ସାମ୍ଭାବ୍ୟ କଳା ପତାକା ପ୍ରଦର୍ଶନକୁ ନେଇ ବିଜେପି କର୍ମୀଙ୍କୁ ଅଟକ ।

305

କଟକ(ଉତ୍କଳ ନିଉଜ), ୨୭.୧୧: ଶନିବାର ଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି କାର୍ଡ ବଣ୍ଟନ କରାଯାଇଛି । ତେବେ ଭଦ୍ରକ ସଦର ବଜାରରେ ଗତକାଲି ବିଜେପି ପକ୍ଷରୁ କଳା ପ୍ରଦର୍ଶନ ସହିତ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକ ସଜାଗ ହୋଇଯାଇଛି । ବିକ୍ଷୋଭକାରୀଙ୍କ ଚିହ୍ନଟ କରିବା ଲାଗି ତିହିଡି ପୋଲିସ ସମେତ ରଜର୍ଭ ପୋଲିସ ମଧ୍ୟ ମୁତୟନ ହୋଇଥିଲେ । ଏଥିସହ ସାଧା ପୋଷାକଧାରୀ ପୋଲିସ ମଧ୍ୟ ଗାଁ ଗଣ୍ଡାରେ ପଇଁତରା ମାରିବାରେ ବ୍ୟସ୍ତ ହୋଇଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ନିର୍ବାଚନ ମଣ୍ଡଳୀ ଅଧିନ ୧୩ଟି ପଞ୍ଚାୟତର ହିତାଧିକାରୀଙ୍କ ଏହି କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଜେପି କର୍ମୀଙ୍କ ଉରେ ତୀକ୍ଷ୍ଣ ନଜର ରଖିଥିଲା ଏବଂ କୁବେରା ପଞ୍ଚାୟତ କାର୍ଡ ବଣ୍ଟନ ପୂର୍ବରୁ ବିଜେପି ଐଶନ୍ୟଚଣ୍ଡି ମଣ୍ଡଳର ସାଧାରଣ ସମ୍ପାଦକ ସାଇଶରଣ ବେହେରା ଓ ଶଙ୍କର୍ଷଣ ସ୍ୱାଇଁଙ୍କୁ କାର୍ଯ୍ୟକ୍ରମ ପୂର୍ବରୁ ଅଟକ ରଖିଥିବା ଜଣାଯାଇଛି । ତେବେ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ଆସିଥିଲେ ସେମାନେ କଳା ପତାକା ପ୍ରଦର୍ଶନ କରି ପ୍ରତିବାଦ କରିଥାନ୍ତି ମାତ୍ର ସାଂସଦ, ପୂର୍ବତନ ବିଧାୟକ, ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦଙ୍କୁ ବିଜେପି କଳା ପତାକା ପ୍ରଦର୍ଶନ କରିବ ନାହିଁ ବୋଲି ଶ୍ରୀ ବେହେରା ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ତେବେ ଆଗକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରତି ପୋଲିସ ଯଥେଷ୍ଟ ସତର୍କ ରହିବ ବୋଲି ସୂଚନା ମିଳିଛି । ଏହି ଘଟଣାଟି ସମଗ୍ର ତିହିଡି ଅଞ୍ଚଳରେ ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।