ରେବ ନଈର ୩ଟି ଶାଖା ଯୋରରେ ବନ୍ଧ ବାନ୍ଧିଲେ ଚାଷୀ

281

କଟକ(ଉତ୍କଳ ନିଉଜ)ତିହିଡି, ୧୨.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ହଂସପାଟ ଗ୍ରାମ ନିକଟରେ ବୋହି ଯାଇଥିବା ରେବ ନଈର ଶାଖା ଯୋର ଶାନଶେଉଳିଆ, ବାମନାଳି ଓ ଦାଣ୍ଡ ଯୋରରେ ବନ୍ଧ ବାନ୍ଧିଲେ ଚାଷୀ । ମଧୁପୁର, ହଂସପାଟ ଓ ତଳହଂସପାଟ ଗ୍ରାମର ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ୨ ଦିନ ଧରି ଅକ୍ଳାନ୍ତ ପରିଶ୍ରମରେ ୩ଟି ବନ୍ଧ ବନ୍ଧା ଯାଇଛି । ଯାହାଦ୍ୱାରା ଜୁଆର ପାଣି ପାଚିଲା ଧାନ କ୍ଷେତରେ ପ୍ରବେଶ କରି ପାରିବ ନାହିଁ । ପ୍ରତିବର୍ଷ ଏହିପରି ସମସ୍ୟା ଉପୁଜିଥାଏ । ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ହାରିଗୁହାରି କରୁଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନଥାଏ । ତେବେ ପାଚିଲା ଧାନକୁ ଜୁଆର ପାଣି ମାଡିଲେ ଅମଳ ଅବସମ୍ଭାବୀ ଦୃଷ୍ଟିରୁ ଗ୍ରାମବାସୀ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି । ଗ୍ରାମବାସୀଙ୍କ ଶ୍ରମ ସହିତ ଭଡାରେ ୨ଟି ମାଟିଖୋଳା ମେସିନ୍ ମଧ୍ୟ ବ୍ୟବହୃତ ହୋଇଥିବା ଜଣାଯାଇଛି । ଧାନ ଅମଳ ପରେ ଆସନ୍ନ ବର୍ଷା ଋତୁ ପୂର୍ବରୁ ଉକ୍ତ କେନଲକୁ କାଟି ଦିଆଯିବ ଯାହାଦ୍ୱାରା ଜୁଆର ପାଣିରେ ଲୋକେ ଚାଷ କାର୍ଯ୍ୟ କରି ପାରିବେ ବୋଲି ଜଣାଯାଇଛି । ଲିଙ୍ଗରାଜ ନାୟକ, ସରୋଜ ନାୟକ, ପଣ୍ଡୁଚରଣ ମାଝୀ, କାଳନ୍ଦି ସେଠୀ, ହୃଷିକେଶ ପଣ୍ଡା, ପ୍ରସନ୍ନ ନାୟକ, କାଳନ୍ଦି ଧଳ, ବଳରାମ ବାରିକ, ବୈଲୋଚନ ବାରିକ, ଅକ୍ଷୟ ନାୟକ, କାଳନ୍ଦି ଚରଣ ନାୟକ, ଚକ୍ରଧର ବାରିକ, ବାଇନ ବାରିକ, ମାନସ ମାଝୀ, ଶ୍ରୀଧର ତରେଇ ଓ ହୃଷିକେଶ ମାଝୀ ପ୍ରମୁଖ ୩ଟି ଗ୍ରାମର ଶତାଧିକ ଚାଷୀ ଉକ୍ତ ବନ୍ଧ ବନ୍ଧା କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ରେବ ନଈ ତଥା ଶାଖା ଯୋର ଉପରେ ଶହ ଶହ ଏକର ଜମିର ଚାଷ କାର୍ଯ୍ୟ ନିର୍ଭର କରାଯାଇଥାଏ । ଲୋକଙ୍କ ବର୍ଷ ବର୍ଷର ଦାବି ଉପରେ ବିଚାର ବିମର୍ଷ କରି ଯଦି ସ୍ଲୁଇସ୍ ଗେଟ ସହିତ ମଧୁପୁରରୁ କଉଯୋଡି ଭାୟା ହଂସପାଟ ମଧ୍ୟରେ ରେବ ନଈରେ ଆଡି ବନ୍ଧର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ସବୁ ଦୃଷ୍ଟି କୋଣରୁ ତଥା ସବୁଦିନିଆ ସମାଧାନ ହୋଇ ପାରନ୍ତା ବୋଲି ଚାଷୀମାନେ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।