ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତୃଟିର ବିଚାର କରିବେ ଜିଲ୍ଲାପାଳ

313

କଟକ (ଉତ୍କଳ ନିଉଜ)ତିହିଡି, ୨୪.୧୧: ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ବଦଳିବାର ସମ୍ଭାବନା ରହିଛି । ସମାଜସେବୀ ମହେଶ୍ୱର ସେଠୀ ଜିଲ୍ଲା ପ୍ରଶାସନର ତୃଟିପୂର୍ଣ୍ଣ ସଂରକ୍ଷଣ ଉପରେ ବିଚାର ବିମର୍ଷ କରିବା ସହିତ ଏହି ପବଦୀକୁ ଅଣସଂରକ୍ଷଣ ରଖିବା ଲାଗି ଦାବି କରିଥିଲେ । ଏନେଇ ମାନ୍ୟବର ହାଇକୋର୍ଟରେ ଏକ ମାମଲା ଡବ୍ଲୁପିସି ନଂ.୩୪୬୬୪/୨୧ ରୁଜୁ ହୋଇଥିଲା । ଏବଂ ଗତ ତା ୧୭.୧୧.୨୧ରିଖରେ ହାଇକୋର୍ଟ ପକ୍ଷରୁ ଏହା ଉପରେ ଶୁଣାଣୀ ମଧ୍ୟ ହୋଇଛି । ଜିଲ୍ଲାପାଳ ୩ ସପ୍ତାହ ମଧ୍ୟରେ ଉକ୍ତ ମାମଲାର ବିଚାର କରି ରାଜ୍ୟ ନିର୍ବାଚନ କମିଶନରଙ୍କ ଅବଗତ କରିବା ଲାଗି ନିର୍ଦ୍ଦେଶ ହୋଇଛି । ଯାହାକୁ ନେଇ ପୂର୍ବରୁ ରହିଥିଭା ସଂରକ୍ଷଣ ତାଲିକାରେ ଏହି ବ୍ଲକର ବ୍ଲକ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ବଦଳିବାର ସମ୍ଭାବନା ରହିଥିବା ବାରି ହୋଇଛି । ସୂଚନା ମୁତାବକ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ଠାରୁ ଆରମ୍ଭ କରି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ପ୍ରକାଶ ପାଇବା ସହ ଆପତ୍ତି ଅଭିଯୋଗ ପରେ ଏଥିରେ କେତେକ ପରିବର୍ତ୍ତନ କରାଯାଇ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ହେଲେ ଭଦ୍ରକ ଜିଲ୍ଲା ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ ନେଇ ଯେଉଁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ତୃଟିପୂର୍ଣ୍ଣ ଦର୍ଶାଇ ସମାଜସେବୀ ମହେଶ୍ୱର ସେଠୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥାରେ ତୃଟି ଦର୍ଶାଇବା ସହିତ ଏହାର ସଂଶୋଧନ ଦାବି କରିଥିଲେ । ସଂରକ୍ଷଣ ଚିଠା ପ୍ରସ୍ତୁତ ବେଳେ ସେଥିରେ ରୋଟେସନ ନିୟମକୁ ଉଲ୍ଲଂଘନ କରାଯାଇ ଚିଠା ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ଜନସଂଖ୍ୟା ଆଧାରରେ ବିଭିନ୍ନ ବର୍ଗଙ୍କ ଲାଗି ସଂରକ୍ଷଣ ଓ ଅତୀତର ସଂରକ୍ଷଣ ତାଲିକାକୁ ବିଚାରକୁ ନିଆନଯାଇ ଏପରି ଚିଠା ପସ୍ତୁତ କରାଯାଇଥିବା ଅଭିଯୋଗ କରିଥିଲେ । ୨୦୦୨ ରୁ ୨୦୧୭ ଯାଏଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ କୌଣସି ଅଭିଯୋଗ ନଥିବା ବେଳେ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ତାହା ୨୦୧୭ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକାକୁ ଅନୁଧ୍ୟାନ କରି କରାନଯାଇ ଏପରି ତୃଟିପୂର୍ଣ୍ଣ ତାଲିକା ପ୍ରକାଶ କରାଯାଇଥିବା ନେଇ ଦାବି କରିଥିଲେ । ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ୨୦୧୭ ନିର୍ବାଚନରେ ଅଣସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୨୦୨୨ ସଂରକ୍ଷଣ ଚିଠାରେ ଏହା କେବଳ ଅଣସଂରକ୍ଷିତ ହେବା କଥା । କିନ୍ତୁ ତାହା କରାନଯାଇ ପୁନର୍ବାର ୨୦୧୭ ର ସଂରକ୍ଷଣ ତାଲିକାକୁ ଦୋହରା ଯାଇଛି । ଯାହା ଫଳରେ ଏହି ଅଣସଂରକ୍ଷିତ ପୁରୁଷ ବର୍ଗର ପ୍ରାର୍ଥୀମାନେ ପ୍ରତିନିଧିତ୍ୱ କରିବାରୁ ବଞ୍ଚିତ ହେଉଥିବା ଦର୍ଶାଯାଇଛି । ଏହି ମାମଲାର ତୁରନ୍ତ ଫଇସଲା କରି ଚୂଡାନ୍ତ ତାଲିକା ପ୍ରକାଶ କରିବାକୁ ଶ୍ରୀ ସେଠୀ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଯାହାର ବିଚାର କରିବା ଲାଗି ହାଇକୋର୍ଟ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଥିବା ରାୟ ପ୍ରକାଶ ପାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।