ବାତ୍ୟା ଜୱାଦ୍‌ରେ ୭୬୦୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ, ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ ଆରମ୍ଭ ।

319

କଟକ(ଉତ୍କଳ ନିଉଜ)ତିହିଡି, ୦୬.୧୨: ବାତ୍ୟା ଜୱାଦ୍ ସିନା ଟଳିଗଲା ହେଲେ ଏହାର ପ୍ରଭାବରେ ୩ ଧରି ଲଗାଣ ବର୍ଷାରେ ଧାନ ବିଲରେ ବର୍ଷା ଜଳ ଜମି ରହିଛି । କଟା ଯାଇଥିବା ଧାନ ପାଣିରେ ଭାସୁଥିବା ବେଳେ କଟାନଯାଇଥିବା ଧାନ ପାଣି ଶୁଖିବା ପର୍ଯ୍ୟନ୍ତ କାଟିବା ଅବସମ୍ଭାବୀ ହୋଇ ପଡିଛି । ଅମଳ ଉପଯୋଗି ହୋଇଥିବା ଧାନ ଗଛ ଭୂଇଁରେ ଲାଗିଗଲାଣି । ବିଲରେ ପାଣି ଜମିଥିବାରୁ ଧାନ ଛିଞ୍ଚାରେ ପାଣି ବୁଡିଛି । ତଳିଆ ଅଞ୍ଚଳରେ ଧାନ କିଆରୀରେ ଅଧିକ ବର୍ଷା ଜଳ ଜମାଟ ବାନ୍ଧିଥିବାରୁ କେତେକ ସ୍ଥଳରେ ପାଚିଲା ଧାନ ଗଜା ହେବାରେ ଲାଗିଲାଣି । ବାତ୍ୟା ଆଶଙ୍କାରେ କାଁଭାଁ ଧାନ ଅମଳ ହୋଇଥିବା ବେଳେ ଅଧିକାଂଶ ଧାନ ଏବେବି କଟା ଯାଇନାହିଁ । କଟା ହୋଇଥିବା ଧାନ ପାଣିରେ ଭାସୁଥିବା ବେଳେ କଟା ହୋଇନଥିବା ଧାନ ଜମିରେ ଲୋଟିଛି । ଚାଷ ଜମିରେ ଏଭଳି ସ୍ଥିତିକୁ ନେଇ ଚାଷୀ ମୁଣ୍ଡରେ ଚପକ ପଡିଯାଇଛି । ସୁନାର ଫସଲ ଆଖି ଆଗରେ ନଷ୍ଟ ହେବାକୁ ବସିଛି । ଚାରିଆଡେ ବର୍ଷା ଜଳ ଜମାଟ ବାନ୍ଧିଛି । ନିଜ ଜମିରୁ ଜଳ ନିଷ୍କାସନ କେମିତି କରାଯିବ ସେନେଇ ଚିନ୍ତାରେ ଚାଷୀ । କିଆରୀରେ ପାଣି ଜମାଟ ବାନ୍ଧିଥିବାରୁ ଧାନ କଟା ମେସିନ୍ କାର୍ଯ୍ୟ କରିବା ସମ୍ଭବ ହୋଇ ପାରୁନାହିଁ । ସେପଟେ ପାଣି ଶୁଖିବା ବେଳକୁ ପାଚିଲା ଧାନ ମାତ୍ରାଧିକ ନଷ୍ଟ ହେବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ । ଚଳିତ ବର୍ଷ ଚାଷୀ ପ୍ରଥମେ ଗଜା ମରୁଡିର ଶିକାର ହୋଇଥିଲା ପରେ ସ୍ୱଳ୍ପ ବୃଷ୍ଟି ଏବଂ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତିକୁ ମୁକାବିଲା କରି ଧାନ ଅମଳକୁ ଅପେକ୍ଷା କରିଥିଲା । ମାତ୍ର ଏହି ବାତ୍ୟା ଜନିତ ଲଗାଣ ବର୍ଷାରେ ସବୁ କିଛି ନଷ୍ଟ ହେବାକୁ ଯାଉଛି । ସମବାୟ ସମିିତି ସହିତ ବ୍ୟାଙ୍କ ଏପରିକି ସାହୁକାରଙ୍କ ଠାରୁ ଋଣ ନେଇ ଚାଷ ଧାନ ଚାଷ କରିଥିଲା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲା