ଧାନ ମଣ୍ଡି ଖୋଲିବାରେ ଅନିଶ୍ଚିତତାକୁ ନେଇ ଚିନ୍ତାରେ ଚାଷୀ,

200

କଟକ(ଉତ୍କଳ ନିଉଜ)ତିହିଡି, ୨୧.୧୨: ଧାନ ମଣ୍ଡି ଖୋଲିବାରେ ଅନିଶ୍ଚିତତାକୁ ନେଇ ଚିନ୍ତାରେ ଚାଷୀ । ଗତ ତା ୦୩.୧୨.୨୧ରିଖ ଠାରୁ ସମସ୍ତ ସେବା ସମବାୟ ସମିତିରେ ତାଲା ପଡିଛି ଏବଂ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସମସ୍ତ କର୍ମଚାରୀ ସଂଘ ସମବାୟ ବିଭାଗୀୟ ଏଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ଜଣାଯାଇଛି । ତେବେ ସେମାନଙ୍କ ବିଭିନ୍ନ ଦାବି ପୂରଣ କରାନଗଲେ ଆନ୍ଦୋଳନ ଜାରି ରହିବ ଏବଂ ସରକାରଙ୍କ ଧାନ କିଣା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଅସଯୋଗ କରାଯିବ ବୋଲି ମଧ୍ୟ ଚେତାବନି ଦିଆଯାଇଛି । ଯାହାକୁ ନେଇ ଚାଷୀମାନେ ନିଜର ସୁନାର ଫସଲ ଅମଳ କରୁଥିଲେ ମଧ୍ୟ ବିକ୍ରି କରି ପରିବାର ପୋଷଣ କରିବା ନେଇ ସନ୍ଦେହ ଦେଖା ଦେଇଛି । ତେବେ ଆର୍ଥିକ ଅନାଟନରେ ଗତି କରୁଥିବା ଚାଷୀମାନେ ସଂପ୍ରତି ଶାଗ ମାଛ ଦରରେ ଦଲାଲ ମାନଙ୍କ ହାତରେ ଟେକି ଦେଉଛି । ଦୈନିକ ଶହ ଶହ ଟ୍ରକ୍ ଧାନ ବୋଝେଇ କରି ବାହାର ରାଜ୍ୟକୁ ଯାଉଥିବା ବେଶ ଜଣାଯାଇଛି । ତେବେ ସେବା ସମବାୟ ସମିତି କର୍ମଚାରୀ ସଂଘର ଦାବି ପୂରଣ କରିବା ନଚେତ ଚାଷୀଙ୍କ ଧାନ ବିକ୍ରି କରିବା ଲାଗି ପ୍ରଶାସନ ବିକଳ୍ପ ବ୍ୟବସ୍ଥା କରିବା ଲାଗି ସାଧାରଣରେ ଦାବି ଜୋର ଧରିଛି । ଚଳିତ ଖରିଫ୍ ଚାଷରେ ପ୍ରଥମେ ଗଜା ମରୁଡିର ଶିକାର ହୋଇଥିଲା ଚାଷୀ । ପରେ ସ୍ୱଳ୍ପ ବୃଷ୍ଟିପାତରେ ପମ୍ପ ପକାଇ ଚାଷ କାର୍ଯ୍ୟ କରିଥିଲା ଏବଂ ପରେ ଲଗାଣ ବର୍ଷ ଏପରି ବନ୍ୟାରେ ଚାଷରେ ବ୍ୟାଘାତ ସୃଷ୍ଟି ମଧ୍ୟ ହୋଇଥିଲା । ଅମଳ ସମୟରେ ବାତ୍ୟା ଜୱାଦ୍ ମଧ୍ୟ ଚାଷୀଙ୍କ ପାଇଁ କାଳ ସାଜିଥିଲା ତଥାପି ରାତିଦିନ ମେହନତ୍ କରି ଧାନକୁ ଅମଳ କରିବାରେ ବ୍ୟସ୍ତ ରହିଛି ଚାଷୀ । ସମିତିରେ ଧାନ ବିକ୍ରି ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଷୀ ଅନ୍‌ଲାଇନ୍ ଜରିଆରେ ପଞ୍ଜିକୃତ କରିଛି ଏବଂ ସରକାରୀ ଦରରେ ଧାନ ବିକ୍ରି କରିବା ଲାଗି ସଜବାଜ ହେଉଥିବା ବେଳେ ସେବା ସମବାୟ ସମିତି ଗୁଡିକର ତାଲା ବନ୍ଦ ଆନ୍ଦୋଳନ ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବାର ସମ୍ଭାବନା ରହିଥିବା କୁହାଯାଉଛି । ପ୍ରଶାସନ ପକ୍ଷରୁ ଯଦିଓ କେତେକ ମହିଳା ମହାସଂଘ/ମଣ୍ଡଳକୁ ଧାନ କ୍ରୟ କରିବା ଲାଗି ଦାୟିତ୍ୱ ଦିଆଯାଇଛି ହେଲେ ସେବା ସମବାୟ ସମିତିକୁ ବାଦ୍ ଦିଆଗଲେ ଚାଷୀ ଧାନ ବିକ୍ରି କରିବା ଅବସମ୍ଭାବୀ ହୋଇ ପଡିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଧାନ କିଣା ତାରିଖ ପୂର୍ବରୁ ସେବା ସମବାୟ ସମିତି ଗୁଡିକ ଖୋଲାନଗଲେ ଅଥବା ବିକଳ୍ପ ବ୍ୟବସ୍ଥା କରାନଗଲେ ଚାଷୀ ଆନ୍ଦୋଳନର ଦାନା ବାନ୍ଧିବାର ସମ୍ଭାବନାକୁ ଏଡେଇ ଦିଆଯାନପାରେ । ଏଠାରେ ସୂଚନା ଥାଉକି, ଚାଷୀଙ୍କା ଠାରୁ ସିଧାସଳଖ ଧାନ କ୍ରୟ କରିବା ଲାଗି ଯୋଗାଣ ବିଭାଗ ଜରିଆରେ ସେବା ସମବାୟ ସମିତି ଓ ମହିଳା ମହାସଂଘ/ମଣ୍ଡଳ ଜରିଆରେ କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କା ଦରରେ ଧାନ କ୍ରୟ କରାଯିବ ବୋଲି ଘୋଷଣା କରାଯାଇଛି । ମାତ୍ର ସମିିତିଗୁଡିକର ତାଲା ବନ୍ଦ ଆନ୍ଦୋଳନରେ ଭରପୁର ଫାଇଦା ଉଠାଉଛନ୍ତି ଦଲାଲାମାନେ । କ୍ୱିଣ୍ଟାଲ ପିଛା ୧୧ ଶହ ଟଙ୍କାରୁ ୧୨୫୦ ଟଙ୍କା ମଧ୍ୟରେ ସଂପ୍ରତି ସୀମିତ ରହିଛି ଯାହା ଚାଷୀଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।