ପୁରୁଷଙ୍କୁ ପଛରେ ପକାଇ ଜିଲ୍ଲା ପରିଷଦ ଦୌଡରେ ସର୍ବାଧିକ ୭୮ ଜଣ ମହିଳା

342

କଟକ(ଉତ୍କଳ ନିୟୁଜ୍)ତିହିଡି, ୨୩.୦୧: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥିମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିସହ ସ୍ୱାଧିନଭାବେ କେତେକ ପ୍ରାର୍ଥି ନିଜର ପରାକାଷ୍ଠା ଜାହିର କରିବା ଲାଗି ନାମାଙ୍କନ ମଧ୍ୟ କରିଛନ୍ତି । ଭଦ୍ରକ ଜିଲ୍ଲାର ମୋଟ ୧୪୭ ଜଣ ନାମାଙ୍କନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮ ଜଣ ମହିଳା ଓ ୬୯ ଜଣ ପୁରୁଷ ଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ତେବେ ବିଜୟୀ ମହିଳାଙ୍କ ମଧ୍ୟରେ ଯଦି ସଂଖ୍ୟା ଗରିଷ୍ଠତା ମିଳେ ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମହିଳାଙ୍କ ହାତକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଭଦ୍ରକ ଜିଲ୍ଲା ରାଜନୀତିରେ ବିଭିନ୍ନ ପଦ ପଦବୀକୁ ନଜରକୁ ନିଆଗଲେ ଜିଲ୍ଲାର ସାଂସଦ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ କେବେ ମହିଳାଙ୍କ ହାତକୁ ଯାଇନଥିଲା । ଗତ ସାଧାରଣ ନିର୍ବାଚନରେ ପ୍ରଥମକରି ଜଣେ ମହିଳା ସାସଂଦଭାବେ ନିର୍ବାଚିତ ହେବାପରେ ଏହି ଧାରାରେ ରୋକ୍ ଲାଗିଛି । ଏବେ ମହିଳାଙ୍କ ନଜର ରହିଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଉପରେ । ପୂର୍ବ ସଂରକ୍ଷଣ ତାଲିକାରେ ଏହି ଆସନଟି ଅନୁସୂଚିତ ଜାତି ମହିଳାଙ୍କ ପାଇ ସଂରକ୍ଷିତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ରାଜନୈତିକ ଚକ୍ରାନ୍ତ କରି କେବଳ ଅନୁସୂଚିତ ଜାତି ଅସଂରକ୍ଷିତ କରାଯାଇଛି । ଅର୍ଥାତ୍ ପୁରୁଷ ପ୍ରାର୍ଥିମାନେ ପୂନର୍ବାର ଏହି ପଦବୀକୁ ହାତେଇବାର ସୁଯୋଗ ସୃଷ୍ଟି କରାଯାଇଛି । ମାତ୍ର ମହିଳାମାନେ ଚଳିତ ଆଉ ପୁରୁଷଙ୍କୁ ସୁଯୋଗ ଦେବେନାହିଁ ବୋଲି ପୁରାଦମ୍‌ରେ ଅଣ୍ଟା ଭିଡିଛନ୍ତି । ରାଜ୍ୟ ସରକାର ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଯେଉଁ ୫୦ ଭାଗ ସଂରକ୍ଷଣ ବ୍ୟବସ୍ଥା ଲାଗୁଛନ୍ତି ତାହା ଭଦ୍ରକ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପବଦୀ ପାଇଁ ପ୍ରଯୁଜ୍ୟ ନୁହେଁ କି ବୋଲି ଅନେକ ମହିଳା ପ୍ରାର୍ଥିନୀ ଦାବୀ କରିଛନ୍ତି । ଭଦ୍ରକ ଜିଲ୍ଲାର ୨୮ଟି ଜୋନର ମଧ୍ୟରୁ ୭ ନମ୍ବର ଜୋନରେ ଏବର ତିହିଡି ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ ନାମାଙ୍କନ କରିଥିବା ବେଳେ ତାଙ୍କୁ ବିଜେପିର ସୁଶ୍ରୀ ସୁଚିସ୍ମିତା ପୁହାଣ, କଂଗ୍ରେସରୁ ତିଳୋତ୍ତମା ମଳିକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ଜ୍ୟୋର୍ତମୟୀ ଦାସ ଆଦି ପ୍ରାର୍ଥିନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତିହିଡି ବ୍ଲକର ବିଜେପି ନେତ୍ରୀ ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଭଦ୍ରକ ବ୍ଲକର ୨୮ ନମ୍ବର ଜୋନରେ ପ୍ରାର୍ଥି କରାଯାଇଥିବା ବେଳେ ବିଜେଡିର ପୂର୍ଣ୍ଣଶଶି ପାଣିଗ୍ରାହୀ ଓ କଂଗ୍ରେସର ଭାରତୀ ସାହୁ ପ୍ରାର୍ଥିନୀ ହୋଇଛନ୍ତି । ତିହିଡି ବ୍ଲକ ଅଧିନ ୬ ନମ୍ବର ଜୋନର ବିଜେଡି ପ୍ରାର୍ଥିନୀ ରୋଜାତା ପଣ୍ଡାଙ୍କ ସହିତ ବିଜେପିର ପ୍ରିୟଙ୍କା ନନ୍ଦ, କଂଗ୍ରେସର ପୁଷ୍ପାଞ୍ଜଳୀ ପାତ୍ର, ବହୁଜନ ସମାଜ ପାର୍ଟ ପକ୍ଷରୁ ମମତା ମଳିକ ଓ ସ୍ୱାଧିନ ପ୍ରାର୍ଥିନୀ ଭାବେ ସୁକାନ୍ତୀ ପାଣିଗ୍ରାହୀଙ୍କ ମଧ୍ୟରେ ଲଢେଇ ହେବ । ୮ ନମ୍ବର ଜୋନର ବିଜେଡି ପ୍ରାଥିନୀ ସୁମତି ସେଠୀଙ୍କ ସହିତ ବିଜେପି ନେତ୍ରୀ ତଥା ଫତେପୁର ପଞ୍ଚାୟତର ସରପଞ୍ଚ ଝରଣା ଯେନା, କଂଗ୍ରେସର ସୁବାଶିନୀ ମଲିକ, କମ୍ୟୁନିଷ୍ଟ ପାର୍ଟ ପକ୍ଷରୁ ମମତାରାଣୀ ଜେନା ଓ ସ୍ୱାଧିନ ପ୍ରାର୍ଥିନୀ ନିତାଞ୍ଜଳୀ ଦାସ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।