ଏବଂ ଅମଳ କରିବା ପରେ ଋଣ ପରିଶୋଧ କରି ପରିବାର ପୋଷଣ କରିବ ହେଲେ ଏହି ବାତ୍ୟା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ନଈ କୂଳିଆ, ଖାଲୁଆ ଜମି ତଥା କେନାଲ ପାଶ୍ୱର୍ବର୍ତ୍ତୀ ଧାନ କ୍ଷେତ ସହିତ ତିହିଡି ବ୍ଲକର ପ୍ରାୟ ସମସ୍ତ ଅଞ୍ଚଳରେ ଧାନ ଅମଳରେ ଅଦ୍ଭୁତପୂର୍ଣ୍ଣ କ୍ଷତି ହୋଇଥିବା ଆକଳନ କରାଯାଇଛି । ତେବେ ଚାଷୀଙ୍କ ଧାନ କ୍ଷତିକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ରୀୟ ତଦନ୍ତ ପରେ କ୍ଷୟକ୍ଷତିର ଆକଳନ କରାଯିବ ଏବଂ ପ୍ରକୃତ କ୍ଷତି ପୂରଣ କରାଯିବ ବୋଲି ତସହିଲଦାର ପ୍ରତୀକ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି । ୬ ଜଣ ଆରଆଇ ଓ ୩ ଜଣ ଅତିରିକ୍ତ ଆରଆଇ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ସୋମବାର ଦିନତମାମ ବିଭିନ୍ନ ଅଞ୍ଚଳରେ କ୍ଷେତ୍ରୀୟ ତଦନ୍ତ କରି ଫେରିଥିବା ଜଣାଯାଇଛି । ତେବେ ଏହି ବ୍ଲକର ପ୍ରାୟ ୭ ହଜାର ୬ ଶହ ହେକ୍ଟର ଧାନ ଚାଷ ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ଚାଷୀର ପ୍ରକୃତ କ୍ଷତି ପୂରଣ ମିଳିବା ସହିତ ସମବାୟ ସମିତିରୁ ନେଇଥିବା ଋଣ ସମ୍ପୂର୍ଣ୍ଣ ଛାଡ କରିବା ଏବଂ ରବି ଫସଲ ପାଇଁ ଚାଷୀଙ୍କୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦେବାକୁ ମୁକୁନ୍ଦପୁର ସରପଞ୍ଚ କିର୍ତ୍ତନ ରାଉତ, ସମାଜସେବୀ ଗଣେଶ ପ୍ରସାଦ ନାୟକ, ମନୋରଞ୍ଜନ ନାୟକ, ରଞ୍ଜନ ନାୟକ, ଆରକେଶ ନାୟକ, ସୁବାଶ ଚନ୍ଦ୍ର ସାହୁ, ହରସିଂପୁର ପଞ୍ଚାୟତର କୃଷ୍ଣଚନ୍ଦ୍ର ମହାନ୍ତି, ଯଦୁନାଥ ପାଣିଗ୍ରାହୀଙ୍କ ସମେତ ସରପଞ୍ଚ ଅମର ଦାସ, ମାନସ ସାହୁ, ବୈକୁଣ୍ଠନାଥ ପାଣି, ଶଶଧର ସାମଲ, ବିପିନ ବେହେରା, ଆଦିତ୍ୟ ଜେନା, ସନାତନ ନାୟକ, ପ୍ରଦୀପ ପଣ୍ଡା, ସୁବାଶ ମଳିକ ଓ ବଳଭଦ୍ର ମାଠ ଏବଂ ଉଦ୍ଧବ ଚରଣ ନାୟକ, ହରେକୃଷ୍ଣ ଜେନା, ଅନିରୁଦ୍ଧ ବାରିକ, ପ୍ରଦୀପ ଦାସ, ଗୟାଧର ନାୟକ, ପ୍ରହ୍ଲାଦ ବଳ, ପ୍ରବୀର ନାୟକ, କୈଳାସ ଚନ୍ଦ୍ର ଦାସ, ନିତ୍ୟାନନ୍ଦ ବେହେରା, ପ୍ରଫୁଲ ପାଢୀ, ବିଷ୍ଣୁ ମହାନ୍ତି ପ୍ରମୁଖ ଚାଷୀ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।