ଉତ୍କଳମଣି ସେବା ସଂଘ ପକ୍ଷରୁ ଶୀତରେ ଜଡ଼ୁଥିବା ଅସହାୟଙ୍କୁ କମ୍ବଳ ବଣ୍ଟନ।

161

କଟକ(ଉତ୍କଳ ନିଉଜ)ତିହିଡି, ୩୦-୧୨: ସମ୍ପ୍ରତି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଜାଡ଼ ଏଭଳି ପଡ଼ୁଛି ଯେ ରାତି ୮ଟା ବାଜିଲେ ଲୋକେ ବାହାରେ ରହି ପାରୁନାହାନ୍ତି । ଏଭଳି ସ୍ଥିତିରେ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ଘରେ ବିଭିନ୍ନ ପ୍ରକାର ଦାମୀ ଶୀତବସ୍ତ୍ର ସହ ରୁମ୍ ହିଟର ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ଦୀର୍ଘଦିନ ଧରି ରାସ୍ତାକଡ଼, ପ୍ଲାଟଫର୍ମ ଓ ବସ୍‌ଷ୍ଟାଣ୍ଡକୁ ନିଜୟ ଆଶ୍ରୟସ୍ଥଳ କରି ଜୀବନ ବିତାଉଥିବା ଦିବ୍ୟାଙ୍ଗ, ଦୀନଦୁଃଖୀ ଓ ଅସହାୟମାନେ ଯେ କିଭଳି ହାଡ଼ଥରା ଶୀତକୁ ସାମ୍ନା କରି ଜୀବନ ଜୀଇଁବାକୁ ସଂଗ୍ରାମ କରୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି । ଏହି ଅସହାୟ ମାନଙ୍କୁ ଟିକେ ସହାୟ ହୋଇ ସେମାନଙ୍କୁ ହାଡ଼ଭଙ୍ଗା ଜାଡ଼ରୁ ଟିକେ ଲାଘବ କରି ସେମାନଙ୍କ ମୁହଁରେ ଚେନାଏ ହସ ଦେଖିବାକୁ ତିହିଡ଼ିର ଅଗ୍ରଣୀ ସେବା ସଂଗଠନ ଉତ୍କଳମଣି ସେବା ସଂଘର କର୍ମକର୍ତ୍ତମାନେ ଗତକାଲି ରାତିରେ ଆରମ୍ଭ କରିଥିଲେ ନାଇଟ୍ ମିଶନ ତିହିଡ଼ିରୁ ଭଦ୍ରକ। ପ୍ରଥମେ ତିହିଡ଼ିରୁ ବାହାରି ଭଦ୍ରକ ଚାନ୍ଦବାଲି ରାସ୍ତାକଡ଼ ଓ ବିଭିନ୍ନ ଛକ ବଜାର ମାନଙ୍କରେ ଶୀତରେ କୁଙ୍କୁରି କାଙ୍କୁରୀ ହୋଇ ଶୋଇଥିବା ଲୋକମାନଙ୍କୁ କମ୍ବଳ ଘୋଡ଼ାଇ ଦେଇଥିଲେ । ପରେ ସେମାନେ ଭଦ୍ରକ ରେଳଷ୍ଟେସନ, ଚରମ୍ପା, ବାଇପାସ, ଶନିମନ୍ଦିର ଛକ, ନୂଆବସ୍‌ଷ୍ଟାଣ୍ଡ, ବନ୍ତ ଛକ ଆଦି ବିଭିନ୍ନ ସ୍ଥାନରେ ଅସହାୟ ଭାବେ ଶୋଇଥିବା ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏଭଳି ଭାବରେ ସଂଗଠନର ସ୍ୱେଚ୍ଛାସେବୀମାନେ ୫୦ରୁ ଅଧିକ କମ୍ବଳ ବଣ୍ଟନ କରିଥିଲେ । ଉତ୍କଳମଣି ସେବା ସଂଘର ସଭାପତି ଖଗେଶ୍ୱର ତ୍ରିପାଠୀ, ସମ୍ପାଦକ ବିସ୍ମୟ ବିହାରୀ ସାହୁ, କୋଷାଧ୍ୟକ୍ଷ ରବୁ ସଲିମ, ରଶ୍ମିତା ତ୍ରିପାଠୀ, ଚଢ଼େଇ ମଳିକ, ହରିହର କର, ସାଦ୍ଦିକ୍ ଖାନ୍‌, ସୁଧାଂଶୁ ନାୟକ, ରାଜେଶ ଓଝା, ନାରାୟଣ ଜେନା, ସୁମନ୍ତ କୁଣ୍ଡ, ରଞ୍ଜନ ବଳ, ରାମଚନ୍ଦ୍ର କର ପ୍ରମୁଖ ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ । ଏଠାରେ ସୂଚନା ଥାଉକି, ଏହି ସଂଘ ପକ୍ଷରୁ ତିନିବର୍ଷ ଧରି ଏହି ନାଇଟ୍ ମିଶନ କମ୍ବଳ ବଣ୍ଟନ କାର୍ଯ୍ୟ କରାଯାଇ ଆସୁଛି । ସଂଘର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।