ଚୋରା ଦେଶୀ ମଦ ସହିତ ବାଇକ ଓ ସ୍କୁଟି ଜବତ, ୫ ଗିରଫ୍‌

205

କଟକ(ଉତ୍କଳ ନିଉଜ୍)ତିହିଡି, ୨୭.୧୦: ଚୋରା ଦେଶୀ ମଦ ସହିତ ବାଇକ ଓ ସ୍କୁଟି ଜବତଏବଂଏଥିରେ ଜଡିତ ୫ ଜଣଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି । ଭଦ୍ରକ ଅବକାରୀ ଅଧିକ୍ଷକ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜାର ଓ ଭଣ୍ଡାରିପୋଖରୀ ମେଡିକାଲ ଛକ ନିକଟରେ ଚଢାଉ କରାଯାଇ ଗୋଟିଏ ମୋଟର ସାଇକେଲ (ଓଡି-୩୪ଏଫ-୨୦୭୫) ଓ ଗୋଟିଏ ସ୍କୁଟିରୁ (ଓଡି-୩୪ଏଲ-୬୦୯୮) ୧୬୦ ଲିଟର ଦେଶୀ ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ମୁର୍ଗାଗୋଠ ଗ୍ରାମର ବିର ହୋ ଓ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର କୁଳମଣି ଜେନାଙ୍କୁ ଗିରଫ କରାଯାଇଛି । ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମ ଓ ତିହିଡ଼ି ଥାନା ଅନ୍ତର୍ଗତ ପାଳିଆ, ମିରିପୁର, ସଦାନନ୍ଦପୁର ଓ ଦେଉଳା ଗ୍ରାମରେ ଚଢାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ତପନ ଜେନା, ତିହିଡ଼ି ଥାନା ଅନ୍ତର୍ଗତ ମିରିପୁର ଗ୍ରାମର ଅଳକା ବେହେରା ଓ ପାଳିଆ ଗ୍ରାମର ବଳରାମ ମହାଳିକଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସଆଇ ସନ୍ତୋଷ ବଳ, ଏଏସଆଇ ପୁରୁଷୋତ୍ତୋମ ମଲ୍ଲିକ ଓ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସି ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୫ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।