ସିନ୍ଦୋଳରେ ବିଜେଡି ଓ କଂଗ୍ରେସକୁ ମୁକାବିଲା କରିବ ବିକାଶ ମଞ୍ଚ!

105

କଟକ(ଉତ୍କଳ ନିୟୁଜ୍)ତିହିଡି, ୨୬.୦୧: ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ସିନ୍ଦୋଳ ପଞ୍ଚାୟତରେ ତ୍ରିସ୍ତରୀୟ ନିର୍ବାଚନ ସଂପ୍ରତି ଚର୍ଚ୍ଚାରେ ରହିଛି । ଏହି ପଞ୍ଚାୟତରେ ଶାସକ ବିଜେଡି ଓ ବିରୋଧି କଂଗ୍ରେସକୁ ବିକାଶ ମଞ୍ଚ ମୁକାବିଲା କରିବ ବୋଲି ବେଶ ବାରି ହେଉଛି । ଶାସକ ବିଜେଡି ଓ ବିରୋଧି କଂଗ୍ରେସ ଦଳ ନିଜର ସମର୍ଥିତ ପ୍ରାର୍ଥି ଦେଇଥିବା ବେଳେ ବିଜେପି ଦଳ ସିଧାସଳଖ ସମର୍ଥିତ ପ୍ରାର୍ଥି ଘୋଷଣା ନକରି ସିନ୍ଦୋଳ ପଞ୍ଚାୟତ ବିକାଶ ମଞ୍ଚ ବେନରରେ ପ୍ରାର୍ଥି ଦେଇଛି । ବିଜେପି ସହିତ ଅସନ୍ତୁଷ୍ଟ ବିଜେଡିର ଏକ ଗୋଷ୍ଠି ମିଳିତଭାବେ ପଞ୍ଚାୟତ ଦଖଲ କରିବାକୁ ପଣ କରିଥିବା ଜଣାଯାଇଛି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀଭାବେ ସୁପ୍ରଭା ପାଣି ଓ ସମିତି ସଭ୍ୟ ପ୍ରାର୍ଥି ଭାବେ ପୂର୍ବତନ ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ ମୈଦାନରେ ଉଭା ହୋଇ ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀମତୀ ପାଣି ଏବର ସରସଞ୍ଚ ବୈକୁଣ୍ଠନାଥ ପାଣିଙ୍କ ଭାଇବୋହୁ ତଥା ହିମାଂଶୁ ଶେଖର ପାଣିଙ୍କ ଧର୍ମପତ୍ନୀ । ରାଜନୀତିରେ ପରାକାଷ୍ଟା ବଜାୟ ରଖି ପାରିଥିବା ବୈକୁଣ୍ଠନାଥଙ୍କ ଉପରେ ଭରଷା କରି ଦଳ ସମର୍ଥନ କରିଥିବା ଜଣାଯାଇଛି । ସିନ୍ଦୋଳ ପଞ୍ଚାୟତର ବିକାଶର ଧାରା ବଜାୟ ରଖିବା ପାଇଁ ବୈକୁଣ୍ଠନାଥଙ୍କ ଭାଇବୋହୁ ଓ ସମିତି ସଭ୍ୟଙ୍କ ବାଜିମାତ୍ କରିବା ଲକ୍ଷ୍ୟରେ ରାଜନୀତିର ଗୋଟି ଚାଳନା ଆରମ୍ଭ କରିଛନ୍ତି । ଲୋକଙ୍କ ସୁଖଦୁଃଖର ସାଥିରେ ରହିଥିବାରୁ ବିଗତ ୩ଟି ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ଅବିଭକ୍ତ ସିନ୍ଦୋଳ ପଞ୍ଚାୟତରେ ବହୁବିଧ ଉନ୍ନତି ମୂଳକ ଯୋଜନା ପ୍ରଣୟନ କରାଯାଇଛି । ପାନୀୟ ଜଳ ଯୋଗାଣ ଯୋଜନା ନିମନ୍ତେ ସିନ୍ଦୋଳ, ମଙ୍ଗଳପୁର, ସନ୍ଥପୁରା, ନୁଆସାହି ଓ କମାରିଆରେ ବୃହତ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି । ସନ୍ଥପୁରାରେ ବ୍ଲକ ସ୍ତରୀୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ନୂଆସାହିରେ ବାତ୍ୟା ଆଶ୍ରୟ ସ୍ଥଳ, ମେଗା ପାନୀୟ ଜଳ ଯୋଗାଣରେ ସାମିଲ କରିବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବିଭିନ୍ନ ଗାଁକୁ ସଂଯୋଗିକରଣ କରିବା ଆଦି ଅର୍ନ୍ତଭୁକ୍ତ ରହିଛି । ସେହିପରି ଖାଡେଙ୍ଗା କେନାଲରର ଗୋଟିଏ ପାଶ୍ୱର୍ରେ ରାସ୍ତା ନିର୍ମାଣ, ଦଶମୌଜା କେନାଲରେ ଆଡିବନ୍ଧ ସହିତ ଚାଷୀଙ୍କ ପାଇଁ ଯାତାୟତ ନିମନ୍ତେ ଫୁଟ୍ ବ୍ରିଜ୍ ନିର୍ମାଣ କରିବା, ଲୋ-ଭୋଲଟେଜରୁ ମୁକ୍ତି ନିମନ୍ତେ ଆରୁଆରେ ସବ୍‌ଷ୍ଟେସନ ସ୍ଥାପନ, ବିଭିନ୍ନ ଗାଁ ଗଣ୍ଡାରେ ୨୦ରୁ ଉର୍ଦ୍ଧ ଟ୍ରାନ୍ସଫର୍ମର ସ୍ଥାପନ, ଷ୍ଟାଣ୍ଡପୋଷ୍ଟ ଜରିଆରେ ଉଜ୍ଜଳ ଆଲୋକିିକରଣ ସହିତ ବିଭିନ୍ନ ଗାଁ ଗଣ୍ଡାରେ ଲାଇଟ୍ ପୋଷ୍ଟ ଖଞ୍ଜାଯାଇଛି । ସେହିପରି କମାରିଆସ୍ଥିତ ଏପିଏସପଏସ ହାଇସ୍କୁଲକୁ ୫-ଟି ଯୋଜନାରେ ସାମିଲ କରିବା, ଆରୁହାସ୍ଥିତ ସିନ୍ଦୋଳ ପଞ୍ଚାୟତ ହାଇସ୍କୁଲର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନାରୁ ୩୦ ଲକ୍ଷ ଟଙ୍କାର ଅନୁଦାନ ସର୍ବୋପରି ପଞ୍ଚାୟତ କାର୍ଯ୍ୟାଳୟର ଉପରତାଲା ନିର୍ମାଣ ଆଦି ସଫଳତା ବୋଲି ଦାବି କରିବା ସହିତ ଚଳିତ ନିର୍ବାଚନରେ ଭୋଟର ଦଳୀୟ ସମର୍ଥିତ ପ୍ରାର୍ଥିଙ୍କୁ ଚୟନ କରିବେ ବୋଲି ଆଶା କରିଛି ବିଜେଡି। କଂଗ୍ରେସ ସମର୍ଥିତ ପ୍ରାର୍ଥିନୀଭାବେ ପୂର୍ବତନ ବିଧାୟକଙ୍କ କନ୍ୟା ଜଗବନ୍ଧୁ ଦାସଙ୍କ କନ୍ୟା ତଥା କ୍ୟାପଟେନ୍ ମାନସ କୁମାର ଦାସଙ୍କ ଧର୍ମପତ୍ନୀ ତପସ୍ୱିନୀ ଦାସ ଓ ଅନୁସୂଚିତ ଜାତିର ବ୍ଲକ ଅଧ୍ୟକ୍ଷ ଦୀପକ ଦାସ ପ୍ରଚାର ମୈଦାନରେ । ଏକ ଦୂର୍ନୀତିମୁକ୍ତ ପଞ୍ଚାୟତ ଗଠନ କରିବା ଲକ୍ଷ୍ୟରେ ଏହି ପ୍ରାର୍ଥିମାନେ ଅଣ୍ଟା ଭିଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡିକୁ ସଠିକ୍ ଭାବେ ଲୋକଙ୍କ ନିକଟରେ ପହଁଞ୍ଚାଇବା ଏବଂ ଏକ ଆଦର୍ଶ ପଞ୍ଚାୟତ ଗଠନ କରିବା ଲାଗି ବଦ୍ଧ ପରିକର ହୋଇଛନ୍ତି । ତେବେ ୩ ଥର ନିର୍ବାଚିତ ହୋଇଥିବା ଶାସକ ଦଳ ବିଜେଡିକୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଏହି ପ୍ରାର୍ଥିମାନେ । ନଳକୂପରୁ ସ୍ୱଚ୍ଛ ପାନୀୟ ଜଳ ମିଳୁନଥିବା ଏବଂ ପାଇପ୍ ଲାଇନ୍ ଯୋଗେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ପ୍ରକଳ୍ପ ଲୋକଙ୍କ ପିଇବା ପାଣିଭାବେ ବ୍ୟବହାର ଉପଯୋଗି ହୋଇପାରୁ ନଥିବାଏବଂଜଳ ଯୋଗାଣ କେବଳ ନାମକୁ ମାତ୍ର ବୋଲି ଅଭିଯୋଗ କରିଛନ୍ତି । କଂଗ୍ରେସ ଏକ ଆଦର୍ଶ ପଞ୍ଚାୟତ ଗଠନ କରାଯିବ ବୋଲି ମୁଦ୍ଦା ରଖିଛି। ସେହିପରି ସିନ୍ଦୋଳ ପଞ୍ଚାୟତ ବିକାଶ ପକ୍ଷରୁ ବରିଷ୍ଟ ନେତା ନାରାୟଣ ପୃଷ୍ଟିଙ୍କ ପୁତ୍ରବଧୁ ମଧୁସ୍ମିତା ପୃଷ୍ଟି ଓ ସମିତି ସଭ୍ୟ ପ୍ରାର୍ଥିଭାବେ ସରୋଜ ରାଉତ ନିର୍ବାଚନ ମୈଦାନରେ ରଣହୁଙ୍କାର କରିଲେଣି । ପଞ୍ଚାୟତର ଦୂର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଏହି ଲଢେଇ ଆରମ୍ଭ କରିଛି। ମଞ୍ଚର ପ୍ରାର୍ଥିମାନଙ୍କୁ ବିଜୟର ମୁକୁଟ ପିନ୍ଧାଇବା ଲାଗି ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ବିଜେଡିର ଆଶାୟୀ ପ୍ରାର୍ଥି ଅନିରୁଦ୍ଧ ବାରିକଙ୍କ ଧର୍ମପତ୍ନୀ ତଥା ସମିତି ସଭ୍ୟା ଗୌରୀଲତା ବାରିକ ଓ ବିଜେଡିର ଯୁବନେତା ସରୋଜ ରାଉତଙ୍କୁ ଦଳୀୟ ସମର୍ଥନ ନମିଳିବାରୁ ଏବଂ ବିଜେପିର ସମର୍ଥନ ଥିବା ଏହି ପଞ୍ଚାୟତର ନେତା ଓ କର୍ମୀଙ୍କୁ ନେଇ ଗଠିତ ଏହି ବିକାଶ ମଞ୍ଚ ନିର୍ବାଚନରେ କଡ୍ଡା ଟକ୍କର ଦେବ ବୋଲି ସେମାନେ ଆକଳନ କରିଛନ୍ତି। ତେବେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଂଜୟ ଦାସଙ୍କ ରେପୋର୍ଟ ଉତ୍କଳ ନିୟୁଜ୍।