କୃଷକମାନଙ୍କ ପକ୍ଷରୁ ସେନାଧ୍ୟକ୍ଷ ବିପିନ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ

103

କଟକ(ଉତ୍କଳ ନିଉଜ)ତିହିଡି, ୧୧.୧୨: କୃଷକମାନଙ୍କ ପକ୍ଷରୁ ସେନାଧ୍ୟକ୍ଷ ବିପିନ୍ ରାୱତଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଅମଳ କାମକୁ କିଛି ସମୟ ବନ୍ଦ କରି ଗାଁ ମଝିରେ ଏକ ନିଆରା ଢଙ୍ଗରେ ମିଳିତଭାବେ ଏପରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିବା ଜଣାଯାଇଛି । ସମାଜସେବୀ ତ୍ରିଲୋଚନ ମହାଳିକଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବାବାଜୀ ଚରଣ ନାୟକ ଏବଂ ଘନଶ୍ୟାମ ନାୟକ, ଶଶିଶେଖର ମହାପାତ୍ର, ସତ୍ୟନାରାୟଣ ବେହେରା, ଭକ୍ତହରି ଦାସ, ବଦ୍ରିନାରାୟଣ ବେହେରା, ସନ୍ତୋଷ ଚାନ୍ଦ, ହୃଷିକେଶ ବେହେରା, ସୁବାଶ ଚନ୍ଦ୍ର ପୃଷ୍ଟି, ଚନ୍ଦ୍ରକାନ୍ତ ନାୟକ, ପଦନ ବେହେରା, କୁଞ୍ଜବିହାରୀ ନାୟକ, କ୍ଷୀରସିନ୍ଧୁ ସାହୁ, ଅର୍ଣ୍ଣପୂର୍ଣ୍ଣା ବେହେରା, ରଶ୍ମିତା ବେହେରା, ଋକ୍ମଣୀ ପୃଷ୍ଟି, ଉଷାରାଣୀ ବେହେରା, ପ୍ରତୀକ ବେହେରା, ପ୍ରତୀକ ବେହେରା, ଆଦେଶ ସାହୁ ପ୍ରମୁଖ କୃଷକମାନେ ଯୋଗଦେଇ ସେନାଧ୍ୟକ୍ଷ ବିପିନ୍ ରାୱତଙ୍କ ବଳିଷ୍ଠ ନେତୃତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ସୂଚନା ଥାଉକି, ଭାରତର ଗର୍ବ ଓ ଗୌରବ ଥିଲେ ସ୍ୱର୍ଗତ ବିପିନ୍ ରାୱତ । ନିଜର ଦକ୍ଷତା ପାଇଁ ସେ ସାରା ବିଶ୍ୱରେ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ବିଗତ ୨୦୧୬ ଡିସେମ୍ବର ମାସରେ ଭାରତର ପ୍ରଥମ ସିଡିଏସ ଜେନେରାଲ ଭାବେ ନିଯୁକ୍ତି ପାଇବା ପରେ ଦେଶ ରକ୍ଷା କରିବାରେ ବେଶ ପାରଙ୍ଗମ ହୋଇଥିଲେ । ଚୀନ, ବାଙ୍ଗଲାଦେଶ ଓ ପାକିସ୍ଥାନ ସୀମାରେ ତାଙ୍କ ଋଣକୌଶଳ ପାଇଁ ଆଜି ଭାରତର ସୀମା ସୁରକ୍ଷିତ ହୋଇ ପାରିଛି । ତାଙ୍କର ଆକସ୍ମିକ ବିୟୋଗରେ ଦେଶପାଇଁ ଅପୂରଣୀୟ କ୍ଷତି ଘଟିଛି । ଏକ ହେଲିକେପ୍ଟରରେ ସେନାଧ୍ୟକ୍ଷ ବିପିନ୍ ରାୱତଙ୍କ ସହିତ ତାଙ୍କର ଧର୍ମପତ୍ନୀ ମଧୁଲିକା, ଓଡିଶାର ସେନା ପଦାଧିକାରୀ ରାଣାପ୍ରତାପ ଦାସ ଏବଂ ୧୧ ଜଣ ପଦାଧିକାରୀ ତାମିଲନାଡୁରୁ ଦିଲ୍ଲୀ ଯାତ୍ରା କରୁଥିଲେ । କିନ୍ତୁ କନ୍ନୁର ଜିଲ୍ଲାର ନିଲଗିରି ପାହାଡରେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇ ହେଲିକେପ୍ଟରଟି ହୁହୁ ହୋଇ ଜଳି ଯାଇଥିଲା । ଇତିମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମାତ୍ର ଜୀବିତ ଅଛନ୍ତି ଯାହା ଦେଶପାଇଁ ଚୀର ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୀପ ଦାନ କରିବା ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।