ମିଲରଙ୍କ ମନମାନି, ଜବାବ ଦେଇ ଆସିଲେନି ମିଲର, ଖରା କାକରରେ ପଡିରହୁଛି ଚାଷୀଙ୍କ ଧାନ।

147

କଟକ(ଉତ୍କଳ ନିଉଜ)ତିହିଡି, ୧୦.୦୧(ଇମିସ): ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଲରମାନଙ୍କୁ ନିୟୋଜନ ମଧ୍ୟ କରାଯାଇଛି ମାତ୍ର ମିଲରଙ୍କ ମନମାନିରେ ମଣ୍ଡି କର୍ତ୍ତୁପକ୍ଷ ନାକେଦମ ହେଉଥିବା ବେଳେ ବିଚାରା ଚାଷୀ ବାପୁଡା ମଣ୍ଡିରେ ଧାନ ରଖି ଆଖିରୁ ଗଡାଇଲାଣି । ଚଳିତ ବର୍ଷ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଂଘର କେତେକ ଦାବିକୁ କେନ୍ଦ୍ରକରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା ଏବଂ ବିଳମ୍ବ ହେଲେ ମଧ୍ୟ ଚଳିତ ମାସ ୫ ତାରିଖରୁ ସମସ୍ତ ମଣ୍ଡି ଖୋଲାଯିବାକୁ ନିର୍ଦ୍ଦେଶ ହୋଇଛି । ଏହି ମର୍ମରେ ସମସ୍ତ ଜିଲ୍ଲାର ୯୬ଟି ସେବା ସମବାୟ ସମିତି ଓ ୫୮ଟି ମହିଳା ମହାସଂଘ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଧାନ ମଣ୍ଡି ପର୍ଯ୍ୟକ୍ରମେ ଖୋଲାଯାଇଛି । ତେବେ ୭ ତାରିଖ ଠାରୁ ଧାନ କିଣ ହେବାନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ମାତ୍ର ମିଲରମାନଙ୍କ ମନମାନିରେ ଆଜି ପର୍ଯ୍ୟନ୍ତ ତିହିଡି ବ୍ଲକର ମୁଠାଏ ଧାନ ଲିପ୍ଟିଂ ହୋଇନଥିବା ଜଣାଯାଇଛି । ପୂର୍ବ ପ୍ରସ୍ତୁତି ମୁତାବକ କେତେକ ସମିତିଗୁଡିକ ଧାନ ଲିପ୍ଟିଂ ପାଇଁ ଚାଷୀଙ୍କ ଟୋକନ୍ ପ୍ରଦାନ କରାଯାଇଥିଲା । ସୋମବାର ସକାଳୁ ପାଳିଆବିନ୍ଧା ସେବା ସମବାୟ ସମିତିରୁ ଧାନ ଲିପ୍ଟିଂ କରିବା ଲାଗି ଚରମ୍ପାସ୍ଥିତ ଗଣପତି ମିଲର ପ୍ରାକ୍ ପ୍ରତିଶୃତି ଦେଇଥିଲା ଏବଂ ଏନେଇ କେତେକ ଚାଷୀ ମଣ୍ଡିରେ ଧାନ ପକାଇ ମିଲରକୁ ଅପେକ୍ଷା କରିଥିଲେ । ତେବେ ବିଳମ୍ବ ହେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଘରେ ସାଇତା ଧାନକୁ ଭଡାକରି ମଣ୍ଡିରେ ପକେଇଲେ ଏବଂ ଧାନ ବସ୍ତାକୁ ଜଗିବ କିଏ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ଖରା କାକରରେ ଧାନ ନଷ୍ଟ ହେବା ସ୍ୱାଭାବିକ ତେଣୁ ତୁରନ୍ତ ଧାନ ଲିପ୍ଟିଂ କରିବା ଲାଗି ଦାବି କରିଥିଲେ । ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ ଚାଷୀଙ୍କୁ ଭେଟି ସାନ୍ତନ୍ୱା ଦେଇ ଫେରିଯାଇଥିବା ଜଣାଯାଇଛି । ଜିଲ୍ଲା ସ୍ତରରେ ଧାନ ଲିପ୍ଟିଂ ପ୍ରକ୍ରିୟାରେ କେତେକ ବ୍ୟବସ୍ଥାରେ ତୃଟି ରହିଛି ଏବଂ ଖୁବ୍ ଶିଘ୍ର ଏହାର ସମାଧାନ କରାଯାଇ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ ବୋଲି ସେ କହିଥିଲେ । ଅନ୍ୟପଟେ ଜିଲ୍ଲାରେ ୮ଟି ମହିଳା ମହାସଂଘ ଓ ଗୋଷ୍ଠିଙ୍କୁ ଏଯାଏଁ କୌଣସି ଟାରଗେଟ୍ ମିଳିନଥିବାରୁ ବିଭିନ୍ନ ସ୍ଥଳରେ ଅସନ୍ତୋଷ ଦେଖା ଦେଇଛି ଏବଂ ଚାଷୀମାନେ ସିଧାସଳଖ ଏହି କର୍ତ୍ତୁପକ୍ଷଙ୍କୁ ଦାୟୀ କରୁଥିବା ବେଶ ବାରି ହେଉଛି । ସୂଚନା ଥାଉକି, ଚଳିତ ବର୍ଷ ଚାଷୀ ବାପୁଡା ଧାନ ବିହନରେ ଠକାମୀର ଶିକାର ହୋଇଥିଲା । ପରେ ଗଜା ମରୁଡି ଏବଂ ସ୍ୱଳ୍ପ ବର୍ଷାରେ ଯେନତେନ ପ୍ରକାରରେ ଚାଷ କରିଥିଲା । ମଧ୍ୟ ଭାଗରେ ଲଗାଣ ବର୍ଷା ସହିତ ବନ୍ୟାର ମୁକାବିଲା କରି ଯାହାବି ଅମଳକ୍ଷମ କରିବାକୁ ଯାଉଥିଲା ବାତ୍ୟା ଜୱାଦ୍ ଆଉ ଏକ ଝଟଡା ଦେଇଛି । ତଥାପି ଯାହାକୁ ଅମଳ କରିଛି ସରକାରଙ୍କ ବିଳମ୍ବତା ପାଇଁ ସଂପ୍ରତି ମୁଣ୍ଡରେ ହାତ ଦେଲାଣି । ଧାର କରଜ ସହିତ ସମବାୟ ସମିତି ଓ ବ୍ୟାଙ୍କ ଆଣିଥିବା ଋଣ ପରିଶୋଧ କରିବା ନେଇ ସଂପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଧାନ ଲିପ୍ଟିଂ କରିବା ଲାଗି ମିଲରମାନଙ୍କୁ କଡ୍ଡା ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।