କାଳିଆ ଯୋଜନା ଟଙ୍କା ଅନ୍ୟ ହିତାଧିକାରୀଙ୍କ ଜମାଖାତାକୁ ଯିବା ପ୍ରସଙ୍ଗ

234

କଟକ(ଉତ୍କଳ ନିଉଜ୍)ତିହିଡି,୨୯.୧୦: ଚାଷୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି । କେଉଁଠି ଅଯୋଗ୍ୟ ହତାଧିକାରୀ ଏହି ଯୋଜନାରୁ ଭରପୁର ଲାଭ ଉଠାଉଛନ୍ତି ତ ଆଉ କେଉଁଠି ପ୍ରକୃତ ଚାଷୀଟିଏ ଯୋଜନାରୁ ବାଦ୍ ପଡି ବିଭାଗୀୟ ଅଧିକାରୀଙ୍କ ସହ ବ୍ଲକ ଓ ଜିଲ୍ଲା କର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଯେଉଁମାନେ ଯୋଜନାରେ ସାମିଲ ହୋଇ ସହାୟତା ପାଉଛନ୍ତି ସେମାନଙ୍କୁ ବି ନିରାଶ ହେବାକୁ ପଡୁଛି । କାହାର ମେସେଜ ଆସୁଛି ତ ଟଙ୍କା ଆସୁନାହିଁ । ଆଉ କାହାର ଅନଲାଇନରେ କିସ୍ତି ଟଙ୍କା ଆସିଥିବା ଦେଖାଉଥିବା ବେଳେ ବ୍ୟାଙ୍କ ଆକାଉଣ୍ଟକୁ ଆସୁନଥିବା ଦେଖିବାକୁ ମିଳୁଛି । ଏପରିକି ଅନେକଙ୍କ ଟଙ୍କା ଆସି ହୋଲ୍ଡ ହୋଇ ଯାଇଥିବା ମଧ୍ୟ ଦେଖାଦେଉଛି । ଏହି ଅଡୁଆ ସୂତା ମଧ୍ୟରେ ଛନ୍ଦି ହୋଇ ଯାଉଛନ୍ତି ଗାଁ ଗହଳ ସରଳ ଅଧାପାଠୁଆ ଚାଷୀମାନେ । ଏପରି ଜଣେ ଚାଷୀଙ୍କ ନାଁରେ ଆସିଥିବା କାଳିଆ ସହାୟତା ରାଶି ଅନ୍ୟଜଣେ ଚାଷୀଙ୍କ ଆକାଉଣ୍ଟକୁ ଚାଲିଯିବା ପରେ ସଂପୃକ୍ତ ଚାଷୀ ଜଣକ ଅମରଣ ଅନଶନରେ ବସିବାର ୭ ମାସ ପରେ ବି ଫଳ ଶୁନ ହୋଇଥିôବା ଜଣାଯାଇଛି । ତିହିଡି ବ୍ଲକ ପୀରହାଟ ନମେଇସାହି ଅଞ୍ଚଳର ଚାଷୀ ଗଙ୍ଗାଧର ବାରିକ କାଳିଆ ଯୋଜନାରେ ଜଣେ ହିତାଧିକାରୀ ଭାବେ ସାମିଲ ହୋଇଥିଲେ । ଯୋଗ୍ୟ ହିତାଧିକାରୀ ଭାବେ ତାଙ୍କର ଟୋକନ ନଂ-୯୮୧୫୪୪୪୩ ଅନୁୁଯାୟୀ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯିବା କଥା । ହେଲେ କୌଣସି କାରଣରୁ ଏହି ସହାୟତା ରାଶି ଯାହା କାଳିଆ ଯୋଜନାର ୨ଟି କିସ୍ତି ୧୦ ହଜାର ଓ ପିଏମ କିଶାନ ଯୋଜନାର ୨ ଟି କିସ୍ତି ୪ ହଜାରକୁ ମିଶାଇ ମୋଟ ୧୪ ହଜାର ଟଙ୍କା ତାଙ୍କ ନାମରେ ଥିବା ଷ୍ଟେଟ ବ୍ୟାଙ୍କ ଜମାଖାତାକୁ ନଯାଇ ସେହି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଜମାଖାତାକୁ ଯାଇଥିବା ସେ ଜାଣିବାକ ପାଇଥିଲେ । ଏହା ଜାଣିବା ପରେ ସେ ଗ୍ରାମ୍ୟ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଳକ ସହକାରୀ କୃଷି ଅଧିକାରୀଙ୍କ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରି ଶେଷରେ ନିରାଶ ହୋଇ ନିଜ ପତ୍ନିଙ୍କ ସହ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ମାର୍ଚ୍ଚ ୩ ତାରିଖରେ ଆମରଣ ଅନଶନ କରିଥିଲେ । କୃଷି ବିଭାଗ ପକ୍ଷରୁ ତାଙ୍କ ଟଙ୍କା କିପରି ସେ ଫେରି ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ହେଲେ ଆଯାଯାଏ ତାଙ୍କ ସହାୟତା ରାଶି ତାଙ୍କ ଜମାଖାତାକୁ ଫେରିଲା ନାହିଁ । ଏ ସଂକ୍ରାନ୍ତରେ ସେ ବ୍ଲକ କୃଷି ଅଧିକାରୀଙ୍କୁ ଆଜି ଭେଟିବା ପେର ସେ ଜିଲ୍ଲା କିମ୍ବା ରାଜ୍ୟ କାଳିଆ ସେଲରେ ଯୋଗାଯୋଗ କରିବା କଥା କହିଥିଲେ । ଆମ ପକ୍ଷରୁ ଯାହା କରିବାର ଥିବା ଆମେ କରି ସାରିଛି ଆକାଉଣ୍ଟରୁ ଟଙ୍କା ଫେରାଇ ଆଣିବା ପାଇଁ କୌଣସି ପ୍ରକାର ଟେକ୍ନୋଲୋଜି କିମ୍ବା ସଫ୍ଟଓ୍‌ୟାର ବ୍ୟବସ୍ଥା ନଥିବାରୁ ତାହା ସମ୍ଭବ ହେବ ନାହିଁ ବୋଲି କହିଥିଲେ । ଏ କଥା ଶୁଣି ଚାଷୀ ଗଙ୍ଗାଧର ହତାସ ହେବା ସହ ଯୋଜନାରେ ଥିବା ଅବ୍ୟବସ୍ଥାକୁ ତାଛଲ୍ୟ କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।