ତାଲା ଭାଙ୍ଗି ଘରୁ ଚୋରୀ ଘଟଣା, ସାଇଣ୍ଟିଫିକ୍ ଟିମ୍ ପରେ ଡଗ୍‌୍‌ସ୍ୱାର୍ଡର ତଦନ୍ତ

279

କଟକ(ଉତ୍କଳ ନିଉଜ)ତିହିଡି, ୧୧.୧୧: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ମିର୍ଜାପୁର ଗ୍ରାମ ବାରିଣୀ ପୋଖରୀ ନିକଟସ୍ଥା ଅଜୟ କୁମାର ମଳିକଙ୍କ ଘରର ତାଲା ଭାଙ୍ଗି ଚୋରୀ ଘଟଣାରେ ସାଇଣ୍ଟିଫିକ୍ ଦଳ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ ପରେ ଗୁରୁବାର ସଂଧ୍ୟାରେ ଡଗ୍‌୍‌ସ୍ୱାର୍ଡ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ କରାଯାଇଛି । ବାଲେଶ୍ୱରରୁ ଆସିଥିବା ଏହି ସନ୍ଧାନୀ କୁକୁର ପ୍ରଥମେ ଘରର ସାମଗ୍ରୀ ଶୁଙ୍ଘିବା ପରେ ଘର ସାରା ବୁଲିଥିଲା । ପରେ ରାସ୍ତା ପଶ୍ୱର୍ରେ ଥିବା ଜଣେ ବ୍ୟକ୍ତଙ୍କ ଘରକୁ ଯାଇ ବୁଲିବା ସହିତ ୨ ଜଣଙ୍କ ଘରର ଗେଟ ପାଖରୁ ଫେରିି ସିଧାସଳଖ ରେଳପଥ କରିଡର ପର୍ଯ୍ୟନ୍ତ ଯାଇଥିଲା । ତେବେ ଏଭଳି ଘଟଣାରେ ତିହିଡି ପୋଲିସ ଅଧିକ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିପାରନ୍ତା ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ଘରେ କେହି ନଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଅଜୟ କୁମାର ମଳିକଙ୍କ ଘରର ୫ଟି ତାଲା ଭାଙ୍ଗି ଚୋରୀ ହୋଇଥିବା ବୁଧବାର ଜଣା ପଡିଥିଲା । ଘରେ ଆଲମିରା, ବାକ୍ସ ଆଦି ବିଭିନ୍ନ ସ୍ଥାନରେ ଝାରଖାର ହୋଇ ପଡିଥିବା ବେଳେ ଶହେ ଗ୍ରାମରୁ ଅଧିକ ଓଜନର ସୁନା ଅଳଙ୍କାର ଓ ୭୦ ଗ୍ରାମ ଓଜନର ରୂପା ଅଳଙ୍କାର ସମେତ ପାଣି ମୋଟର, ଇନ୍‌ଭଟର ବ୍ୟାଟ୍ରି, ଏଲଆଇସି କାଗଜପତ୍ର ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରୀ ହୋଇଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅଜୟଙ୍କ ଶ୍ୱଶୁର ନଟବର ଦାସ ଥାନାରେ ଦାୟର କରିଥିବା ଅଭିଯୋଗରୁ ଜଣାଯାଇଛି । ପୋଲିସ ଏନେଇ ଏକ ମାମଲା ୪୦୬/୨୧, ଦଫା ୪୫୭ ଓ ୩୭୯ ରୁଜୁ କରିବା ପରେ ତଦନ୍ତ ଚଳାଇଛି । ପରେ ସାଇଣ୍ଟିଫିକ୍ ଦଳ ପକ୍ଷରୁ ବୁଧବାର ତଦନ୍ତ କରାଯାଇଥିବା ବେଳେ ଆଜିର ସନ୍ଧାନୀ କୁକୁର ଚୋରୀର ସୁରାକ୍ ଯୋଗାଇବ ବୋଲି ସାଧାରଣରେ ଆଶା ପ୍ରକଟ କରାଯାଉଛି । ତେବେ ତିହିଡି ପୋଲିସ ଏନେଇ କେଉଁ ପ୍ରକାର ନ୍ୟାୟ ପ୍ରଦାନ କରୁଛି ତାହା କେବଳ ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।