ମମିତା ହତ୍ୟାରେ ଗୃହମନ୍ତ୍ରୀଙ୍କୁ ଖସେଇ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ

204

କଟକ(ଉତ୍କଳ ନିଉଜ)ତିହିଡି, ୦୮.୧୧: ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ତାତି ଥମ୍ମିବାରେ ନାଁ ଧରୁନି । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଆନ୍ଦୋନ । ବିଗତ କିଛି ଦିନ ହେଲା ବିଜେପି ସହିତ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ପ୍ରତିବାଦ, ବିକ୍ଷୋଭ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଉଛି । ତେବେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସେଇ ଦେବାଲାଗି ରାଜ୍ୟ ସରକାର ଭରପୁର ଉଦ୍ୟମ କରୁଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତି ଏହାର ପ୍ରମାଣ ଦେଇଥିବା ବିଜେପି ଆରୋପ କରିଛି । ତେବେ ରାଜ୍ୟ ବିଜେଡି ସରକାରଙ୍କ ପତନ ଘଟିବାର ସମୟ ଆସିଛି, ଆଗାମି ତ୍ରିସ୍ତରୀୟ ନିର୍ବାଚନରେ ବିଜେପିର ହାତ ମୁଠାକୁ ଟାଣ କରିଲେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଏପରିକି ଜିଲ୍ଲାରେ ବିଜେପିର କ୍ଷମତା ବୃଦ୍ଧି ପାଇବ ଯାହା ଫଳରେ ବିଧାନସଭା ନିର୍ବାଚନରେ ବିଜେଡିର ଆପଣାଛାଏଁ ପତନ ଘଟିବ । ବିଜେପି ଶାସନ ଆସିଲେ ମହିଳାମାନେ ସୁରକ୍ଷିତ ହେବା ସହିତ କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଓଡିଶାରେ ଗଢି ଉଠିବ ବୋଲି ସୋମବାର ବିଜେପିର ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସମେତ ବହୁ ନେତା ମତପ୍ରକାଶ କରିଥିଲେ । ସୂଚନା ମୁତାବକ, ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ଗୃହମନ୍ତ୍ରୀଙ୍କ ବହିସ୍କାର ଦାବିରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରି ଓଡିଶାର ୩୧୪ ବ୍ଲକକୁ ଘେରାଉ କରାଯାଇଛି ।

ଜିଲ୍ଲା ତିହିଡି ବିଜେପି ପକ୍ଷରୁ ହଜାର ହଜାର ବିଜେପି କର୍ମୀ ତିହିଡି ପୁରଣାହାଟରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ କର୍ମୀମାନେ ସରକାର ବିରୋଧି ନାରା ଦେଇ ବଜାର ପରିକ୍ରମା କରିଥିଲେ । ବିଜେପି କର୍ମୀଙ୍କ ଏହି ଶୋଭାଯାତ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣ ବାହାରେ ହେବା ସହିତ ୨ ଘଣ୍ଟା କାଳ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ତହସିଲ ଛକ ଠାରୁ ବ୍ଳକ ଛକ ପର୍ଯ୍ୟନ୍ତ ଯାମ ହୋଇଯାଇଥିଲା । ଏଥିପାଇଁ ପୋଲିସ ଓ ସାଧାରଣ ଜନତାଙ୍କୁ ନାକେଦମ ହେବାକୁ ପଡିଥିଲା । ଏହି ଶୋଭାଯାତ୍ରା ବ୍ଲକ ଛକରେ ପହଞ୍ଚିବା ପରେ ମଣ୍ଡଳ ସଭାପତି ପ୍ରଦୀପ ବଳଙ୍କ ପୌରାହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କର୍ମୀମାନେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ବିଜେଡି ସରକାର ବିରୋଧରେ ଗର୍ଜିବା ସହ ଅଭିଯୁକ୍ତ ଗୃହମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦାବି କରିଥିଲେ । ପ୍ରାୟ ୧ ମାସ ଧରି ସରକାରଙ୍କ ବିରୋଧରେ ଜନମତ ପ୍ରକାଶ ପାଉଥିବା ବେଳେ ଶାସକ ଦଳ ଏହାକୁ ଭୃକ୍ଷେପ ନକରିବା ଗଣତନ୍ତ୍ର ପ୍ରତି ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ବିଜେପି ନେତା ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ନିଜ ବକ୍ତବ୍ୟରେ କହିଥିଲେ । ଏହି ବ୍ଲକ ଘେରାଓ କାର୍ଯର୍୍ୟକ୍ରମରେ ଜିଲ୍ଳା ଉପ-ସଭାପତି ଶ୍ରୀହର୍ଷ ମିଶ୍ର, ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ବରିଷ୍ଠ ନେତା ଦୂର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଉଦୟ ନାରାୟଣ ମଲ୍ଲିକ, ସୂର୍ଯ୍ୟବଂଶୀ ସୂରଜ, ବୁଦ୍ଧଦେବ ଜେନା, ମଣ୍ଡଳ ସଭାପତି ପ୍ରଦୀପ କୁମାର ବଳ, ତପନ କୁମର ପାଢ଼ୀ, ପ୍ରମୋଦ ଦାସ, ରାଜାରାମ ମହାକୁଡ, ପ୍ରତାପ ଜେନା, ସଂଗ୍ରାମ ମହାନ୍ତି, ମୁକ୍ତିକାନ୍ତ ନାୟକ, ସଂଦୀପ ମହାନ୍ତି,ଶୁସାନ୍ତ ସେଠୀ, ଭରତ ସାହୁ, ସୁଧାଂଶୁ ପାଣିଗ୍ରାହୀ, ଶୁଭ୍ରନାରାୟଣ ସେଠୀ,ମାନସ ନାୟକ, ଅମୀୟଚାନ୍ଦ ନାୟକ, ଶଉକଦେବ ମଳିକ, କମଳାକାନ୍ତ ନାୟକ, ରଞ୍ଜନ ମହାନ୍ତି, ସଞ୍ଜୀବ ଦାସ, ଶ୍ରୀକାନ୍ତ ମହାଳିକ, ବିଜୟ ଜେନା, ସାଇ ଶରଣ ବେହେରା, ଶଶାଙ୍କ ଶେଖର ରାଉଳ, ସରପଞ୍ଚ ଉଷାକାନ୍ତ ନାୟକ, ଝରଣା ଯେନା, ସ୍ୱର୍ଣ୍ଣମୟୀ ଜେନା, ରାଜକିଶୋର ନାୟକ, ଦେବବ୍ରତ ପାଢ଼ୀ, ସୌମ୍ୟରଞ୍ଜନ ଭୋଇ, ସରୋଜ ନାୟକ, କେଶବ ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।