ଟଳିଛି ବାତ୍ଯା ମାତ୍ର ଅବିଶ୍ରାନ୍ତ ବର୍ଷାକୁ ନେଇ ଚିନ୍ତାରେ ଚାଷୀ।

123

କଟକ(ଉତ୍କଳ ନିଉଜ)ସାମ୍ଭାବ୍ଯ ବାତ୍ଯାକୁ ନେଇ ଲୋକେ ଭୟଭିତ ଥିଲେ। ଗତକାଲି ଠାରୁ ଟଳିଛି ବାତ୍ଯା ମାତ୍ର ଅବିଶ୍ରାନ୍ତ ମାତ୍ର ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଏହି ଦୁଇ ଦିନ ହେଲା ଭଦ୍ରକ ଜ଼ିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଜାରି ରହିବା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ମୁଖ୍ୟତଃ ଧାନ ଫସଲକୁ ନେଇ ଚାଷୀ ମାନେ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ଧାନ ଅମଳର ସମୟ। ଜମିରେ ହେକ୍ଟର ହେକ୍ଟର ପାଚିଲା ଧାନ ପଡି ରହିଛି। ଏବେ ବହୁ ମାତ୍ରାରେ ପାଚିଲା ଧାନ ଜମିରେ କଟା ହୋଇ ପଡ଼ିରହିଛି। ପ୍ରଶାସନର ସତର୍କ ସତ୍ବେ ମଧ୍ଯ ସେଗୁଡିକ ଖଳାକୁ ଆଣିବା ସମ୍ଭବପର ହୋଇନାହିଁ। ଏହି ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବାରୁ ଚାଷୀକୂଳ ମନରେ ଛନକା ପଶିଯାଇଛି। ପ୍ରଥମେ ଗଜା ମରୁଡି, ସ୍ବଳ୍ପ ବୃଷ୍ଟିପାତ ପରେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀବାପୁଡା ଯେଉଁ ଧାନ ଫସଲ ଅମଳ କରିବାର ଲକ୍ଷ୍ଯ କରିଥିଲା ତାହା ସମ୍ପୂର୍ଣ୍ଣ ଫିକା ପଡିଯାଇଛି। ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି, ବାସୁଦେବପୁର, ତିହିଡି, ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଜମିରେ ଭାସୁଛି। ବିଭିନ୍ନ ଅଞ୍ଚଳରେ ଧାନ ଜମିରେ ବର୍ଷା ଜଳ ଜମି ରହି ଧାନ ନଷ୍ଟ ହେବା ଆଶଙ୍କା ରହିଛି। ବର୍ଷା ଦାଉରୁ ନିଜର ଅମଳକ୍ଷମ ଧାନକୁ ରକ୍ଷା କରିବା ପାଇଁ ଯେନତେନ ପ୍ରକାରର ଚାଷୀ ତାହାର ଚେଷ୍ଟା ଚଳାଇଛି। କୋହଲା ପାଗରେ ହାଡ ଭଙ୍ଗା ଜାଡରେ ବିଲରୁ ଧାନ ଫସଲ ଅମଳ କରିବା ବଡ କଷ୍ଟକର ହୋଇ ପଡିଛି। ଆରମ୍ଭରୁ ଧାନ ବିହନରେ ଗଜା ମରୁଡି, ପରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପକାଇଥିଲା। ଧିରେ ଧିରେ ଚାଷକୁ ଚାଷୀମାନେ ଆଗେଇ ନେଇଥିଲେ । ଆଶା ଥିଲା କିଛି ଭଲ ଅମଳ ହେବ ବୋଲି। କିନ୍ତୁ ପରେ ଅଦିନିଆ ବର୍ଷା ଓ ଚକଡା ପୋକ ପାଚିଲା ଧାନକୁ ନଷ୍ଟ କରିଥିଲା। ଏବେ ପ୍ରବଳ ବର୍ଷା ଯୋଗୁଁ ଅମଳକ୍ଷମ ହେବାକୁ ଥିବା ଧାନ ଗୁଡିକ ନଷ୍ଟ ହେବା ନେଇ ଆଶଙ୍କାରେ ଚାଷୀକୂଳ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।