ନଳାଙ୍ଗରେ ସରକାରୀ ଜମି ଜବର ଦଖଲ କରିଥିବା ବିଧାୟକଙ୍କ ବିରୋଧରେ ତାତିଲେ ଭଦ୍ରକବାସୀ |

195

କଟକ (ଉତ୍କଳ ନ୍ୟୁଜ ) ୮-୧୨-୨୦୨୩: ସରକାରୀ ଜମି ଜବର ଦଖଲ କରିଥିବା ବିଧାୟକଙ୍କ ବିରୋଧରେ ତାତିଲେ ଭଦ୍ରକବାସୀ । ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି ଭଦ୍ରକ ବିଧାୟକଙ୍କୁ । ଭଦ୍ରକ ବିଧାୟକ ଓ ବିଜେଡିର ତାଙ୍କ ବିଦ୍ରୋହୀ ଗୋଷ୍ଠିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସଂପ୍ରତି ଉଗ୍ରରୂପ ନେବାରେ ଲାଗିଛି । ବିଶେଷକରି ବିଧାୟକଙ୍କ ବିଦ୍ରୋହୀ ଗୋଷ୍ଠି ପୌରଧ୍ୟକ୍ଷା ପଦବୀ ହାତେଇବା ପରେ ବିଧାୟକଙ୍କ ମୁଣ୍ଡ ଗୁଡୁମ୍ । କଳେବଳେ କୌଶଳେ ପୌରାଧ୍ୟକ୍ଷାଙ୍କ କ୍ଷମତାକୁ ସଙ୍କୁଚିତ କରି ନିଜକୁ ଭଦ୍ରକବାସୀଙ୍କ ଆଗରେ ବାଃବାହା ନେବାକୁ କରୁଛନ୍ତି ଉଦ୍ୟମ । ଭଦ୍ରକବାସୀଙ୍କ ଉନ୍ନତିକୁ ଧୂଳିସାତ କରିବା ସହିତ ନୀତିନିୟମ ଉର୍ଦ୍ଧରେ ରହି ସରକାରୀ ଯୋଜନାକୁ କାର୍ଯ୍ୟକ୍ଷମ କରାଇ ନଦେବାକୁ ବିଭିନ୍ନ ସମୟରେ ପ୍ରୟାସ କରୁଛନ୍ତି । ଯାହାକୁ ନେଇ ବ୍ୟକ୍ତିଗତ ଭାବେ ବିଧାୟକଙ୍କ ସହ ଭଲ ସମ୍ପର୍କ ଥିବା ସମର୍ଥକ ମଧ୍ୟ ଧିରେଧିରେ ପଛକୁ ଫେରିଗଲେଣି । ଆଗାମି ନିର୍ବାଚନରେ ଦଳୀୟ ପ୍ରାର୍ଥିତ୍ୱକୁ ନେଇ ଯେତେବେଳେ ପ୍ରଶ୍ନ ଉଠୁଛି ସେଇଠୁ ଆରମ୍ଭ ହୋଇ ଯାଇଛି ବିଜେଡିର ଆଗଧାଡିର ଥିବା ନେତାଙ୍କ ଗୋଡଟଣା । ସେପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତାଙ୍କ ପୁଅ ଅସିତ ପଟ୍ଟନାୟକ ଭଦ୍ରକବାସୀଙ୍କୁ ନେଇ ରାଜନୈତିକ ଅଭିସନ୍ଧି ମଧ୍ୟରେ ମାଡି ଚାଲିଛନ୍ତି । ତାଙ୍କ ପଥରେ ଚେକ୍ ଦେବାଲାଗି ଲାଗି ବିଧାୟକ ଅଣ୍ଟା ଭିଡିଥିବା କୁହାଯାଉଛି । ତାଙ୍କ ଇସାରାରେ ପ୍ରଶାସନିକ କଳ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଅସିତ ପଟ୍ଟନାୟକଙ୍କ ସମର୍ଥନମାନଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନକୁ ଚେତାବନି ଦିଆଯାଇଛି । ସାଧାରଣ କାର୍ଯ୍ୟରେ ବିଧାୟକଙ୍କ ଇସାରାରେ ପ୍ରଶାସନିକ କଳ ପରିଚାଳିତ ହେଉଛି ଏବଂ ବଳି ପଡୁଛନ୍ତି ସାଧାରଣ ଜନତା । ବିଧାୟକଙ୍କ ଦଳୀୟ ବିବାଦ ଏବେ ଭଦ୍ରକବାସୀ ଜାଣି ସାରିଲେଣି । ଖୋଦ୍ ବିଧାୟକ ନଳାଙ୍ଗସ୍ଥିତ ଏକ ସରକାରୀ ଜମିକୁ ଜବର ଦଖଲ କରି ବ୍ୟବହାର କରୁଥିବା ସେମାନେ ଆରୋପ କରିଛନ୍ତି । ରକ୍ଷକ ହୋଇ ଭକ୍ଷକ ହେଉଥିବା ବିଧାୟକକଙ୍କ ବିରୋଧରେ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ହେଁ ଏଯାବତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ବିଧାୟକଙ୍କ ହସ୍ତକ୍ଷେପରେ ପୂର୍ବରୁ ମଧ୍ୟ ବିନା କାରଣରେ ମଧ୍ୟ ପୌରାଧ୍ୟକ୍ଷ ଓ ଅସିତ ପଟ୍ଟନାୟକଙ୍କ ସମର୍ଥକମାନଙ୍କ ବିରୋଧରେ ବିଭିନ୍ନ ମାଲିଲୋକଦ୍ଦମା ରୁଜୁ କରାଯାଇଛି ଯାହାକୁ ନେଇ ରାଜନୈତିକ ପାଣିପାଗ ଦିନକୁଦିନ ବିଗିଡିବାରେ ଲାଗିଛି । ଅନ୍ୟପଟେ ନିକଟରେ ଅସିତ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ସମର୍ଥକମାନଙ୍କ ଦ୍ୱାରା ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ଓ ଉତ୍ସବ ପାଳନକୁ ବିରୋଧ କରି ଆୟୋଜକଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଥାନାରେ ଏତଲା ଦିଆଯାଇଛି । ଯାହାକୁ ନେଇ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ବିଧାୟକଙ୍କ ବିରୋଧରେ ତୁମ୍ଭିତୋଫାନ ହୋଇଛି । ଏଭଳି କରାଗଲେ ବିଧାୟକଙ୍କୁ ସିଧାସଳଖ ବିରୋଧ କରି ଅସିତ ପଟ୍ଟନାୟକଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ସରକାରୀ ଜମି ଜବର ଦଖଲ ବିରୋଧରେ ବିଧାୟକଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଗଲେ ଆଗାମି ଦିନରେ ସମର୍ଥକମାନେ ଆନ୍ଦୋଳନକୁ ଉହ୍ଲାଇବେ ବୋଲି ଚେତାବନି ଦିଆଯାଇଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |