ତାଳପଦାରେ ମାଙ୍କଡ ଉପଦ୍ରବ, ୨ମାସରେ ୬ ଗୁରୁତର ଓ ୧୦ ଆହତ।

116

କଟକ(ଉତ୍କଳ ନିୟୁଜ୍)ତିହିଡି, ୨୭.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧିନ ଗୋପ ଗଦାଧରପୁର ଗାଁରେ ମାଙ୍କଡ ଉପଦ୍ରବ ଚରମସୀମାରେ ପହଁଞ୍ôଚଛି । ଅଢେଇ ମାସ ମଧ୍ୟରେ ୬ ଜଣ ଆବାଳ-ବୃଦ୍ଧ-ବନିତା ଗୁରୁତର ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପଞ୍ଚାୟତବାସୀଙ୍କ ପାଇଁ ନିର୍ବାଚନୀ ମୁଦ୍ଦା ପାଲଟିଛି । ଯେଉଁ ପ୍ରାର୍ଥି ଅଥବା ଗୋଷ୍ଠି ମାଙ୍କଡ ହଟେଇବାରେ ସମର୍ଥ ହୋଇପାରିବ ତାଙ୍କୁ ଏହି ଗ୍ରାମବାସୀ ସର୍ବାଧିକ ପସନ୍ଦ କରିବେ ବୋଲି ମତ ରଖିଛନ୍ତି । ଉପାନ୍ତ ଅଞ୍ଚଳରେ ହାତି ଉପଦ୍ରବ ଭଳି ଏବେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଙ୍କଡ ଉପଦ୍ରବ ଚରମ ସୀମାରେ ପହଁଞ୍ôଚଛି । ଖାଲିଯେ ଏହି ମାଙ୍କଡମାନେ ବିଲବାଡିରେ ପନିପରିବା ନଷ୍ଟ କରୁଛନ୍ତି ତାହା ନୁହେଁ ବରଂ ଗ୍ରାମାଞ୍ଚଳରେ ଥିବା ଝାଟିମାଟି ନଡା ଛପର ଓ ଟିଣ ଆଜବେଷ୍ଟସକୁ ମଧ୍ୟ ଭାଙ୍ଗିରୁଜି ଚୁରମାର୍ କରୁଛନ୍ତି । ଏପରିକି ଘରେ ଓ ଦୋକାନରେ ପଶି ପନିପରିବା ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ପଦାର୍ଥ ବୋହି ନେଉଛନ୍ତି । ଏତିକିରେ ତାଙ୍କ ମନ ବୁଝୁନି ସେମାନେ ମଣିଷମାନଙ୍କୁ ଦେଖିଲା ବେଳକୁ ଅତି ଭୟଙ୍କର ହୋଇଯାଉଛନ୍ତି । ବିଗତ କିଛି ବର୍ଷ ହେବ ପୀରହାଟ, ଦୋଳସାହି, ଅଚକ, କମାରିଆ, ଗଦି, ବାରୋ, ବିଲଣା, ପାଳିଆବିନ୍ଧା ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଅନେକଙ୍କୁ କ୍ଷତାକ୍ତ ଓ ଗୁରୁତର କରିଛନ୍ତି । ଏବେ କିଛିଦିନ ହେବ ଏହି ଉପଦ୍ରବ ତାଳପଦା ପଞ୍ଚାୟତର ବିଭିନ୍ନ ଗାଁରେ ଦେଖାଯାଇଛି । ଏକ ହିଂସ୍ର ମାଙ୍କଡ ଦଳ ଗୋପ ଗଦାଧରପୁର ଗାଁରେ ପଶି ଯାହାକୁ ଯେଉଁଠି ପାଉଛି କାମୁଡି ପକଉଛି । ଲୋକେ ଭୟରେ ଘରୁ ବାହାରିବାକୁ ସାହସ କରୁନାହାଁନ୍ତି । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି । ଏହି ମାଙ୍କଡମାନେ ବିଶେଷକରି ବୃଦ୍ଧ, ମହିଳା ଓ ଛୋଟ ପିଲାମାନଙ୍କୁ ଆକ୍ରମଣ କରୁଛନ୍ତି । ଗଦାଧରପୁର ଗାଁର ମନ୍ମଥ ସାହୁଙ୍କ ସ୍ତ୍ରୀ ଜୟନ୍ତୀ ସାହୁ, ଶରତ ସାହୁଙ୍କ ସ୍ତ୍ରୀ ପ୍ରମିଳା ସାହୁ ଓ ଅନେଶ ତ୍ରିପାଠୀ ଏବଂ ଗୋପର ବସନ୍ତ ଦାସଙ୍କ ପୁଅ ଓମପ୍ରକାଶ ଦାସ, ନିରଞ୍ଜନ ଦାସଙ୍କ ଝିଅ ଶୁଭଶ୍ରୀ ଦାସ ଗତମାସରେ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ ପରେ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରୁନଥିବା ବେଳେ ପୁଣି ଗୁରୁବାର ସକାଳେ ତାଳପଦା ଗାଁର କୁଟିଆ ଜେନା(୬୫) ଗଦାଧରପୁର ଗାଁରୁ ଫେରୁଥିବା ବେଳେ ଗୋଟିଏ ମାଙ୍କଡ ହାବୁଡରେ ପଡିଥିଲା । ରାସ୍ତା ମଝିରେ କୁଟିଆର ପଥ ଅବରୋଧ କରି ଗୋଡକୁ କାମୁଡି ରକ୍ତାକ୍ତ କରି ଦେଇଥିଲା । ମୂମୁର୍ଷ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତୀ କରିଛନ୍ତି । ଏ ସଂକ୍ରାନ୍ତରେ ପୂର୍ବରୁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଆଜି ବନ ବିଭାଗର ୨ ଜଣ କର୍ମଚାରୀ ଗାଁରେ ପହଁଞ୍ôଚ ଜନ୍ତା ବସାଇ ଗୋଟିଏ ଅଣ୍ଡିରା ମାଙ୍କଡକୁ ଧରି ନିଜ କାମ ସାରି ଦେଇଥିବା ବାହାଃବାହାଃ ନେଉଥିବା ବେଳେ ଗ୍ରାମବାସୀମାନେ ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି । ଉପଦ୍ରବ କରୁଥିବା ମାଙ୍କଡ ଦଳରେ ୩୦ରୁ ଅଧିକ ହିଂସ୍ର ମାଙ୍କଡ ଥିବାବେଳେ ଗୋଟିଏ ମାଙ୍କଡକୁ ଧରିନେଲେ କ’ଣ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଏହି ହିଂସ୍ର ମାଙ୍କଡମାନଙ୍କୁ ଗ୍ରାମରୁ ହଟା ନଯାଏ ସରପଞ୍ଚ ପ୍ରମୋଦ ବେହେରା, ବ୍ରଜକିଶୋର ନାୟକ, ଅଜୟ ସାହୁ, ପ୍ରଫୁଲ ପୃଷ୍ଟି, ଚିତ୍ତରଞ୍ଜନ ମିଶ୍ର, ସନାତନ ଦାସ, ବାସନ୍ତୀ ସାହୁ, ପ୍ରିୟମ୍ବଦା ପତି, ସୁଦର୍ଶନ ସେନାପତି, ଦୀନବନ୍ଧୁ ଖୁଣ୍ଟିଆ, ରଶ୍ମିଲତା ପାଢୀ, ଚନ୍ଦ୍ରମଣି ଦାସ, ବିଜୟ ଦାସ, ହରେକୃଷ୍ଣ ସାହୁ, ସୁବାଶ ମହାରଣା, ପ୍ରଶାନ୍ତ ସେଠୀ, ତପନ ମିଶ୍ର ଓ ଗଙ୍ଗାଧର ସାହୁ ପ୍ରମୁଖ ଆନ୍ଦୋଳନ ପାଇଁ ଚେତାବନି ଦେଇଥିବା ବେଳେ ଦିର୍ଘ ଦିନଧରି ଏହି ହିଂସ୍ର ମାଙ୍କଡ ଯେଉଁ ପ୍ରକାରର ଉପଦ୍ରବ ଚଳାଇ ଆସୁଛନ୍ତି ସେମାନଙ୍କୁ ତୁରନ୍ତ ହଟାଇବା ଲାଗି ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିୟୁଜ୍।