ପ୍ରଜାନେତା ବିପ୍ଲବୀ ଚକ୍ରଧର ବେହେରାଙ୍କ ୪୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

176

କଟକ(ଉତ୍କଳ ନିୟୂଜ)ତିହିଡି, ୦୧.୦୧: କନିକା ଅଞ୍ଚଳର ଉନ୍ନତି ପାଇଁ ଆଜୀବନ ସଂଗ୍ରାମ କରିଥିବା ତଥା ଭାରତୀୟ ସ୍ୱାଧିନତା ପୃଷ୍ଠ ଭୁମିରେ କନିକା କୃଷକ ଆନ୍ଦୋଳନର ପ୍ରମୂଖ ଭୂମିକା ନେଇଥିବା ପ୍ରଜାନେତା ବିପ୍ଳବୀ ଚକ୍ରଧର ବେହେରାଙ୍କ ୪୯ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସ୍ଥାନୀୟ ବି.ବି.ସି ବିଦ୍ୟାପୀଠ ପରିସରରେ ପାଳିତ ହୋଇ ଯାଇଛି । ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ନିଜର ଆଦର୍ଶଭାବେ ଗ୍ରହଣ କରି ସରକାରୀ ଚାକିରୀ ଛାଡି କନିକା ଅଞ୍ଚଳର ପ୍ରଜାମାନଙ୍କ ପାଇଁ ତତ୍କାଳୀନ କନିକା ରାଜାଙ୍କ ଅତ୍ୟାଚାରରୁ ମୁକ୍ତି ପ୍ରଦାନ କରିବାପାଇଁ ବିପ୍ଳବୀ ଚକ୍ରଧର ସାଲିସ ବିହୀନ ସଂଗ୍ରାମ କରିଥିଲେ । ତାଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ଆନ୍ଦୋଳନ ସମଗ୍ର ଭାରତରେ ପ୍ରଥମ କୃଷକ ଆନ୍ଦୋଳନ ହୋଇଥିଲା । ସମଗ୍ର ଭାରତ ବର୍ଷରେ ଯେଉଁ କେତେକ ସ୍ଥାନରେ କୃଷକ ଆନ୍ଦୋଳନକୁ କଂଗ୍ରେସ ଆପଣାର କର୍ମକାଣ୍ଡ ଭାବେ ଆପଣେଇଥିଲା ବେଳେ ତନ୍ମଧ୍ୟରୁ ଗୁଜରାଟର ବର୍ଦ୍ଦୋଳି, ବିହାରର ଚମ୍ପାରାଣୀ ଓ ଓଡିଶାର କନିକା ଥିଲା ପ୍ରଧାନ । ଏସବୁ ପରେବି କନିକାର ଚକ୍ରଧର ବେହେରା ଆଜି କିନ୍ତୁ କେଉଁ ଅଜ୍ଞାତ ପୃଷ୍ଟାରେ । କେବଳ ସେତିକି ନୁହେଁ ଯେଉଁ କନିକା ପ୍ରଜା ଆନ୍ଦୋଳନକୁ ସମର୍ଥନ କରି ପଣ୍ଡିତ ଗୋପବନ୍ଧୁ ଦାସ କାରା ବରଣ କରିଥିଲେ ସେହି ଆନ୍ଦୋଳନର ମଙ୍ଗ ଧରିଥିବା ଏହି ମହାନ୍ ବିପ୍ଳବୀ ନେତାଙ୍କ ଜନମାନସରୁ ଦୂରେଇ ଦେବା ପାଇଁ ମଧ୍ୟ ଅତୀତରେ ହୀନ ପ୍ରୟାସ କରା ଯାଇଛି । ଫଳରେ ପରାଧିନ ଯୁଗ ଅପେକ୍ଷା ସ୍ୱାଧିନୋତ୍ତର ଯୁଗରେ ତାଙ୍କୁ ଅଧିକ ସମୟ ଜେଲରେ କଟାଇବାକୁ ପଡିଥିଲା । ବହୁ ଦାବୀ ଓ ପ୍ରତିବାଦ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ତାଙ୍କର ଏକ ଆବକ୍ଷ ପ୍ରତିମୂତ୍ତୀ ସ୍ଥାପିତ ହୋଇଛି । ଏଥିସହ ଭଦ୍ରକ ଜିଲ୍ଲା ସଦର ଓ ଚାନ୍ଦବାଲି ବ୍ଲକରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରିବା ଲାଗି ଦାବୀ କରାଯାଇଛି । ବିପ୍ଳବୀ ଚକ୍ରଧର ସ୍ମୃତି ସଂସଦର ସଭାପତି ତଥା ବିଶିଷ୍ଟ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ରବିନାରାୟଣ ଖିଲାର, ମୁଖ୍ୟବକ୍ତା ଆଇନ୍‌ଜୀବି ଗିରିଧାରୀ ନାଥ, ସମ୍ମାନୀତ ଅତିଥିଭାବେ ନାଟ୍ୟକାର ନିର୍ମଳ ରାଉତ, ବିଶିଷ୍ଟ ସମାଜସେବୀ କିଣୁରାମ ଜେନା, ଶିକ୍ଷାବିତ ସାଧୁଚରଣ ନାୟକ, ସମ୍ପାଦକ ସୁବାଶ ଦାସ, କାର୍ଯ୍ୟକାରୀ ସଭାପତି ଧିରେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ଯଦୁମଣି କର ବେଦପାଠ କରିଥିବା ବେଳେ ଶିକ୍ଷକ ନେତା ପ୍ରଭାକର ପରିଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ପ୍ରଧାନ ଶିକ୍ଷକ ଗଗନ ବିହାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ‘କୃଷକ ସମସ୍ୟା’ ସମ୍ପର୍କରେ ଆଲୋଚନା ହୋଇଥିଲା । ଶିକ୍ଷକ ପ୍ରମୋଦ କର, ନରହରି ମିଶ୍ର, ମହେଶ୍ୱର ବାରିକ, ବିଚିତ୍ର ପରିଡା, ପ୍ରେମାନନ୍ଦ ପରିଡା, ପୂର୍ବତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଗାହାଣ ଓ ଶିକ୍ଷାକର୍ମୀ ଭାଗିରଥି ବାରିକ, ଶଶଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ପରିଡା, ବିଚିତ୍ର ସାହୁ, ଜ୍ଞାନେନ୍ଦ୍ର ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।