ଜିଲ୍ଲା ପାଇଁ କଳଙ୍କ ସାଜିଲା ଭଦ୍ରକ ପରିସଂଖ୍ୟାନ ବିଭାଗ,

249

କଟକ(ଉତ୍କଳ ନିଉଜ)ତିହିଡି, ୨୬.୧୨: ଭଦ୍ରକ ଜିଲ୍ଲା ପାଇଁ କଳଙ୍କ ସାଜିଲା ପରିସଂଖ୍ୟାନ ବିଭାଗ । ଖୁବ୍ କମ୍ ଦିନ ବ୍ୟବଧାନରେ ବିଭିନ୍ନ ପର୍ଯ୍ୟାୟରେ ୬ ଜଣଙ୍କର ବଦଳି ସମେତ ୩ ଜଣଙ୍କର ଅନ୍ୟତ୍ର ବଦଳି ହୋଇଥିବା ସୂଚନା ମିଳିଛି । ତେବେ ଏହି କାର୍ଯ୍ୟାଳୟର ଅର୍ନ୍ତନିହିତ ଘଟଣା ବିଭାଗୀୟ ନିର୍ଦ୍ଦେଶକଙ୍କ ହସ୍ତଗତ ହୋଇଥିବା ବେଶ ବାରି ହୋଇଛି । ସୂଚନା ମୁତାବକ, ଗତ ପ୍ରାୟ ୩ ମାସ ତଳେ ଏହି କାର୍ଯ୍ୟାଳୟର ସମିକ୍ଷା କରିଥିଲେ ବିଭାଗୀୟ ନିର୍ଦ୍ଦେଶକ । ପରେ ଏହି କାର୍ଯ୍ୟାଳୟର ଏସଓ ପରମେଶ୍ୱର ରାଉତଙ୍କୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନକାନାଗିରିକୁ ବଦଳି କରାଯାଇଛି । ମାଲକାନାଗିରିରେ ଥାଇ ସେ ଭଦ୍ରକ କାର୍ଯ୍ୟାଳୟର ଭିତିରିକଥା ତଥା ଗୁମର ସମ୍ପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦଳ ଗଠନ କରା ଯାଇଥିଲା ଏବଂ ଉପସଚିବଙ୍କ ସମେତ ଅନ୍ୟମାନେ ଭଦ୍ରକ କାର୍ଯ୍ୟାଳୟ ବିରୋଧରେ ଆଗତ ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ପରେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି । କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୁଧାଂଶୁ ଶେଖର ସ୍ୱାଇଁ, ଏସଓ ମମତା ମଲ୍ଲିିକ ଓ ଦିବାକର ମହାନ୍ତିି ଏବଂ ଅତିରିକ୍ତ ଏସଓ ଶିବ ପ୍ରସାଦ ମହାଳିକଙ୍କର ବଦଳି ହୋଇଥିବା ବେଳେ ବାସୁଦେବପୁର ବ୍ଲକର ଏସଏଫଏସ ଧୃବଚରଣ ପାଣିଗ୍ରାହୀ, ଚାନ୍ଦବାଲି ବ୍ଲକର ରାଜିବ ମଲ୍ଲିକ ଓ ଧାମନଗର ବ୍ଲକର ଗଣେଶ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ସେହିପରି ଜିଲ୍ଲାର ଡେପୁଟି ଡାଇରେକ୍ଟର ଉମେଶ ଚନ୍ଦ୍ର ମଲ୍ଲିକ ଓ ଆସିଷ୍ଟଣ୍ଟ ଡାଇରେକ୍ଟର ଶୈଶବ ବେହେରାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏତାଦୃଶ କାର୍ଯ୍ୟାନୁଷ୍ଠାନକୁ ଅନ୍ୟମାନେ ପ୍ରତିବାଦ କରୁନଥିବା ବେଳେ ଏସଏଫଏସ ଦିବ୍ୟାଙ୍ଗ ଧୃବଚରଣ ପାଣିଗ୍ରାହୀଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ତାଙ୍କର ଡେପୁଟେସନକୁ ବିରୋଧ କରିବା ସହିତ ବାତିଲ କରିବା ଲାଗି ଦାବି କରାଯାଇଛି । ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରସଙ୍ଗରେ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀ ପାଣିଗ୍ରାହୀ ଚାକିରୀ କରିବା ବେଳେ ଫିଲ୍ଡ କର୍ମଚାରୀ ଭାବେ ନିଯୁକ୍ତି ହୋଇଥିଲେ ଏବଂ ବଦଳି ଅଥବା ଡେପୁଟେସନ୍ ସରକାରଙ୍କ ଚିରାଚରିତ ପ୍ରଥା ବୋଲି ମଧ୍ୟ କୁହାଯାଉଛି । ବିଭାଗ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଟାନ ନିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଅଥବା ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟର କୌଣସି ଭୂମିକା ନଥିବା ମଧ୍ୟ କୁହାଯାଉଛି । ଅନ୍ୟପଟେ ଡେପୁଟେସନ୍ ଆଦେଶ ମିଳିବା ପରେ ଏସଏଫଏସ ଦିବ୍ୟାଙ୍ଗ ଧୃବଚରଣ ପାଣିଗ୍ରାହୀ ତାଙ୍କର ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟରେ ଯୋଗଦାନ କରିଥିବା ମଧ୍ୟ ଜଣାଯାଇଛି । ସବୁଠୁ ବଡ କଥା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ମଚାରୀମାନଙ୍କ ମଧ୍ୟରେ ରାଜନୀତି କରଣ, ବ୍ୟାପକ ଦୂର୍ନୀତି, କାର୍ଯ୍ୟରେ ଅବହେଳା ଅଥବା ଅଧିକ ଦିନ ଅବସ୍ଥାପିତ ହୋଇ ମନମୁଖି କାର୍ଯ୍ୟ କରୁଥିବା ନେଇ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅନୁମାନ କରାଯାଇଛି । ଏ ସମ୍ପର୍କରେ ଆସିଷ୍ଟଣ୍ଟ ଡାଇରେକ୍ଟର ଶୈଶବ ବେହେରାଙ୍କୁ ପଚାରିବାରୁ ବିଭିନ୍ନ ପ୍ରସଙ୍ଗରେ ଆଗତ ଅଭିଯୋଗ ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।