କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ବିବେକାନନ୍ଦ ସାହୁ

265

କଟକ(ଉତ୍କଳ ନିଉଜ)ତିହିଡି,୩୦.୧୧: ନିଜର କର୍ତ୍ତବ୍ୟ ନିଷ୍ଠତା ଓ ସଚ୍ଚୋଟ ପଣିଆ ପାଇଁ ଦୂର୍ନୀତି ବିରୋଧରେ ଲଢ଼େଇ କରି ଅନେକ ଦୂର୍ନୀତିଖୋର କର୍ମଚାରୀ ଓ ଅଫିସରଙ୍କୁ ନାକେଦମ କରିଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ମହାଜନସାହି ଗ୍ରାମର ସ୍ୱର୍ଗତ ଗୋକୁଳାନନ୍ଦ ସାହୁଙ୍କ ପୁଅ ବିବେକାନନ୍ଦ ସାହୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼େଇ କରିବା ସହ ସାଧାରଣ ଗରିବ ଖିଟିଖିଆ ଓ ଅନପଢ଼ ଲୋକେ କେମିତି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିନା ଲାଞ୍ଚ ଓ ହାତଗୁଞ୍ଜାରେ ନିଜର କାମ ସହଜରେ କରିପାରିବେ ସେଥିପାଇଁ ସେ ଏହି ମିଶନ ଆରମ୍ଭ କରିଥିଲେ । ଲାଞ୍ଚଖୋର ଅଫିସର ଓ କର୍ମଚାରୀ ମାନଙ୍କୁ ସବକ ସିଖେଇବା ପାଇଁ ସେ ଅନେକ ଥର ଭିଜିଲାନ୍ସ ଟ୍ରାପ କରାଇଛନ୍ତି । ସେ ଭାରତୀୟ ଖାଦ୍ୟ ନିଗମର କର୍ମଚାରୀ ଭାବେ କର୍ଯ୍ୟ କରୁଥିଲେ ମଧ୍ୟ ସମାଜର ଅବହେଳିତ ବ୍ୟକ୍ତିଙ୍କୁ ସହଯୋଗ କରିବା ଓ ଦୂର୍ନୀତିଗ୍ରସ୍ଥ ଅଫିସରଙ୍କୁ ଦୂର୍ନୀତିମୁକ୍ତ କରିବା ଲକ୍ଷରେ ସେ ଅନେକ ଥର ଭିଜିଲାନ୍ସର ସହଯୋଗରେ ସେମାନଙ୍କୁ ଟ୍ରାପ କରିଛନ୍ତି । ସେ କେବଳ ତିହିଡି କିମ୍ବା ଭଦ୍ରକରେ ନୁହେଁ ଗୁଜୁରାଟ, ଅହମଦାବାଦ, ନାଗପୁର ଆଦି ସହରରେ ବିଭିନ୍ନ କାର୍ଯ୍ୟାଳୟରେ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ନାକେଦମ କରିସାରିଲେଣି । ନିଜର ସଚ୍ଚୋଟ ପଣିଆ ପାଇଁ ସେ କେବେ କାହା ଡିଲର ଶିକାର ହୋଇ ନାହାନ୍ତି । ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅଧିକାରୀ ମାନେ ତାଙ୍କୁ କେଶ୍ ବୁଝାବଣା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ଯାଚୁଥିଲେ ମଧ୍ୟ ସେ କେବେ ଲୋଭାଗ୍ରସ୍ତ ହୋଇ ନାହାନ୍ତି । ଏପରି ତାଙ୍କୁ ଏଥିରୁ ଓହରି ଯିବା ପାଇଁ ଅନେକ ସମୟରେ ଧମକ ଚମକ ମଧ୍ୟ ଦିଆଯାଇଛି । ତଥାବି ସେ କାହାକୁ ଭୃକ୍ଷେପ ନକରି ଦୁର୍ନୀତି ବିରୋଧରେ ନିଜର ଲଢ଼େଇ ଜାରି ରଖିଛନ୍ତି । ତାଙ୍କର ଏହି ସଚ୍ଚୋଟ ପଣିଆ ଓ ଲାଳସା ବିହିନ ନୀତି ପାଇଁ ତାଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ପକ୍ଷରୁ ଚଳିତ ମାସ ୨୬ ତାରିଖ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ଶ୍ରୀ ସାହୁ ଗତ ୨୦୧୬ ମସିହାରେ ତିହିଡି ତହସିଲରେ ଜଣେ କାର୍ଯ୍ୟରତ କିରାଣୀଙ୍କ ଭିଜିଲାନ୍ସ ଟ୍ରାପ କରାଇ ଚର୍ଚ୍ଚାକୁ ଆସିଥିଲେ । ଏକ ଜମିଜମା ସଂକ୍ରାନ୍ତୀୟ ମାମଲାରେ ସଂପୃକ୍ତ କିରାଣୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଯାହାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଏହି ଭିଜିଲାନ୍ସ ଟ୍ରାପ ପରେ ଶ୍ରୀ ସାହୁଙ୍କୁ କେଶ୍ କମ୍ପ୍ରମାଇଜ କରିବା ପାଇଁ ବାରମ୍ବାର ତାଙ୍କ ଉପରେ ଚାପ ପକାଯିବା ସହ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ ଯଚାଯାଇଥିଲା । ସେ ତାକୁ ଖାତିର ନକରି ଏହାକୁ ଏକ ମିଶନ ଭାବେ ନେଇ କାର୍ଯ୍ୟ କରିବାକୁ ପସନ୍ଦ କରିଥିଲେ । ଯାହାର ଫଳ ସ୍ୱରୁପ ଆଜି ତାଙ୍କୁ ଏପରି ସମ୍ମାନ ପ୍ରଦାନ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।