ମହିଳାଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ।

202

କଟକ(ଉତ୍କଳ ନିଉଜ୍)ତିହିଡ଼ି, ୨୫ା୧୦- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କଣ୍ଡରାଗଡ଼ିଆ ଗ୍ରାମର ରାନୁବାଳା ବଳ (୩୨) ନାମ୍ନୀ ଜଣେ ମହିଳାଙ୍କୁ ସ୍ୱାମୀ, ଶଶୁର ଏବଂ ଯାଆ ମିଶି ବିଷ ପିଆଇ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୀରହାଟ ପୁଲିସ ଏକ ମାମଲା ୧୫୪/୨୧, ଦଫା ୪୯୮, ୩୦୪, ୩୦୨ ଏବଂ ୩୪ ଆଇପିସି ରୁଜୁ କରି ମହିଳାଙ୍କ ସ୍ୱାମୀ ଉମାକାନ୍ତ ବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ବୋଡ଼କ ପଞ୍ଚାୟତ ଅଧୀନ ବଢ଼େଇ ଗଡ଼ିଆ ଗ୍ରାମର ଦେବେନ୍ଦ୍ର ଖୁଣ୍ଟିଆଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅ ରାନୁବାଳା କଣ୍ଡରାଗଡ଼ିଆ ଗ୍ରାମର ବୃନ୍ଦାବନ ବଳଙ୍କ ପୁଅ ଉମାକାନ୍ତ ବଳଙ୍କୁ ୬ ବର୍ଷ ପୂର୍ବେ ବିବାହ ଦେଇଥିଲେ । ବିବାହର କିଛିଦିନ ଭଲରେ କଟିବା ପରେ ଶ୍ୱଶୁର ବୃନ୍ଦାବନ ଏବଂ ଯାଆ ଉର୍ମିଳା ରାନୁବାଳାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର ଆରମ୍ଭ କରିଥିଲେ । ଏ ନେଇ ଶଶୁରଘର ଲୋକଙ୍କ ସହ ଦେବେନ୍ଦ୍ର ବିଭିନ୍ନ ସମୟରେ ଆଲୋଚନା କରି ଝିଅ ଉପରେ ଏପରି ଅତ୍ୟାଚାର ନକରିବାକୁ କହିଥିଲେ । ମାତ୍ର ସେମାନେ ଏହାକୁ ଶୁଣୁ ନଥିଲେ । ତେବେ ତାଙ୍କ ଝିଅ ରାନୁବାଳା ବିଷ ପିଇ ତିହିଡ଼ି ମେଡ଼ିକାଲରେ ଭର୍ତ୍ତି ହୋଇଛି ବୋଲି ଫୋନ ଯୋଗେ ଜ୍ୱାଇଁ ଜଣାଇଥିଲେ । ସେ ତୁରନ୍ତ ତିହିଡ଼ି ମେଡ଼ିକାଲରେ ଆସି ଦେଖନ୍ତି ତ ତାଙ୍କ ଝିଅର ମୃତ୍ୟୁ ହୋଇ ଯାଇଛି । ତେବେ ଶନିବାର ରାତିରେ ଝିଅକୁ ତା’ର ସ୍ୱାମୀ, ଶଶୁର ଓ ଯାଆ ମିଶି ବଳ ପୂର୍ବକ ବିଷ ପିଆଇ ମାରି ଦେଇଥିବା ଦେବେନ୍ଦ୍ର ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଚଳାଇ ଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ୍।