ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ସଂରକ୍ଷଣରେ ତୃଟି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

429

କଟକ(ଉତ୍କଳ ନିଉଜ)ତିହିଡି, ୦୮.୧୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ଠାରୁ ଆରମ୍ଭ କରି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷ ଚିଠା ପ୍ରକାଶ ପାଇବା ସହ ଆପତ୍ତି ଅଭିଯୋଗ ପରେ ଏଥିରେ କେତେକ ପରିବର୍ତ୍ତନ କରାଯାଇ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ହେଲେ ଭଦ୍ରକ ଜିଲ୍ଲା ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ ନେଇ ଯେଉଁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ମାମଲା ଏବେ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ତୃଟି ଦର୍ଶାଇ ତିହିଡି ଅଞ୍ଚଳର ମହେଶ୍ୱର ସେଠୀ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିବା ଘଟଣା ଏବେ ତିହିଡି ରାଜନୀତିକୁ ସରଗରମ କରିଛି । ଭଦ୍ରକ ଜିଲ୍ଲାରେ ସଂରକ୍ଷଣ ବ୍ୟବସ୍ଥାରେ ତୃଟି ଦର୍ଶାଇ କରାଯାଇଥିବା ଏହି ଜନସ୍ୱାର୍ଥ ମାମଲା ଜିଲ୍ଲାର ପ୍ରଥମ ବୋଲି ଜଣାଯାଇଛି । ଆଗାମୀ ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସଂରକ୍ଷଣ ତାଲିକା ଚୂଡାନ୍ତ କରିସାରିଥିବା ବେଳେ ଏହି ଜନସ୍ୱାର୍ଥ ମାମଲାକୁ ନେଇ ଆଶା ଓ ଆକାଂକ୍ଷା ବୃଦ୍ଧି ପାଇବାରେ ଲାଗିଛି । ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଜିଲ୍ଲା ପ୍ରଶାସନ ତୃଟିପୂର୍ଣ୍ଣ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରିଥିବା ନେଇ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗର ଗାଇଡ୍ ଲାଇନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଲଙ୍ଘନ କରାଯାଇ ଏହି ଚୂଡାନ୍ତ ତାଲିକା ପ୍ରସ୍ତୁତ କରା ଯାଇଥିବା ଏହି ମାମଲାରେ ଦର୍ଶାଯାଇଛି । ସଂରକ୍ଷଣ ଚିଠା ପ୍ରସ୍ତୁତ ବେଳେ ସେଥିରେ ରୋଟେସନ ନିୟମକୁ ଉଲ୍ଲଂଘନ କରାଯାଇ ଚିଠା ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଜନସଂଖ୍ୟା ଆଧାରରେ ବିଭିନ୍ନ ବର୍ଗଙ୍କ ଲାଗି ସଂରକ୍ଷଣ ଓ ଅତିତର ସଂରକ୍ଷଣ ତାଲିକାକୁ ବିଚାକୁ ନିଆନଯାଇ ଏପରି ଚିଠା ପସ୍ତୁତ କରାଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ୨୦୦୨ ରୁ ୨୦୧୭ ଯାଏଁ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାକୁ ନେଇ କୌଣସି ଅଭିଯୋଗ ନଥିବା ବେଳେ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ତାହା ୨୦୧୭ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକାକୁ ଅନୁଧ୍ୟାନ କରି କରାନଯାଇ ଏପରି ତୃଟିପୂର୍ଣ୍ଣ ତାଲିକା ପ୍ରକାଶ କରାଯାଇଥିବା କୁହାଯାଇଛି । ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ୨୦୧୭ ନିର୍ବାଚନରେ ଅଣସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୨୦୨୨ ସଂରକ୍ଷଣ ଚିଠାରେ ଏହା କେବଳ ଅଣସଂରକ୍ଷିତ ହେବା କଥା । କିନ୍ତୁ ତାହା କରାନଯାଇ ପୁନର୍ବାର ୨୦୧୭ ର ସଂରକ୍ଷଣ ତାଲିକାକୁ ଦୋହରା ଯାଇଛି । ଯାହା ଫଳରେ ଏହି ଅଣସଂରକ୍ଷିତ ପୁରୁଷ ବର୍ଗର ପ୍ରାର୍ଥୀମାନେ ପ୍ରତିନିଧିତ୍ୱ କରିବାରୁ ବଞ୍ଚିତ ହେଉଥିବା ଦର୍ଶାଯାଇଛି । ଏହି ତୃଟିପୂର୍ଣ୍ଣ ବ୍ୟବସ୍ଥାକୁ ନେଇ ଜିଲ୍ଲା ତମାମ ବିଭିନ୍ନ ବ୍ଲକ ଓ ଦଳରୁ ଅନେକ ଅଭିଯୋଗ ଆଗତ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ କେତେକ ୱାର୍ଡ ସଦସ୍ୟ ଓ ସରପଞ୍ଚ ସମିତିସଭ୍ୟ ସଂରକ୍ଷଣ ତାଲିକାରେ ରହିଥିବା ତୃଟି ବିଚ୍ୟୁତକୁ ସଂଶୋଧନ କରି ପୂର୍ବରୁ ପ୍ରକାଶ ପାଇଥିବା ତାଲିକାକୁ କାଏମ ରଖିଥିଲେ । ଅକ୍ଟୋବର ମାସ ୨୨ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଏହା ଜଣାପଡିଥିଲା । ଏହା ଜାଣିବା ପାରେ ଜିଲ୍ଲା ପ୍ରଶାସନର ଏତାଦୃଶ ତୃଟିକୁ ଚାଲେଞ୍ଜ କରି ଶ୍ରୀ ସେଠୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ଏହି ମାମଲାର ତୁରନ୍ତ ଫଇସଲା କରି ଚୂଡାନ୍ତ ତାଲିକା ପ୍ରକାଶ କରିବାକୁ ଶ୍ରୀ ସେଠୀ କୋର୍ଟଙ୍କ ନିକଟରେ ଆବେଦନ କରିଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ।