ଜିଲ୍ଲା ପାଇଁ କଳଙ୍କ ସାଜିଲା ଭଦ୍ରକ ପରିସଂଖ୍ୟାନ ବିଭାଗ । ରାଜ୍ୟ ସରକାରଙ୍କ ପକ୍ଷରୁ ଏକସଂଗେ ୬ ଜଣଙ୍କ ବଦଳି ଓ ୩ ଜଣଙ୍କର ଡେପୁଟେସନ

129

କଟକ(ଉତ୍କଳ ନିଉଜ)୧୯/୧୨/୨୦୨୧ : ଭଦ୍ରକ ଜିଲ୍ଲାର କଳଙ୍କ ସାଜିଛି ପରିସଂଖ୍ୟାନ ବିଭାଗ । ମାତ୍ର କେଇଦିନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏକଂସଗେ ୩ ଜଣ ଏସଓ ଓ ଏଏସଓଙ୍କ ବଦଳି ହୋଇଥିବା ୩ ଜଣ ଏସଏଫଏସଙ୍କର ଅନ୍ୟତ୍ର ଡେପୁଟେସନ କରାଯାଇଛି । ସେହିପରି ମୁଖ୍ୟ କିରାଣୀଙ୍କ ସମେତ ଜିଲ୍ଲାର ଡେପୁଟି ଡାଇରେକ୍ଟର ଓ ଅତିରିକ୍ତ ଡାଇରେକ୍ଟର ଏବଂ ପୂର୍ବର ଜଣେ ଏସଓଙ୍କ ବଦଳି ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ତେବେ ଏକସଂଗେ ଏହି ବିଭାଗର ଏପରି ବ୍ୟାପକ ଅଦଳବଦଳ ହୋଇଥିବା ନେଇ କାର୍ଯ୍ୟାଳୟର ଅର୍ନ୍ତନିହିତ ଘଟଣା ବିଭାଗୀୟ ନିର୍ଦ୍ଦେଶକଙ୍କ ହସ୍ତଗତ ହୋଇଥିବା ବେଶ ବାରି ହୋଇଛି । ସୂଚନା ମୁତାବକ, ଗତ ପ୍ରାୟ ୩ ମାସ ତଳେ ଏହି କାର୍ଯ୍ୟାଳୟର ରିଭ୍ୟୁ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ । ପରେ ଏହି କାର୍ଯ୍ୟାଳୟର ଏସଓ ପରମେଶ୍ୱର ରାଉତଙ୍କୁ ମାନକାନାଗିରିକୁ ବଦଳି କରାଯାଇଥିଲା । ତେବେ ସେ ମାଲକାନାଗିରିରେ ଥାଇ ଭଦ୍ରକ କାର୍ଯ୍ୟାଳୟର ଭିତିରି କଥା ତଥା ଗୁମର ସମ୍ପର୍କରେ ନିଦ୍ଦେର୍ଶକଙ୍କ କାର୍ଯ୍ୟାଳୟଙ୍କୁ ଅବଗତ କରିଥିଲେ । ନିଦ୍ଦେର୍ଶକଙ୍କ ନିର୍ଦ୍ଦେଶକ୍ରମେ ଡେଭଲପମେଣ୍ଟ କମିଶନରଙ୍କ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦଳ ଗଠନ କରାଯାଇଥିଲା ଏବଂ ଉପସଚିବଙ୍କ ସମେତ ଅନ୍ୟମାନେ ଭଦ୍ରକ କାର୍ଯ୍ୟାଳୟ ବିରୋଧରେ ଆଗତ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଫେରିଥିଲେ । ଏହି ଘଟଣାକୁ ନେଇ ଡେଭଲପମେଣ୍ଟ କମିଶନରଙ୍କ ପ୍ରସ୍ତାବ ମୁତାବକ ବିଭାଗୀୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି । କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୁଧାଂଶୁ ଶେଖର ସ୍ୱାଇଁ, ଏସଓ ମମତା ମଲ୍ଲିିକ ଓ ଦିବାକର ମହାନ୍ତିି ଏବଂ ଏଏସଓ ଶିବପ୍ରସାଦ ମହାଳିକଙ୍କର ବଦଳି ହୋଇଥିବା ବେଳେ ବାସୁଦେବପୁର ବ୍ଲକର ଏସଏଫଏସ ଧୃବଚରଣ ପାଣିଗ୍ରାହୀ, ଚାନ୍ଦବାଲିର ରାଜୀବ ମଲ୍ଲିକ ଓ ଧାମନଗର ବ୍ଲକର ଗଣେଶ ପଣ୍ଡାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ସେହିପରି ଜିଲ୍ଲାର ଡେପୁଟି ଡାଇରେକ୍ଟର ଉମେଶ ଚନ୍ଦ୍ର ମଲ୍ଲିକ ଓ ଆସିଷ୍ଟଣ୍ଟ ଡାଇରେକ୍ଟର ଶୈଶବ ବେହେରାଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏତାଦୃଶ କାର୍ଯ୍ୟାନୁଷ୍ଠାନକୁ ଅନ୍ୟମାନେ ମଥାପାତି ସହିବା ସହିତ ପ୍ରତିବାଦ କରିନଥିବା ବେଳେ ଏସଏଫଏସ ଦିବ୍ୟାଙ୍ଗ ଧୃବଚରଣ ପାଣିଗ୍ରାହୀଙ୍କ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ତାଙ୍କର ଡେପୁଟେସନକୁ ବିରୋଧ କରିବା ସହିତ ବାତିକ କରିବା ଲାଗି ଦାବି କରାଯାଇଛି । ତେବେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରସଙ୍ଗରେ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀ ପାଣିଗ୍ରାହୀ ଚାକିରୀ କରିବା ବେଳେ ଫିଲ୍ଡ କର୍ମଚାରୀ ଭାବେ ନିଯୁକ୍ତି ହୋଇଥିଲେ ଏବଂ ବଦଳି ଅଥବା ଡେପୁଟେସନ୍ ସରକାରଙ୍କ ଚିରାଚରିତ ପ୍ରଥା ବୋଲି ମଧ୍ୟ କୁହାଯାଉଛି । ବିଭାଗୀୟ ନିର୍ଦ୍ଦେଶକଙ୍କ ଦ୍ୱାରା ଏପରି କାର୍ଯ୍ୟାନୁଷ୍ଟାନ ନିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଅଥବା ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟର କୌଣସି ଭୂମିକା ନଥିବା ମଧ୍ୟ କୁହାଯାଉଛି । ଅନ୍ୟପଟେ ଡେପୁଟେସନ୍ ଆଦେଶ ମିଳିବା ପରେ ଏସଏଫଏସ ଦିବ୍ୟାଙ୍ଗ ଧୃବଚରଣ ପାଣିଗ୍ରାହୀ ଗତ ସପ୍ତାହରେ ତାଙ୍କର ନିର୍ଦ୍ଦାରିତ ସ୍ଥାନରେ କାର୍ଯ୍ୟରେ ଯୋଗଦାନ କରିଥିବା ପ୍ରସଙ୍ଗ ମଧ୍ୟ ସମସ୍ତଙ୍କୁ ଆଶ୍ଚମ୍ବିତ କରିଛି । ସବୁଠୁ ବଡ କଥା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ କାର୍ଯ୍ୟାଳୟର ଏକସଂଗେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ଏହି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ମଧ୍ୟରେ ରାଜନୀତି କରଣ, ଦୂର୍ନୀତି, କାର୍ଯ୍ୟରେ ଅବହେଳା ଅଥବା ଅଧିକ ଦିନ ଅବସ୍ଥାପିତ ହୋଇଥିବା ମନମୁଖି କାର୍ଯ୍ୟ କରୁଥିବା ନେଇ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅନୁମାନ କରାଯାଇଛି । ଏ ସମ୍ପର୍କରେ କାର୍ଯ୍ୟରତ ଆସିଷ୍ଟଣ୍ଟ ଡାଇରେକ୍ଟର ଶୈଶବ ବେହେରାଙ୍କୁ ପଚାରିବାରୁ ବିଭିନ୍ନ ପ୍ରସଙ୍ଗରେ ଆଗତ ଅଭିଯୋଗ ମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |