ତଳକାଁପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଥାନା ଘେରାଉ।

195

କଟକ(ଉତ୍କଳ ନିଉଜ)ତିହିଡି, ୩୦-୧୨: ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ ଥାନା ଘେରାଉ କରିଥିବା ଜଣାଯାଇଛି । ତଳକାଁପଡ଼ା ଗ୍ରାମର ଶୁକଦେବ ମଳିକ ଗ୍ରାମରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ନେଇ ପ୍ରତିବାଦ କରିବାରୁ ସେ ଗ୍ରାମବାସୀଙ୍କ ବିରୁଦ୍ଧରେ ଥାନାରେ ବିଭିନ୍ନ ସମୟରେ ଏକାଧିକ ଅଭିଯୋଗ କରି ଆସୁଥିବା ଅଭିଯୋଗ ହୋଇଛି। ଶୁକଦେବଙ୍କ ଏତଲା ମୁତାବକ ପୁଲିସ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରୁଛି ଏବଂ ପରବର୍ତ୍ତି ସମୟରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ଯ କରୁଛି। ସେଥିରେ ବିଫଳ ହେବାରୁ ଶୁକଦେବ ପୁଲିସ ପ୍ରଶାନସର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣାରେ ମଧ୍ଯ ବସୁଛନ୍ତି। ଯାହାକୁ ନେଇ ପୁଲିସ ତଳକାଁପଡ଼ାର ଅଭିଯୁକ୍ତମାନଙ୍କୁ ଥାନାକୁ ଡାକିଥିଲେ । ମାତ୍ର ସେଥିରେ ପ୍ରତିକ୍ରିୟାଶୀଳ ହୋଇ ତଳକାଁପଡ଼ା ଗ୍ରାମର ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିବା ସହିତ ଶୁକଦେବ ଗ୍ରାମର ବିଭିନ୍ନ ଅନୀତି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଥିଲେ । ଅପରପକ୍ଷେ ଶୁକଦେବଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ଓ ତାଙ୍କୁ ଗ୍ରାମରେ ରଖାଇ ନଦେବା ଆଦି ଅଭିଯୋଗ କରିଥିଲେ ଯାହା ପୋଲିସର ତଦନ୍ତ ପରିସରଭୁକ୍ତ ହୋଇଛି ବୋଲି କହିଛନ୍ତି ଶୁକଦେବ। ତେବେ ପୁଲିସର ପଦକ୍ଷେପକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଥାନାକୁ ଆସିଥିବା ବାରି ହୋଇଛି। ତଳକାଁପଡ଼ା ଗ୍ରାମର ପ୍ରଫୁଲ ଦାସ, ବିକାଶ ଦାସ, ଅନାଦି ଦାସ, ରମେଶ ଦାସ, ପଣ୍ଡା ଦାସ, ଅବିନାଶ ଦାସ, ବଳରାମ ଦାସ, ସନାତନ ଦାସ, କାଶିନାଥ ଦାସ, ପଦ୍ମଲୋଚନ ମଳିକ, ଗୋପବନ୍ଧୁ ଦାସ, ଅରୁଣ ଦାସ, ବାସୁଦେବ ଦାସ, କୈଳାସ ଦାସ, ରବିନ୍ଦ୍ର ଦାସ, କ୍ଷୀରୋଦ ଦାସ, ଦାମୋଦର ଦାସ, ବାହାଦୁଲା ଦାସ, ବିଭୀଷଣ ଦାସ, କୁଳମଣି ଦାସ, ଉତ୍ତମ ଦାସ ପ୍ରମୁଖ ଶତାଧିକ ଗ୍ରାମବାସୀ ଥାନା ଘେରାଉରେ ସାମିଲ ଥିଲେ । ଏ ସମ୍ପର୍କରେ ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ ଶୁକଦେବ ଓ କେତେକ ଗ୍ରାମବାସୀଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାକୁ ଥାନାକୁ ଡକା ଯାଇଥିଲା। ମାତ୍ର ଗ୍ରାମବାସୀମାନେ ଏହା ବୁଝି ନପାରି ଗ୍ରାମର ଶତାଧିକ ଲୋକ ଥାନାକୁ ଆସିଥିଲେ । ସେମାନଙ୍କୁ ଅନ୍ୟ ଏକ ଦିନରେ ଡକାଯାଇ ସମାଧାନ କରାଯିବ ବୋଲି ସେ କହିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।