୁକସାକ୍ଷୀ ଥିଲେ । ପରେ ପୋଲିସ ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଅଭିଯୋଗ ମୁତାବକ, ସାଲପୁର ଗାଁର ବାଇଧର ମାଝୀଙ୍କୁ ଦଳୀୟ ଶତୃତା ପ୍ରଦର୍ଶନ କରି ଖୁଣ୍ଟରେ ବାନ୍ଧି ମାଡ ମରା ଯାଇଥିବା ତାଙ୍କ ସ୍ତ୍ରୀ ଝରଣା ମାଝୀ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ବିଗତ ଦିନରେ ବିଜେଡିରେ କର୍ମୀଭାବେ ଥିଲେ ମାତ୍ର କିଛିଦିନ ତଳେ ସେ ବିଜେପିରେ ସାମିଲ ହୋଇଥିବା ନେଇ ଗ୍ରାମର କେତେକ ବ୍ୟକ୍ତିଙ୍କର ଆକ୍ରୋଶ ଶିକାର ହୋଇ ଆସୁଥିଲେ । ଏଥିସହ ଗାଁ ଦାଣ୍ଡରେ ତାଙ୍କୁ ନାନାଦି ଧମକ ଚମକ ଦେଇ ଆସୁଥିଲେ । ଶୁକ୍ରବାର ସକାଳେ ବାଇଧର ବାହାର ଗାଁକୁ କାମ କରିବାକୁ ଯାଉଥିବା ବେଳେ ପ୍ରାୟ ୧୮ ଜଣ ବ୍ୟକ୍ତି ମିଳିତଭାବେ ତାଙ୍କୁ ଅଟକାଇ ମାରଧର କରିବା ସହିତ ଅଷ୍ଟମ ପ୍ରହରୀ ମଣ୍ଡପ ଖୁଣ୍ଟରେ ବାନ୍ଧି ଦେଇଥିଲେ । ତାଙ୍କ ଝିଅ ଏହା ଦେଖି ଘରେ ଖବର ଦେଇଥିଲା । କିଛି ସମୟ ମଧ୍ୟରେ ତାଙ୍କ ସ୍ତ୍ରୀ ଆସି ପ୍ରତିବାଦ କରିବାରୁ ତାଙ୍କ ସାମନାରେ ବାଇଧରଙ୍କୁ ପୁଣି ମାଡ ମରାଯିବା ସହିତ ତାଙ୍କୁ କେତେକ ମହିଳା ମାଡ ମାରିଥିବା ଅଭିଯୋଗ କରିଛନ୍ତି । ତେବେ ସ୍ୱାମୀ ସ୍ତ୍ରୀଙ୍କୁ ଅମାନୁଷିକଭାବେ ମାଡମରା ଯାଉଥିବା ଘଟଣାର ଦୁଇ ଜଣ ସାକ୍ଷୀ କାଳନ୍ଦି ବାରିକ ଓ ଧୁଃଶାସନ ବଳଙ୍କ ନାମ ଝରଣା ମାଝୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ପୋଲିସ ତଦନ୍ତ କରି ସମସ୍ତ ଅଭିଯୁୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ତେବେ ଏହି ଗାଁରେ ଅଷ୍ଟମ ପ୍ରହରୀ ସଂଗଠନ ବିଭାଜନକୁ କେନ୍ଦ୍ରକରି ଏପରି ଆକ୍ରୋଶ ମୂଳକ ଘଟଣା ଘଟିଥିବା ଆକ୍ରମଣର ଶିକାର ହୋଇଥିବା ବାଇଧର କହିଛନ୍ତି । ପ୍ରଥମେ ଗାଁରେ ଗୋଟିଏ ଅନୁଷ୍ଠାନ ଚାଲୁଥିଲା ମାତ୍ର କିଛିଦିନ ତଳେ ଦଳୀୟ କନ୍ଦଳ ହେତୁ ଦୁଇଭାଗ ହୋଇ ଦୁଇଟି ଅନୁଷ୍ଠାନ ମଧ୍ୟ ହୋଇଛି । ତେବେ ବାଇଧର ବିଜେପିରେ ସାମିଲ ହେବାପରେ କିଛିଦିନ ଧରି ବିଜେଡି କର୍ମୀମାନେ ତାଙ୍କୁ ପୁଣି ବିଜେଡିକୁ ଫେରି ଆସିବାକୁ ଚେତାବନି ଦେଇ ଆସୁଥିଲେ ଏବଂ ସେ ରାଜି ନହେବାରୁୁ ଆଜି ଏପରି ଖୁଣ୍ଟରେ ବାନ୍ଧି ଅତି ଅମାନୁଷିକଭାବେ ମାଡ ମାରିଥିବା କହିଛନ୍ତି । ଏହି ଘଟଣାଟି ପୋଲିସ ପାଇଁ ମୁଣ୍ଡ ବଥାର କାରଣ ସାଜିଥିବା ବେଳେ ସାମାଜିକ ସ୍ତରରେ ଏକ ଜଘନ୍ୟ କାଣ୍ଡ ବୋଲି କୁହାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |